ଓଡ଼ିଶା ସମେତ ୬ ରାଜ୍ୟରେ ସଂକ୍ରମଣ ସ୍ଥିର

ଭୁବନେଶ୍ୱର, ୧୯।୫(ବ୍ୟୁରୋ):ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଆସାମ, ପଣ୍ଡିଚେରୀ, ପଶ୍ଚିମବଙ୍ଗ ଓ ନାଗାଲାଣ୍ଡ ଆଦି ୬ ରାଜ୍ୟରେ ସଂକ୍ରମଣ ହାର ସ୍ଥିର ରହିଛି କିମ୍ବା ହ୍ରାସ ପାଇବା ଆରମ୍ଭ କରିଛି। ମେ’ ପ୍ରଥମ ସପ୍ତାହରେ ଓଡ଼ିଶାର ହାରାହାରି ସଂକ୍ରମଣ ହାର ୨୪.୪ ପ୍ରତିଶତ ଥିବାବେଳେ ଦ୍ୱିତୀୟ ସପ୍ତାହରେ ତାହା ୨୩.୩ ପ୍ରତିଶତକୁ ହ୍ରାସ ପାଇଛି। ଏବେ ପ୍ରାୟ ୧୮.୨ ପ୍ରତିଶତକୁ ଖସିଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ କହିଛନ୍ତି। ମଙ୍ଗଳବାର ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଓଡ଼ିଶାରେ ଗତ ୨୪ଘଣ୍ଟାରେ ୫୬,୬୮୪ ନମୂନା ପରୀକ୍ଷା ହୋଇଥିଲା। ଏହାର ୧୮.୨ ପ୍ରତିଶତ ଅର୍ଥାତ ୧୦,୩୨୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେପଟେ ପୁଣି ଖୋର୍ଦ୍ଧାରେ ଲମ୍ବ ଡିଆଁ ମାରିଛି କରୋନା। ସୋମବାର ଏହି ଜିଲାରୁ ମୋଟ ୯୦୯ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲା। ୯୭୩ ସହ ଦୈନିକ ସଂକ୍ରମଣର ଶୀର୍ଷରେ ରହିଥିଲା କଟକ। ହେଲେ ମଙ୍ଗଳବାର ପୁଣି ଶୀର୍ଷକୁ ଚାଲିଯାଇଛି ଖୋର୍ଦ୍ଧା। ଏଠାରୁ ସର୍ବାଧିକ ୧,୫୬୬ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୮୧୯, କଟକ ୭୩୧, କଳାହାଣ୍ଡି ୫୯୯, ପୁରୀ ୪୭୨, ଅନୁଗୋଳ ୪୭୧, ମୟୂରଭଞ୍ଜ ୪୫୮, ସମ୍ବଲପୁର ୪୦୫, ଭଦ୍ରକ ୩୫୦, କୋରାପୁଟ ୩୩୮, ନବରଙ୍ଗପୁର ୩୩୪, ଯାଜପୁର ୩୩୦, ବରଗଡ଼ ୩୨୦, ଝାରସୁଗୁଡ଼ା ୩୧୨, ବଲାଙ୍ଗୀର ୨୯୧, ନୟାଗଡ଼ ୨୭୩, ବାଲେଶ୍ୱର ୨୬୯, ବୌଦ୍ଧ ୨୫୦, କେନ୍ଦୁଝର ୨୦୪ ଓ ଗଞ୍ଜାମରୁ ୨୦୩ ଜଣ ଚିହ୍ନଟ ହୋଇଥିବାବେଳେ ବାକିସବୁ ଜିଲାର ସଂକ୍ରମଣ ଏହା ତଳକୁ ରହିଛି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୬,୩୩,୩୦୨ରେ ପହଞ୍ଚତ୍ଛି।
ଅନ୍ୟପକ୍ଷରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା କମିବାରେ ନାଁ ଧରୁନି। ପୁଣି ୨୨ଜଣଙ୍କ ଜୀବନ ନେଇଛି ମହାମାରୀ। ମୃତକଙ୍କ ମଧ୍ୟରେ ୯ଜଣ ମହିଳା ଥିବାବେଳେ ୧୨ଜଣ ପୁରୁଷ ରହିଛନ୍ତି। ଭୁବନେଶ୍ୱର, ସୁନ୍ଦରଗଡ଼, ବୌଦ୍ଧ, କଳାହାଣ୍ଡି ଓ ନୂଆପଡ଼ାରୁ ୩ଜଣ ଲେଖାଏ ଥିବାବେଳେ ରାୟଗଡ଼ା, କୋରାପୁଟ, ଗଜପତିରୁ ୨ଜଣ ଲେଖାଏ ଏବଂ ବଲାଙ୍ଗୀରରୁ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ୨,୩୫୭କୁ ବୃଦ୍ଧି ପାଇଛି।
ସେପଟେ ଓଡ଼ିଶାରେ ଆରୋଗ୍ୟ ହାର ଆଶ୍ୱସ୍ତି ଦେଇଛି। କିଛିଦିନ ହେବ ଦୈନିକ ୧୦ ହଜାରରୁ ଊର୍ଦ୍ଧ୍ୱ ସୁସ୍ଥ ହେଉଥିବାବେଳେ ଗତ ୨୪ଘଣ୍ଟାରେ ଆଉ ୧୦,୨୪୨ଜଣ ଆରୋଗ୍ୟ ଲାଭ କରିଛନ୍ତି। ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧,୪୧୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୫,୩୬,୫୯୫ରେ ପହଞ୍ଚତ୍ଥିବାବେଳେ ୯୪,୨୯୭ଜଣ ସକ୍ରିୟ ରୋଗୀ ରହିଛନ୍ତି।