ଢେଙ୍କାନାଳରେ ବ୍ୟାପିଲା ସଂକ୍ରମଣ

ଢେଙ୍କାନାଳ ଅଫିସ, ୧୯।୧ – ଢେଙ୍କାନାଳରେ କରୋନା ସଂକ୍ରମଣ ଗତି ତୀବ୍ର ହୋଇଛି। ସପ୍ତାହେ ଧରି ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଅଙ୍କରେ ସୀମିତ ରହୁଥିବାବେଳେ ଗତ ୨୪ ଘଣ୍ଟାରେ ୧୫୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ଦ୍ୱିଶତକ ମୁହାଁ ହୋଇଥିବାବେଳେ ସ୍ବାସ୍ଥ୍ୟ ବିଭାଗ ଏବଂ ପ୍ରଶାସନର ଚିନ୍ତା ବଢ଼ିଛି।ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କେବଳ ଢେଙ୍କାନାଳ ପୌରାଞ୍ଚଳର ୮୧ଜଣ ରହିଛନ୍ତି। ସେହିପରି ଓଡ଼ାପଡ଼ା ବ୍ଲକରୁ ୨୫, ଭୁବନ ବ୍ଲକରୁ ୬ ଓ ଏନ୍‌ଏସିରୁ ୩, କାମାକ୍ଷାନଗର ବ୍ଲକରୁ ୩ ଓ ଏନ୍‌ଏସିରୁ ୧, ସଦର ବ୍ଲକରୁ ୧୨, ଗଁଦିଆ ବ୍ଲକରୁ ୯, ହିନ୍ଦୋଳ ବ୍ଲକରୁ ୬, ପରଜଙ୍ଗ ବ୍ଲକରୁ ୭ ଏବଂ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରୁ ୪ ଜଣ ରହିଛନ୍ତି। ମୋଟ୍‌ ୧ ହଜାର ୭୧୮ ଜଣଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିବାବେଳେ ୧୭୫ କରୋନା ସଂକ୍ରମିତ ବାହାରିଛନ୍ତି। ଏହାକୁ ମିଶାଇ ମୋଟ୍‌ ପଜିଟିଭ୍‌ ସଂଖ୍ୟା ୨୦ ହଜାର ୭୧୪ରେ ପହଞ୍ଚିଛି। ସେହିପରି ୩୮ଜଣ ସୁସ୍ଥ ହୋଇଛନ୍ତି। ଏହାପରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୪କୁ ବୃଦ୍ଧି ପାଇଛି। ଅନ୍ୟପଟେ ସହରାଞ୍ଚଳରେ ଏଭଳି ହଠାତ୍‌ ସଂକ୍ରମଣ ବୃଦ୍ଧି ଭୟର ବାତାବରଣ ସୃଷ୍ଟି କରିଛି। ଘରେ ଘରେ ଥଣ୍ଡା, କାଶ ଏବଂ ଜ୍ୱର ଆକ୍ରାନ୍ତ ରୋଗୀ ଅଛନ୍ତି। ଅନେକେ ଭୟରେ ପରୀକ୍ଷଣ କରୁନାହାନ୍ତି। ଫଳରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି।