ତିହିଡ଼ି,୧।୬(କାଳନ୍ଦୀ ବେହେରା): ଧାମନଗର ଥାନା ଅନ୍ତର୍ଗତ ଇନ୍ଦ୍ରମଣି ଉଚ୍ଚ ବିଦ୍ୟାପୀଠରେ ଘଟିଥିବା ବଡ଼ଧରଣର ଚୋରି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିଦ୍ୟାଳୟରୁ ଇନଭର୍ଟର, ଦୁଇଟି ବ୍ୟାଟେରୀ, ସିସିଟିଭି କ୍ୟାମେରାର ହାର୍ଡ ଡିସ୍କ, କମ୍ପ୍ୟୁଟର ମନିଟର ସମେତ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ପରେ ପୋଲିସ ତଦନ୍ତକୁ ତ୍ୱରାନ୍ୱିତ କରିଛି।
ପ୍ରଧାନ ଶିକ୍ଷକଙ୍କ କହିବା ଅନୁସାରେ, ଗତ ରାତି ପ୍ରାୟ ୯ଟା ସମୟରେ ପ୍ରଭାତ କୁମାର ଜେନା ସ୍କୁଲ ରାସ୍ତା ଦେଇ ଯାଉଥିବା ବେଳେ ବିଦ୍ୟାଳୟ ଘର ଖୋଲା ଥିବା ଏବଂ ଭିତରେ ଲାଇଟ୍ ଜଳୁଥିବା ଦେଖି ସନ୍ଦେହ କରିଥିଲେ। ସ୍ଥାନୀୟ ଲୋକଙ୍କୁ ଡାକି ଭିତରକୁ ପ୍ରବେଶ କରିବା ପରେ ଚୋରି ହୋଇଥିବା ଜଣାପଡ଼ିଥିଲା। ଘଟଣାର ସବୁଠାରୁ ବଡ଼ ଦିଗ ହେଉଛି ସ୍କୁଲର କୌଣସି ତାଲା ଭଙ୍ଗାଯାଇ ନଥିଲା। ତାଲା ଖୋଲି ସାମଗ୍ରୀ ଚୋରି କରାଯାଇଥିବାରୁ ଘଟଣାକୁ ନେଇ ସନ୍ଦେହ ଆହୁରି ବଢ଼ିଛି। ଚୋରି ଧରାପଡ଼ିବା ପରେ ନାଇଟ୍ ୱାଚମ୍ୟାନ ସନ୍ତୋଷ ଦାସଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ ଓ ଘଟଣାସ୍ଥଳରେ ମଧ୍ୟ ମିଳିନଥିଲେ ।
ପ୍ରଧାନ ଶିକ୍ଷକ ସିଧାସଳଖ ଭାବେ ନାଇଟ୍ ୱାଚମ୍ୟାନ ସନ୍ତୋଷ ଦାସଙ୍କ ଉପରେ ସନ୍ଦେହ ପ୍ରକାଶ କରି ତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି। ଏପରିକି ଏହା ପୂର୍ବରୁ ସ୍କୁଲରୁ ପଙ୍ଖା ଚୋରି ଘଟଣାରେ ମଧ୍ୟ ତାଙ୍କ ନାମ ନେଇ ସନ୍ଦେହ ପ୍ରକାଶ କରାଯାଇଥିବା କହିଛନ୍ତି।
ଅନ୍ୟପଟେ ଅଭିଯୋଗ ପାଇବା ପରେ ଧାମନଗର ପୋଲିସ ନାଇଟ୍ ୱାଚମ୍ୟାନ ସନ୍ତୋଷ ଦାସଙ୍କୁ ଉଠାଇ ଆଣି ପଚରାଉଚରା କରୁଥିବା ସୂଚନା ମିଳିଛି । ତେବେ ଚୋରି ଘଟଣାରେ ତାଙ୍କ ସିଧାସଳଖ ସମ୍ପୃକ୍ତି ରହିଛି କି ନାହିଁ ସେନେଇ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଧିକୃତ ସୂଚନା ମିଳିନାହିଁ। ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।