ଇନ୍ଦୋର ପିଚ୍‌କୁ ନିମ୍ନମାନର ବିବେଚନା କଲା ଆଇସିସି

ଇନ୍ଦୋର, ୩ା୩: ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମ ପିଚ୍‌କୁ ନିମ୍ନମାନର ବିବେଚନା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଏଠାରେ ବର୍ଡର-ଗାଭାସ୍କର ଟ୍ରଫି ତୃତୀୟ ଟେଷ୍ଟ ଖେଳାଯାଇଥିଲା। ଏହି ମ୍ୟାଚ ୩ ଦିନ ଭିତରେ ଶେଷ ହୋଇଯାଇଥିଲା। ଏଥିପାଇଁ ଇନ୍ଦୋର ପିଚ୍‌କୁ ୩ ଡିମେରିଟ୍‌ ପଏଣ୍ଟ ମିଳିଛି।

ଅନ୍ୟପେକ୍ଷ ଆଇସିସି ମ୍ୟାଚ ରେଫରି ଖ୍ରିସ୍‌ ବ୍ରଡ୍‌ ଚିନ୍ତା ପ୍ରକଟ କରିବା ସହ ଉଭୟ ଦଳର ଅଧିନାୟକଙ୍କ ସହ ପରାମର୍ଶ କରି ଆଇସିସି ନିକଟରେ ରିପୋର୍ଟ ଉପସ୍ଥାପନ କରିଥିଲେ। ରିପୋର୍ଟର ଏକ ନକଲ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନିକଟକୁ ପଠାଇ ଦିଆଯାଇଛି। ବିସିସିଆଇ ଚାହିଁଲେ ଏହା ବିରୋଧରେ ୧୪ ଦିନ ମଧ୍ୟରେ ଅପିଲ କରିପାରିବ। ବ୍ରଡ୍‌ କହିଛନ୍ତି, ପିଚ୍‌ ଅତ୍ୟନ୍ତ ଶୁସ୍କ ରହିଥିଲା। ଫଳରେ ବ୍ୟାଟ୍‌ ଓ ବଲ୍‌ ମଧ୍ୟରେ ସନ୍ତୁଳନ ରକ୍ଷା ହୋଇପାରି ନ ଥିଲା।