ଏଆଇ ଯୋଗାଣ ଶୃଙ୍ଖଳ ସୁରକ୍ଷା ଘୋଷଣାନାମାରେ ଭାରତର ସ୍ବାକ୍ଷର

ଓ୍ବାଶିଂଟନ,୧୭ା୧୧(ପି.ଟି.): ନୂତନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଚାଇନା ସହ ବଢ଼ୁଥିବା ପ୍ରତିଦ୍ୱନ୍ଦ୍ୱିତାକୁ ଦୃଷ୍ଟିରେ ରଖି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସମ୍ବନ୍ଧୀୟ ସାମଗ୍ରୀ ଓ ବ୍ୟବସ୍ଥାର ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ ରଖିବାକୁ ଏକ ସାମୂହିକ ଦାୟିତ୍ୱ ଭାବେ ବିବେଚନା କରିବାକୁ ଏକ ଘୋଷଣାନାମାରେ ଭାରତ, ଆମେରିକା ଓ ଅନ୍ୟ ୮ଟି ଦେଶ ସ୍ବାକ୍ଷର କରିଛନ୍ତି। ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପର ପ୍ରତିଷ୍ଠାତାମାନଙ୍କ ବୈଠକରେ ଉକ୍ତ ସାନ୍‌ ଫ୍ରାନ୍ସିସ୍କୋ ଘୋଷଣାନାମା ସ୍ବାକ୍ଷରିତ ହୋଇଛି। ଆମେରିକା ଆର୍ଥତ୍କ ବ୍ୟାପାର ଉପସଚିବ ଜାକୋବ ହେଲବର୍ଗ ରବିବାର ଏହି ବୈଠକ ଡାକିଥିଲେ। ଆମେରିକା, ଅଷ୍ଟ୍ରେଲିଆ, ଭାରତ, ଇସ୍ରାଏଲ୍‌, ଜାପାନ, ଦକ୍ଷିଣ କୋରିଆ, କାତାର, ସିଙ୍ଗାପୁର, ୟୁନାଇଟେଡ୍‌ ଆରବ ଏମିରେଟ୍ସ ଏବଂ ବ୍ରିଟେନ୍‌ ସରକାର ଏହି ଘୋଷଣାନାମା ପ୍ରକାଶ କରିଛନ୍ତି।
ଉତ୍ପାଦନ ପାଇଁ ସିଲିକନ୍‌ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଖଣିଜର ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ କରିବା ଏବଂ ଏହା ମାଧ୍ୟମରେ କୃତ୍ରିମ ବୁଦ୍ଧିମତ୍ତା ଓ ଅନ୍ୟାନ୍ୟ ଅତ୍ୟାଧୁନିକ ପ୍ରଯୁକ୍ତି ଶିଳ୍ପର ସୁରକ୍ଷା ପାଇଁ ଗତବର୍ଷ ଡିସେମ୍ବରରେ ଆମେରିକା ପାକ୍ସ ସିଲିକା ଇନିସିଏଟିଭ୍‌ ଘୋଷଣା କରିଥିଲା। ରବିବାର ଜାରି ଘୋଷଣାନାମାରେ ଏହା ସ୍ପଷ୍ଟ କରାଯାଇଛି ଯେ ଜାତୀୟ ସୁରକ୍ଷା ପାଇଁ ଅର୍ଥନୈତିକ ସୁରକ୍ଷା ହେଉଛି ମୂଳ। ଏହା ସମ୍ବେଦନଶୀଳ ପ୍ରଯୁକ୍ତିବିଦ୍ୟା ଓ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ଅଂଶଗ୍ରହଣକାରୀଙ୍କ ସାମୂହିକ ବୁଝାମଣାକୁ ସ୍ଥିର କରେ, ଯାହା ସୁପର ଇଣ୍ଟେଲିଜେନ୍ସ ଯୋଗାଣ ଶୃଙ୍ଖଳର ମୂଳଦୁଆ। ସେଗୁଡ଼ିକର ସୁରକ୍ଷା ଏକ ମିଳିତ ପ୍ରୟାସ ବୋଲି ଆମେରିକା ପରରାଷ୍ଟ୍ର ବିଭାଗ କହିଛି।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ଏକ୍‌ଜିକ୍ୟୁଟିଭ୍‌ ଅର୍ଡରେ ସ୍ବାକ୍ଷର କରିବା ପରେ ଆମେରିକାରେ ଆର୍ଟିଫିସିଆଲ ଇଣ୍ଡେଲିଜେନ୍ସ ନାମକୁ ସୁପର ଇଣ୍ଟେଲିଜେନ୍ସ (ଏସ୍‌ଆଇ)ରେ ପରିବର୍ତ୍ତନ କରାଯାଇଥିଲା। କୌଣସି ଦେଶ ଏକାକୀ ଏସ୍‌ଆଇ ଯୁଗର ମୂଳଦୁଆକୁ ସୁରକ୍ଷିତ କରିପାରିବ ନାହିଁ। ଏସ୍‌ଆଇ ଯେଉଁ ସମୃଦ୍ଧିକୁ ସମ୍ଭବ କରିଥାଏ ତାହା କେବଳ ସେତିକି ସ୍ଥାୟୀ ହେବ, ତାହା ତଳେ ଥିବା ଯୋଗାଣ ଶୃଙ୍ଖଳ ଏବଂ ଭିତ୍ତିଭୂମି ଯେତିକି ସ୍ଥାୟୀ ହେବ ବୋଲି ଏକ ବିବୃତିରେ କୁହାଯାଇଛି।

Dharitri – Odisha’s No.1 Odia Daily

Share