ଖୋର୍ଦ୍ଧାରେ ଶିଳ୍ପାଞ୍ଚଳ ଥାନା, କେନ୍ଦୁଝର, ବଡ଼ବିଲରେ ସ୍ଥାପନ ହେବ ଟ୍ରାଫିକ୍‌ ଥାନା: ସୃଷ୍ଟି ହେବ ୪୭ ନୂଆ ପଦବୀ

ଭୁବନେଶ୍ୱର,୨ା୫(ବ୍ୟୁରୋ)-ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟକୁ ଶିଳ୍ପାଞ୍ଚଳ ଥାନାରେ ପରିଣତ କରାଯାଇଛି । ଏଥିପାଇଁ ୨୩ଟି ଅତିରିକ୍ତ ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଅନୁମୋଦନ କରିଛନ୍ତି । ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ଥାନାରେ ସୃଷ୍ଟି ହୋଇଥିବା ୨୩ଟି ନୂତନ ପଦବୀ ମଧ୍ୟରେ ଗୋଟିଏ ଇନ୍ସପେକ୍ଟର, ୬ଟି ସବ୍‌ଇନ୍ସପେକ୍ଟର, ୩ଟି ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର, ୨ଟି ହାବିଲଦାର ଏବଂ ୧୧ଟି କନ୍‌ଷ୍ଟେବଲ ପଦବୀ ରହିଛି ।
ସେହିପରି ରାଜ୍ୟ ସରକାର କେନ୍ଦୁଝର ଓ ବଡ଼ବିଲ ସହରରେ ଦୁଇଟି ଟ୍ରାଫିକ୍‌ ଥାନା ମଧ୍ୟ ସୃଷ୍ଟି କରିଛନ୍ତି । ଏଥିପାଇଁ ୨୪ଟି ନୂତନ ପଦବୀ ମଞ୍ଜୁର କରାଯାଇଛି । ଏ ସମ୍ପର୍କିତ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି। ଏହାଦ୍ୱାରା ଉକ୍ତ ଦୁଇଟି ସହରରେ ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଦୁଇଟି ଟ୍ରାଫିକ୍‌ ପୋଲିସ ଷ୍ଟେଶନ ପାଇଁ ସୃଷ୍ଟି ହୋଇଥିବା ୨୪ଟି ପଦବୀ ମଧ୍ୟରେ ୨ଟି ଇନ୍ସପେକ୍ଟର, ୬ଟି ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର ଓ ୧୬ଟି କନ୍‌ଷ୍ଟେବଲ ପଦବୀ ରହିଛି।