ମୁମ୍ବାଇ, ୧।୫: ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ହେବାକୁ ପ୍ରସ୍ତୁତ ଅଛନ୍ତି। ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ବିସିସିଆଇ ଏହି ଟୁର ପାଇଁ ପ୍ରାୟ ୩୫ ଜଣ ଖେଳାଳିଙ୍କୁ ଚୟନ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ହାର ପରେ ରୋହିଟଙ୍କ ଅଧିନାୟକ ପଦ ନେଇ କିଛି ଜଳ୍ପନା ଥିଲା, କିନ୍ତୁ ସେ ଅଧିନାୟକ ଭାବେ ରହିବେ ବୋଲି ଆଶା କରାଯାଉଛି।
ରିପୋର୍ଟରେ ଦାବି କରାଯାଇଛି ଯେ ଚୟନକର୍ତ୍ତାମାନେ ଏକ ସ୍ଥିର ମଧ୍ୟମ କ୍ରମ ବ୍ୟାଟ୍ସମ୍ୟାନ ଖୋଜୁଛନ୍ତି ଯିଏ ନମ୍ବର ୫ କିମ୍ବା ୬ରେ ଖେଳିପାରିବ, ଯେଉଁଥିରେ କରୁଣ ନାୟାର ଏବଂ ଦେବଦତ୍ତ ପଡିକ୍କଲ ଶୀର୍ଷ ଦାବିଦାର। ତେବେ, ଶ୍ରେୟସ ଆୟାର ଏବଂ ଅକ୍ଷର ପଟେଲ ବର୍ତ୍ତମାନ ଚୟନକର୍ତ୍ତାଙ୍କ ତାଲିକାରେ ନାହାଁନ୍ତି।
ବିସିସିଆଇ ସୂତ୍ରରୁ କୁହାଯାଇଛି, “ରୋହିତ ସମ୍ଭବତଃ ଟୁରରେ ଯିବେ କାରଣ ବୋର୍ଡ ମନେ କରୁଛି ଯେ ଏକ ଦୃଢ଼ ଅଧିନାୟକ ଆବଶ୍ୟକ, ଯେହେତୁ ଏହି ସିରିଜ ଅଷ୍ଟ୍ରେଲିଆ ଟୁର ପରି କଠିନ ହେବ। ମଧ୍ୟମ କ୍ରମ ନେଇ ଦଳ ପରିଚାଳନା ସରଫରାଜ ଖାନଙ୍କ କ୍ଷମତା ଉପରେ ବହୁତ କମ ଆସ୍ଥା ଦେଖାଇଛି। ନାୟାର ଏବଂ ପାଟିଦାର ଅଭିଜ୍ଞ ରେଡ-ବଲ ଖେଳାଳି ଏବଂ ସେମାନେ ଭଲ ଫର୍ମରେ ଅଛନ୍ତି। ସମ୍ଭବତଃ ସେମାନଙ୍କ ମଧ୍ୟରୁ ଜଣେ ଭାରତ ‘ଏ’ ଦଳରେ ରହିବେ। ଆୟାରଙ୍କ କ୍ଷେତ୍ରରେ, ଗତ ବର୍ଷ ତାଙ୍କ ଖରାପ ଟେଷ୍ଟ ପ୍ରଦର୍ଶନ ଯୋଗୁଁ ତାଙ୍କୁ ବାଦ ଦିଆଯାଇଥିଲା। ଚୂଡ଼ାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇନାହିଁ।” ସାଇ ସୁଦର୍ଶନଙ୍କୁ ମଧ୍ୟ ଏହି ସିରିଜ ପାଇଁ ବ୍ୟାକ-ଅପ ଓପନର ଭାବେ ବିବେଚନା କରାଯାଉଛି। ତେବେ, ଯଦି ସେ ମୁଖ୍ୟ ଦଳରେ ସ୍ଥାନ ପାଇବେ ନାହିଁ, ତେବେ ସେ ନିଶ୍ଚିତ ଭାବେ ଭାରତ ‘ଏ’ ଦଳରେ ରହିବେ।
ଚୟନ ତାଲିକାରେ ଅନ୍ୟ ଏକ ପ୍ରମୁଖ ନାମ ହେଉଛି ସ୍ପିନର କୁଲଦୀପ ଯାଦବ। ବିଦେଶୀ ଟେଷ୍ଟ ସିରିଜରେ କୁଲଦୀପ ପ୍ରାୟତଃ ଅବହେଳିତ ହୋଇଛନ୍ତି। ତେବେ, ଅଷ୍ଟ୍ରେଲିଆ ସିରିଜ ମଝିରେ ଆର ଅଶ୍ୱିନଙ୍କ ଅବସର ପରେ, ତାଙ୍କୁ ଭାରତୀୟ କ୍ରିକେଟ ଦଳ ପାଇଁ ଆକ୍ରମଣାତ୍ମକ ସ୍ପିନ ବିକଳ୍ପ ଭାବେ ବିବେଚନା କରାଯାଉଛି।
ପେସ ଆକ୍ରମଣ ନେଇ କହିବାକୁ ଗଲେ, ମହମ୍ମଦ ଶାମୀ ଏବଂ ଜସପ୍ରୀତ ବୁମରାଙ୍କୁ ନିଶ୍ଚିତ ଭାବେ ଅନ୍ତର୍ଭୁକ୍ତ କରାଯିବ, କିନ୍ତୁ ଚୟନକର୍ତ୍ତାମାନେ ମହମ୍ମଦ ସିରାଜଙ୍କ ଅସ୍ଥିର ପ୍ରଦର୍ଶନ ନେଇ ଚିନ୍ତିତ ଅଛନ୍ତି।


