ହସ୍ପିଟାଲରେ ବଢୁଛି ସଂକ୍ରମଣ

କଟକ ଅଫିସ,୩୦।୬: ରୋଗୀଙ୍କୁ ଆରୋଗ୍ୟ କରୁଥିବା ହସ୍ପିଟାଲରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କେବଳ ରୋଗୀ ନୁହନ୍ତି, କରୋନା ଯୋଦ୍ଧା ମଧ୍ୟ କରୋନା ସଂକ୍ରମଣର ଶିକାର ହେଉଛନ୍ତି। ସୋମବାର ଗୋଟିଏ ଦିନରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରୁ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏସ୍‌ସିବି ନ୍ୟୁରୋ ସର୍ଜରୀ ବିଭାଗ ଇନ୍‌ଡୋରରୁ ଜଣେ, ଆଇସୋଲେଶନ ୱାର୍ଡରୁ ୪ ଜଣ ଓ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରୁ ୬ ଜଣ ରହିଛନ୍ତି।
ସୂଚନା ଅନୁଯାୟୀ, ନ୍ୟୁରୋ ସର୍ଜରୀ ବିଭାଗର ରୋଗୀ ଜଣକ ଅସ୍ତ୍ରୋପଚାର ପାଇଁ କିଛିି ଦିନ ତଳେ ଭର୍ତ୍ତି ହୋଇଥିଲେ। କରୋନାଜନିତ ଲକ୍ଷଣ ଦେଖାଦେବାରୁ ତାଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ସୋମବାର ରିପୋର୍ଟ ପଜିଟିଭ ଆସିଛି। ସେହିପରି ମେଡିସିନ ୱାର୍ଡର ଜଣେ ନିରାପତ୍ତାରକ୍ଷୀଙ୍କ ରିପୋର୍ଟ ଆଇସୋଲେଶନ ୱାର୍ଡରେ ପଜିଟିଭ ଆସିଥିବା ଜଣାପଡ଼ିଛି। ଆଇସୋଲେଶନ ୱାର୍ଡରୁ ଅନ୍ୟ ଜଣେ ଏନ୍‌ଡିଆର୍‌ଏଫ୍‌ ଯବାନଙ୍କ ସମେତ ଦୁଇ ଜଣଙ୍କ ରିପୋର୍ଟ ମଧ୍ୟ ପଜିଟିଭ ବାହାରିଛି। ଏହା ବ୍ୟତୀତ ଏହି ୱାର୍ଡରେ ଜଣେ ୩୮ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି ା କିନ୍ତୁ ଉକ୍ତ ମହିଳାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ସୂଚନା ମିଳିଛି। ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରୁ ଜଣେ ଆଟେଣ୍ଡାଣ୍ଟ ଓ ଆହାର କେନ୍ଦ୍ରର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି।