ଉଦ୍‌ଘାଟନ ସରିଛି, କାର୍ଯ୍ୟକାରୀ ହେଉନି

ସମ୍ବଲପୁର,୩ା୧୨ (ଭବାନୀ ଶଙ୍କର ଭୋଇ)ରାସ୍ତାଘାଟରେ ବଜାର ବସିବା କାରଣରୁ ସମ୍ବଲପୁରର ସର୍ବପୁରାତନ ଗୋଳବଜାର ସଙ୍କୁଚିତ ହୋଇଯାଇଛି। ଏଥିପାଇଁ ଟ୍ରାଫିକ ସମସ୍ୟା ଏଠାକାର ନିତିଦିନିଆ ସମସ୍ୟା ଭାବେ ଉଭା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ମହାନଗର ନିଗମ ପକ୍ଷରୁ ପୁରୁଣା ଗୋଲବଜାର ଭିତରେ ଉଦ୍ୟୋଗ ବିହାର ନାମରେ ନୂତନ କୋଠା ନିର୍ମାଣ କରାଯାଇଛି। ଗତ ଗଣେଶ ପୂଜା ଅବସରରେ ଏହାକୁ ଉଦ୍‌ଘାଟନ ମଧ୍ୟ କରାଯାଇଛି। ଏହି କୋଠାର ପ୍ରଥମ ମହଲାରେ ମୋଟ ୨୫ଟି ଦୋକାନ ଘର ତିଆରି ହୋଇଛି। କୋଠା ସାମ୍‌ନାରେ ବସୁଥିବା ୮ଜଣ ଦୋକାନୀଙ୍କୁ ପ୍ରଥମେ ନୂଆ କୋଠାକୁ ସ୍ଥାନାନ୍ତର କରାଯିବାର ଯୋଜନା ରହିଛି। ହେଲେ ଏହି କାର୍ଯ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇପାରି ନାହିଁ।
ଉଦ୍‌ଘାଟନ ସମୟରେ ମହାନଗର ନିଗମ କୋଠା ସାମ୍‌ନାରେ ଥିବା ୮ ଦୋକାନକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ହେଲେ ସେ ସମୟରେ ଦୋକାନୀମାନେ ଦଶହରା ସମୟରେ ଦୋକାନ ପରିବର୍ତ୍ତନ କଲେ ବିକ୍ରିରେ ପ୍ରଭାବ ପଡିବ ବୋଲି କହି ୧୫ଦିନ ସମୟ ମାଗିଥିଲେ। ଏହି ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଦୋକାନୀମାନେ ନବ ନିର୍ମିତ ଉଦ୍ୟୋଗ ବିହାର କୋଠାକୁ ଦୋକାନ ସ୍ଥାନାନ୍ତର କରି ଯାଇନାହାନ୍ତି। ଏ ନେଇ ଦୋକାନୀ ସଂଘ ଅଧ୍ୟକ୍ଷ ରମାକାନ୍ତ ମେହେର କହନ୍ତି, ନବନିର୍ମିତ କୋଠା ନିର୍ମାଣ କାମ ସରିଥିବା ନେଇ ମହାନଗର ନିଗମ ପକ୍ଷରୁ ଆମକୁ ସୂଚନା ଦିଆଯିବା ସହ ଯଥାଶୀଘ୍ର ଦୋକାନ ସ୍ଥାନାନ୍ତର କରିବାକୁ କୁହାଯାଇଛି। ହେଲେ ତଳମହଲା ପାର୍କିଂ ଏରିଆରେ ଏବେ ବି ଆଣ୍ଠୁଏ ପାଣି ଜମୁଛି। ପ୍ରଥମ ମହଲା କାମ ସରିଥିବା ବେଳେ ଉପର ପଟେ ଖୋଲା ରହିଛି। ଏହାଦ୍ୱାରା ଚୋର ପଶି ଚୋରି କରିବା ଆଶଙ୍କା ରହିଛି। ଏହାଛଡା ସ୍ବତନ୍ତ୍ର ଶୌଚାଳୟ ଆଦିର ବ୍ୟବସ୍ଥା କରାଯାଇ ନ ଥିବାରୁ ଦୋକାନୀମାନେ ହଇରାଣ ହେବା ଆଶଙ୍କା ରହିଛି। ଏସବୁ ସମସ୍ୟା ସମାଧାନ ନ ହେଲେ ଦୋକାନୀମାନେ କିଭଳି ଦୋକାନ ସ୍ଥାନାନ୍ତର କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ସମ୍ବଲପୁର ମହାନଗର ନିଗମ କମିଶନର ବେଦଭୁଷଣଙ୍କୁ ପଚାରିବାରୁ ସେ କହିଛନ୍ତି, ତଳ ମହଲାରେ ପାଣି ଜମିଥିବା ଦେଖିଛି। ହେଲେ ସାମ୍‌ନାରେ ଥିବା ପୁରୁଣା ଦୋକାନ ଘର ଭଙ୍ଗା ନ ଗଲେ ଡ୍ରେନ ନିର୍ମାଣ କରାଯାଇ ପାରିବ ନାହିଁ। ସେଥିପାଇଁ ସାମ୍‌ନାରେ ଥିବା ଦୋକାନୀମାନଙ୍କ ସହ ଆଲୋଚନା କରାଯାଇ ସେମାନଙ୍କୁ ନୂଆ କୋଠାକୁ ଦେକାନ ସ୍ଥାନାନ୍ତର କରିବାକୁ ବୁଝାଯାଇଛି। ଦୋକାନୀମାନେ ସ୍ଥାନାନ୍ତର କରିବା ପରେ ଖୁବ୍‌ଶୀଘ୍ର ଡ୍ରେନ୍‌ ନିର୍ମାଣ କରାଯିବ ଓ ତଳ ମହଲାର ପାଣି ସୁବିଧାରେ ନିଷ୍କାସନ ହୋଇପାରିବ। ଏହାଛଡା ସେମାନେ ଜଣାଇଥିବା ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ ମହାନଗର ନିଗମ ଚିନ୍ତା କରୁଛି। ଦୋକାନ ସ୍ଥାନାନ୍ତର ହେବା ପରେ ବାକି ଦୋକାନ ବଣ୍ଟନ କରାଯିବ ବୋଲି କମିଶନର କହିଛନ୍ତି ।