Categories: ବାଣିଜ୍ୟ

ମହଙ୍ଗା ମାଡ଼ ଜାରି

ନୂଆଦିଲ୍ଲୀ, ୧୩ା୧: ଦେଶରେ ମହଙ୍ଗା ମାଡ଼ ଜାରି ରହିଛି। ଖାଉଟିଙ୍କୁ ଦରଦାମ ବୃଦ୍ଧିଜନିତ ବୋଝରୁ ଆଶ୍ୱସ୍ତି ମିଳିପାରୁନାହିଁ। ଖାଦ୍ୟ ସାମଗ୍ରୀରେ ଅହେତୁକ ମୂଲ୍ୟବୃଦ୍ଧି ଯୋଗୁ ଖୁଚୁରା ମୁଦ୍ରାସ୍ଫୀତି ଗତ ନଭେମ୍ବର ତୁଳନାରେ ଡିସେମ୍ବରରେ ଲମ୍ବା ଡିଅଁା ମାରିଛି। ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଦ୍ୱାରା ମପାଯାଉଥିବା ଦେଶର ଖୁଚୁରା ମୁଦ୍ରାସ୍ଫୀତି ୨୦୨୧ ଡିସେମ୍ବରରେ ୫.୫୯% ରହିଛି, ଯାହାକି ଗତ ନଭେମ୍ବରରେ ୪.୯୧%, ଅକ୍ଟୋବରରେ ୪.୪୮% ଏବଂ ସେପ୍ଟେମ୍ବରରେ ୪.୩୫% ରହିଥିଲା। ଏହା ଜୁଲାଇ ୨୦୨୧ ପରଠାରୁ ସବୁଠୁ ଅଧିକ। ଫଳରେ ୨୦୨୧-୨୨ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ (ଅକ୍ଟୋବରରୁ ଡିସେମ୍ବର)ରେ ହାରାହାରି ସିପିଆଇ ମୁଦ୍ରାସ୍ଫୀତି ୫% ରହିଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଏହି ତ୍ରୈମାସିକରେ ସିପିଆଇ ମୁଦ୍ରାସ୍ଫୀତି ୫.୧% ରହିବ ବୋଲି ପୂର୍ବାନୁମାନ କରିଥିଲା।
ପରିସଂଖ୍ୟାନ ଏବଂ କାଯର୍ର୍‌ୟକ୍ରମ କାର୍ଯ୍ୟାନ୍ବୟନ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଉତ୍ପାଦିତ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ମହଙ୍ଗା ବଢ଼ିଛି। ୨୦୨୧ ଡିସେମ୍ବରରେ ଖାଦ୍ୟ ମୁଦ୍ରାସ୍ଫୀତି ୪.୦୫%କୁ ବୃଦ୍ଧି ପାଇଛି। ଗତ ନଭେମ୍ବରରେ ଏହାର ଅଭିବୃଦ୍ଧି ୧.୮୭% ଥିଲା। ୨୦୨୦ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୪.୫୯% ଏବଂ ଖାଦ୍ୟ ମୁଦ୍ରାସ୍ଫୀତି ୩.୪୧% ରହିଥିଲା। ଖାଦ୍ୟଶସ୍ୟ, ଅଣ୍ଡା, ଦୁଗ୍ଧ ଉତ୍ପାଦ ସାମଗ୍ରୀ ଓ ପ୍ରସ୍ତୁତ ଭୋଜନ ମୂଲ୍ୟରେ ବୃଦ୍ଧି ଯୋଗୁ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୫୯% ହୋଇଛି ଏବଂ ଆର୍‌ବିଆଇର ଧାର୍ଯ୍ୟ ମୁଦ୍ରାସ୍ଫୀତି ଲକ୍ଷ୍ୟର ଉଚ୍ଚ ସୀମା (୨%ରୁ ୬%) ନିକଟତର ହୋଇଛି। ସେହିପରି ୩୯ଜଣ ଅର୍ଥଶାସ୍ତ୍ରୀଙ୍କ ମତକୁ ଆଧାର କରି ରୟଟର୍ସ ପକ୍ଷରୁ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୮% ରହିବ ବୋଲି ପୂର୍ବାନୁମାନ କରାଯାଇଥିଲା। ଆର୍‌ବିଆଇ ଦ୍ୱିମାସିକ ମୁଦ୍ରା ନୀତି ସ୍ଥିର କରିବାବେଳେ ମୁଖ୍ୟତଃ ଖାଉଟି ମୂଲ୍ୟ ସୂଚକାଙ୍କ ଉପରେ ଧ୍ୟାନ ଦେଉଛି।
ତେଣୁ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଲକ୍ଷ୍ୟରେ ଆର୍‌ବିଆଇ ଗତମାସ ୮ ତାରିଖରେ ସୁଧହାରକୁ ୪%ରେ ଅପରିବର୍ତ୍ତିତ ରଖିଥିଲା। ଚଳିତ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ(ଜାନୁୟାରୀରୁ ମାର୍ଚ୍ଚ)ରେ ହାରାହାରି ଖୁଚୁରା ମୁଦ୍ରାସ୍ଫୀତି ୫.୭% ହେବ ବୋଲି ଆର୍‌ବିଆଇ ପୂର୍ବାନୁମାନ କରିଛି।
ଅନ୍ୟପକ୍ଷରେ ନଭେମ୍ବର ୨୦୨୧ରେ ଶିଳ୍ପ ଉତ୍ପାଦନ ସୂଚକାଙ୍କ(ଆଇଆଇପି) ଅଭିବୃଦ୍ଧି ୧.୪% ହୋଇଛି। ୨୦୨୦ ନଭେମ୍ବରରେ ଏହି ଅଭିବୃଦ୍ଧି ‘ବିଯୁକ୍ତ ୧.୬%’ ଥିଲା। ଅକ୍ଟୋବରରେ ଆଇଆଇପି ଅଭିବୃଦ୍ଧି ୩.୨% ରହିଥିଲା। ନଭେମ୍ବରରେ ଖଣି କ୍ଷେତ୍ରରେ ଅଭିବୃଦ୍ଧି ୫% ରହିଛି, ଯାହା ପୂର୍ବ ବର୍ଷ ସମାନ ମାସରେ ‘ବିଯୁକ୍ତ ୫.୪%’ ଥିଲା। ସେହିପରି ଗତ ନଭେମ୍ବରରେ ଉତ୍ପାଦନ ସେକ୍ଟରର ଅଭିବୃଦ୍ଧି କେବଳ ୦.୯% ରହିଛି, ଯାହାକି ଗତବର୍ଷ ସମାନ ମାସରେ ଏହା ‘ବିଯୁକ୍ତ ୧.୬%’ ଥିଲ।

 

Share