ଅଯୋଗ୍ୟ ଫେରାଇବେ କାଳିଆ ଟଙ୍କା

ଭୁବନେଶ୍ୱର,୨୫ା୭(ବ୍ୟୁରୋ): କାଳିଆ ଯୋଜନାରେ ଉପକୃତ ହିତାଧିକାରୀଙ୍କ ମଧ୍ୟରୁ ଅଯୋଗ୍ୟଙ୍କୁ ଖୁବ୍‌ଶୀଘ୍ର ବାଦ୍‌ ଦିଆଯିବ। ଯେଉଁ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେବେ ସେମାନଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୬ରୁ ୩୧ ମଧ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦେବା ଲାଗି ପ୍ରକ୍ରିୟା ଆରମ୍ଭ ହେବ। ହିତାଧିକାରୀଙ୍କ ତାଲିକାରେ ୧,୦୬,୬୩୧ ଜଣ ଅଯୋଗ୍ୟ ଥିବା ଜଣାପଡ଼ିଛି। କୃଷି ବିଭାଗ ଚିହ୍ନଟ ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ଆଣିବା ପରେ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ସହାୟତା ଦିଆଯିବ। ଟଙ୍କା ଫେରସ୍ତ କରିବାକୁ ଥିବା ହିତାଧିକାରୀଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଜାରି କରାଯାଇଛି।
ଜିଲା କୃଷି ଅଧିକାରୀଙ୍କ ଦସ୍ତଖତ ଥିବା ଚିଠି ବ୍ଲକ ଓ ପଞ୍ଚାୟତସ୍ତରର ଅଧିକାରୀଙ୍କ ଜରିଆରେ ଅଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ। ଯେଉଁ ଆକାଉଣ୍ଟକୁ ଅର୍ଥ ଫେରସ୍ତ ଆସିବ, ସେହି ଆକାଉଣ୍ଟ ନମ୍ବର ଓ ଆଇଏଫ୍‌ଏସ୍‌ସି କୋଡ୍‌ ଚିଠିରେ ଉଲ୍ଲେଖ ରହିବ। ଏଥିଲାଗି ପୂର୍ବରୁ ସବୁ ଜିଲା କୃଷି ଅଧିକାରୀଙ୍କୁ ଚିଠି କରାଯିବା ସହ କାଳିଆ ଟଙ୍କା ଫେରସ୍ତ ଆଣିବା ପାଇଁ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ପ୍ରସ୍ତୁତ କରିବାକୁ କୁହାଯାଇଛି। ଏନେଇ କୃଷି ସଚିବ ସୌରଭ ଗର୍ଗ କହିଛନ୍ତି ଯେ, ୫୧ଲକ୍ଷ କାଳିଆ ହିତାଧିକାରୀଙ୍କ ମଧ୍ୟରୁ ୯୮ ପ୍ରତିଶତ ହେଉଛନ୍ତି ଯୋଗ୍ୟ। ଆଉ ୨ ପ୍ରତିଶତ ଅର୍ଥାତ୍‌ ୫୦ ହଜାର ହିତାଧିକାରୀ ଅଯୋଗ୍ୟ।
ଏନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଭୋଟ୍‌ ବେଳେ ଯୋଗ୍ୟ, ଅଯୋଗ୍ୟ ନ ଦେଖି ଟଙ୍କା ଦେଲେ। ଯୋଗ୍ୟଙ୍କୁ ନ ଦେଇ ବିଜେଡି ନେତା, କର୍ମୀଙ୍କୁ ଲିଷ୍ଟ ଅନୁସାରେ ଟଙ୍କା ବାଣ୍ଟିଲେ। ଯେଉଁ ଅଫିସର ଏଭଳି ଭୁଲ୍‌ ତାଲିକା କରିବାରେ ସମ୍ପୃକ୍ତ, ଏବେ ସେମାନଙ୍କଠାରୁ ଟଙ୍କା ଅଣାଯାଉ। ଭାଜପା କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି, ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ପାଇଁ କାଳିଆ ଯୋଜନା କରିଥିଲା। ଏବେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ସହ ଅର୍ଥ ଫେରାଇବାକୁ କହି ଚାଷୀଙ୍କ ମନରେ ଭୟ ସୃଷ୍ଟି କରୁଛି ା କୃଷି ବିଭାଗ ରାଜ୍ୟର ୨ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ଅଯୋଗ୍ୟ ହିତାଧିକାରୀ ଦର୍ଶାଇ ନୋଟିସ ଦେବା ସହ ମାସେ ଭିତରେ ଟଙ୍କା ଫେରସ୍ତ ପାଇଁ ନିର୍ଦ୍ଦେଶ ଦେଇଛି। କରୋନା ବେଳେ ସରକାର ଚାଷୀଙ୍କୁ ତଳିତଳାନ୍ତ କରିବାକୁ ଷଡ଼ଯନ୍ତ୍ର କରୁଥିବା ସେ କହିଛନ୍ତି।