ବିମ୍‌ଷ୍ଟେକ୍‌ ବୈଠକରେ ଭାରତର ବାର୍ତ୍ତା

ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌ରେ ଶେଷ ହୋଇଛି ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆ ରାଷ୍ଟ୍ର ସମୂହ ସଙ୍ଗଠନ ବିମ୍‌ଷ୍ଟେକ୍‌ର ଷଷ୍ଠ ବୈଠକ। ବିମ୍‌ଷ୍ଟେକ୍‌ ହେଉଛି ବେ ଅଫ୍‌ ବେଙ୍ଗଲ ଇନିସିଏଟିଭ୍‌ ଫର ମଲ୍ଟି ସେକ୍ଟରାଲ ଟେକ୍‌ନିକାଲ ଆଣ୍ଡ ଇକୋନୋମିକ କୋଅପରେଶନ। ବୈଠକରେ ଭାରତ, ଥାଇଲାଣ୍ଡ, ମ୍ୟାନ୍‌ମାର, ବାଂଲାଦେଶ, ଶ୍ରୀଲଙ୍କା, ନେପାଳ, ଭୁଟାନ୍‌ର ପ୍ରତିନିଧିମାନେ ଯୋଗ ଦେଇ ପ୍ରମୁଖ ଆଞ୍ଚଳିକ ସହଯୋଗ, ଅର୍ଥନୈତିକ ଅଭିବୃଦ୍ଧି, ଯୋଗାଯୋଗ, ଜ୍ଞାନକୌଶଳର ଆଦାନପ୍ରଦାନ ଓ ସାମଗ୍ରିକ ବିକାଶ ନେଇ ମାନସ ମନ୍ଥନ କରିଥିଲେ। ବ୍ୟାଙ୍କକ୍‌ର ଏହି ବୈଠକରେ ୨୦୩୦ ପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ ହୋଇଛି। ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରୁ ନେପାଳ ଓ ଭୁଟାନ୍‌କୁ ଛାଡ଼ି ଅନ୍ୟ ରାଷ୍ଟ୍ରଗୁଡ଼ିକ ବଙ୍ଗୋପସାଗରତଟୀୟ ଦେଶ। ତେଣୁ ସମୁଦ୍ର ସୁରକ୍ଷା କ୍ଷେତ୍ରରେ ସହଯୋଗ ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଛି। ବିମ୍‌ଷ୍ଟେକ୍‌କୁ ଦକ୍ଷିଣ ଏସିଆ ଓ ଦକ୍ଷିଣ-ପୂର୍ବ ଏସିଆର ପ୍ରମୁଖ ସମ୍ପର୍କର ସେତୁ ବୋଲି କୁହାଯାଉଛି। ଏହି ସଙ୍ଗଠନ ୧୯୯୭ରେ ଗଠନ ହୋଇଥିବା ବେଳେ ପ୍ରଥମେ ୪ଟି ଦେଶ ସଦସ୍ୟ ଥିଲେ। ଏମାନଙ୍କ ମଧ୍ୟରେ ବାଂଲାଦେଶ, ଭାରତ, ଶ୍ରୀଲଙ୍କା ଓ ଥାଇଲାଣ୍ଡ ହେଉଛନ୍ତି ପ୍ରତିଷ୍ଠାତା ସଦସ୍ୟ, ଯାହାକୁ ପ୍ରଥମେ BIST-EC ବୋଲି କୁହାଯାଉଥିଲା। ୨୦୦୪ରେ ଭୁଟାନ୍‌ ଓ ନେପାଳ ସଙ୍ଗଠନରେ ଯୋଡ଼ି ହେବା ପରେ ଏହା BIMSTEC ନଁାରେ ପରିଚିତ ହେଲା। ତେବେ ଭୁଟାନ୍‌ ଓ ନେପାଳ ଯଦିଓ ବଙ୍ଗୋପସାଗରତଟୀୟ ଦେଶ ନୁହନ୍ତି, କିନ୍ତୁ ଏହି ଦୁଇ ଦେଶ ଜଳ ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହି ଆସିଛନ୍ତି।
୨୦୨୩ ତଥ୍ୟ କହୁଛି, ଏହିସବୁ ଦେଶର ମିଳିତ ଜାତୀୟ ଅଭିବୃଦ୍ଧି ୫.୨ ଟ୍ରିଲିୟନ ଡଲାର ରହିଛି। ବିମ୍‌ଷ୍ଟେକ୍‌କୁ ସାର୍କ ସଙ୍ଗଠନର ବିକଳ୍ପ ବୋଲି କୁହାଯାଉଛି। କାରଣ ୨୦୧୪ରେ ନେପାଳରେ ଆୟୋଜିତ ସାର୍କ ବୈଠକର ବିଫଳତା ପରେ ଏସିଆ ମହାଦେଶରେ ବିମ୍‌ଷ୍ଟେକ୍‌ର ଗୁରୁତ୍ୱ ବଢ଼ାଇଛି। ବିମ୍‌ଷ୍ଟେକ୍‌ରେ ସବୁଠାରୁ ଶକ୍ତିଶାଳୀ ଦେଶ ହେଉଛି ଭାରତ। ୨୦୧୪ ପରେ ଏହି ସଙ୍ଗଠନରେ ଭାରତର ଗୁରୁତ୍ୱ ବଢ଼ିବା ସହ ଭାରତର ଲୁକ୍‌ ଇଷ୍ଟ୍‌ ଆକ୍ଟ ଆଭିମୁଖ୍ୟକୁ ଆକ୍ଟ ଇଷ୍ଟ୍‌ ପଲିସିରେ ରୂପାନ୍ତର କରିବାରେ ଏହା ସହାୟକ ହୋଇଛି। ୮୦% ତୈଳ କାରବାର ଏବଂ ୪୦% ବିଶ୍ୱ ବାଣିଜ୍ୟ ଭାରତ ମହାସାଗର ଦେଇ ହେଉଥିବା ବେଳେ ଭାରତ ପାଇଁ ବଙ୍ଗୋପସାଗର ଓ ଏହାର ପାଶର୍‌ବବର୍ତ୍ତୀ ଦେଶ ୍‌ ଗୁରୁତ୍ୱପୂର୍ଣ୍ଣ। ଏହା ସହ ଏସିଆ ମହାଦେଶରେ ଆମର ପ୍ରତିଦ୍ବନ୍ଦ୍ୱୀ ହେଉଛି ଚାଇନା। ଚାଇନା ପାକିସ୍ତାନକୁ ହାତ କରି ବେଲ୍ଟ ଆଣ୍ଡ୍‌ ରୋଡ୍‌ ଆଭିମୁଖ୍ୟ ଜରିଆରେ ଏହି ଅଞ୍ଚଳରେ ନିଜର ବିସ୍ତାରବାଦ ନୀତିକୁ ବଢ଼ାଇବାକୁ ଚାହୁଁଥିବା ବେଳେ ଏହାକୁ ରୋକିବାକୁ ଭାରତ ପାଇଁ ବିମ୍‌ଷ୍ଟେକ୍‌ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଜରୁରୀ। ଅପରପକ୍ଷେ ଭାରତ ବିମ୍‌ଷ୍ଟେକ୍‌ ରାଷ୍ଟ୍ରଙ୍କ ସହଯୋଗକୁ ପାଥେୟ କରି ଭାରତ-ମ୍ୟାନ୍‌ମାର-ଥାଇଲାଣ୍ଡ ହାଇୱେ, ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ) ପାଇଁ ପ୍ରୟାସ, ମେକାଙ୍ଗ-ଗଙ୍ଗା ସହଯୋଗ, ପ୍ରତିରକ୍ଷା ଓ ନୌସୁରକ୍ଷା ସହଯୋଗକୁ ଆଗକୁ ନେବାରେ ପ୍ରୟାସ ଜାରି ରଖିଛି।
ବ୍ୟାଙ୍କକ୍‌ର ବିମ୍‌ଷ୍ଟେକ୍‌ ବୈଠକ ତାଳେତାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଦ୍ବିପାକ୍ଷିକ ବୈଠକରେ ବିଭିନ୍ନ ସହଯୋଗ ନେଇ ଆଲୋଚନା କରିଥିଲେ। ୨୦୨୪ରେ ବାଂଲାଦେଶରେ ଅସ୍ଥିରତା ଓ ପ୍ରଧାନମନ୍ତ୍ରୀ ସେଖ୍‌ ହାସିନାଙ୍କ ଗାଦିଚ୍ୟୁତ ପରେ ଭାରତ-ବାଂଲାଦେଶ ସମ୍ପର୍କରେ ଭଟ୍ଟା ପଡ଼ିଛି। ଏଭଳି ସ୍ଥିତିରେ ବାଂଲାଦେଶ ମଧ୍ୟବର୍ତ୍ତୀ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍‌ଙ୍କୁ ବ୍ୟାଙ୍କକ୍‌ରେ ଭେଟିଥିଲେ ପ୍ରଧାନମନ୍ତ୍ରୀ ମୋଦି। ବିଶେଷକରି ବାଂଲାଦେଶରେ ସାଧାରଣ ନିର୍ବାଚନ କରିବା, ବାଂଲାଦେଶୀ ଅନୁପ୍ରବେଶ ଉପରେ ରୋକ ଲଗାଇବା, ଭାରତ ବିରୋଧରେ ଅର୍ଥହୀନ ମନ୍ତବ୍ୟ ନ ଦେବାକୁ ୟୁନୁସ୍‌ଙ୍କୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା, ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବନ୍ଦ କରିବାକୁ ମୋଦି କହିଥିଲେ। ନିକଟରେ ୟୁନୁସ୍‌ ଚାଇନା ଗସ୍ତ ବେଳେ ଭାରତ ବିରୋଧୀ ମନ୍ତବ୍ୟ ରଖିଥିବାରୁ ୟୁନୁସ୍‌ଙ୍କ ପ୍ରତି ଭାରତର ଆଭିମୁଖ୍ୟ ନକାରାତ୍ମକ ରହିଛି। ଏହାସହ ଭାରତକୁ ଚ୍ୟାଲେଞ୍ଜ ଦେବା ଅବସରରେ ବାଂଲାଦେଶରେ ଚାଇନା ବିପୁଳ ପୁଞ୍ଜି ନିବେଶ ପାଇଁ ଚାଇନା ରାଷ୍ଟ୍ରପତିଙ୍କ ସହ ସାକ୍ଷାତ୍‌ ବେଳେ ପ୍ରସ୍ତାବ ଦେଇଥିଲେ ୟୁନୁସ୍‌। ଗତ ବର୍ଷ ଅଗଷ୍ଟରେ ବାଂଲାଦେଶରେ ହିଂସା ଓ ସରକାର ବଦଳିବା ପରେ ଏହା ମୋଦି ଓ ୟୁନୁସ୍‌ଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ୍‌ ଥିଲା। ସେପଟେ ମୋଦିଙ୍କ ଥାଇଲାଣ୍ଡ ଗସ୍ତ ଅବସରରେ ଭାରତ ଥାଇଲାଣ୍ଡ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ମଜଭୁତ ନେଇ ଆଲୋଚନା ହୋଇଛି। ବିଶେଷକରି ଭାରତର ଉତ୍ତର-ପୂର୍ବ ରାଜ୍ୟ ସହ ଥାଇଲାଣ୍ଡ ପର୍ଯ୍ୟଟନକୁ ଯୋଡ଼ିବା, ସଂସ୍କୃତି ଓ ଶିକ୍ଷା କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା ହୋଇଛି। ଭାରତ-ଥାଇଲାଣ୍ଡ ମଧ୍ୟରେ ୧.୩୭ ଲକ୍ଷ କୋଟିର ବ୍ୟବସାୟିକ ସମ୍ପର୍କ ରହିଛି। ଆଗକୁ ଏମ୍‌ଏସ୍‌ଏମ୍‌ଇ, ହ୍ୟାଣ୍ଡଲୁମ୍‌, ହସ୍ତତନ୍ତ କ୍ଷେତ୍ରରେ ସହଯୋଗ ସହ ଅକ୍ଷୟ ଶକ୍ତି, ଡିଜିଟାଲ ଜ୍ଞାନକୌଶଳ, ବୈଦ୍ୟୁତିକ ଯାନ, ରୋବଟିକ୍ସ, ବାୟୋଟେକ୍ନୋଲୋଜି ଏବଂ ଷ୍ଟାର୍ଟଅପ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା ହୋଇଛି। ଭାରତ ଥାଇ ପର୍ଯ୍ୟଟକଙ୍କ ପାଇଁ ଇ-ଭିଜା ଦେବା ଆରମ୍ଭ କରିଛି। ଭାରତ ଲୁକ୍‌ ଇଷ୍ଟ୍‌ ପଲିସିକୁ ଗୁରୁତ୍ୱ ଦେଉଥିବା ବେଳେ ଥାଇଲାଣ୍ଡର ମଧ୍ୟ ବିଶେଷ ଯୋଗଦାନ ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଥାଇ ପ୍ରଧାନମନ୍ତ୍ରୀର ଯୁବା ପ୍ରଧାନମନ୍ତ୍ରୀ ପି. ସିନେୱାର୍ତ୍ତାଙ୍କୁ ତ୍ରିପିଟକ ଭେଟି ଦେଇଥିଲେ। ଗୁଜରାଟ ଆରାବଳି ପର୍ବତରୁ ୧୯୬୦ରେ ମିଳିଥିବା ବୁଦ୍ଧଙ୍କ ପବିତ୍ର ଅବଶେଷ ଆଗାମୀ ବର୍ଷ ଥାଇଲାଣ୍ଡ ପଠାଯିବ ବୋଲି ପ୍ରଧାନମନ୍ତ୍ରୀ ଥାଇବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ତୃତୀୟ ଥାଇଲାଣ୍ଡ ଗସ୍ତ।
ଏସିଆ ମହାଦେଶରେ ଭାରତ ସମସ୍ତ ରାଷ୍ଟ୍ରଙ୍କ ସହ ବ୍ୟବସାୟିକ ସମ୍ପର୍କ, ଦ୍ବିପାକ୍ଷିକ ସମ୍ପର୍କରେ ଘନିଷ୍ଠତା ବଢ଼ାଇବା ଲକ୍ଷ୍ୟରେ ରହୁଥିବା ବେଳେ ଚାଇନା, ପାକିସ୍ତାନ ସବୁବେଳେ ଭାରତ ବିରୋଧୀ ଆଭିମୁଖ୍ୟକୁ ପ୍ରୋତ୍ସାହନ ଦେଉଥିବାରୁ ସାମଗ୍ରିକ ଏସିଆର ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେଇଛି।
ବାଲିପନ୍ତାଳ, ନଗର, ଅସ୍ତରଙ୍ଗ, ପୁରୀ
ମୋ: ୯୭୭୮୬୯୭୦୩୬


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri