Categories: ବାଣିଜ୍ୟ

ଭାରତର ଅଭିବୃଦ୍ଧି ୬.୩% ଆକଳନ

ନୂଆଦିଲ୍ଲୀ,୫।୪: ଗତ କିଛି ମାସ ହେବ ସାରା ବିଶ୍ୱରେ ମାନ୍ଦାବସ୍ଥା ଜାରି ରହିଛି। ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଏବଂ ଭୌଗୋଳିକ ସ୍ଥିତ ଯୋଗୁ ଚଳିତ ଆର୍ଥକ ବର୍ଷରେ ଭାରତର ଅଭିବୃଦ୍ଧି ହାର ପୂର୍ବାପେକ୍ଷା ବୃଦ୍ଧିହେବ ବୋଲି ମଙ୍ଗଳବାର ବିଶ୍ବ ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି। ଏପରିକି ବିଶ୍ବ ବ୍ୟାଙ୍କର ସଦ୍ୟ ପ୍ରକାଶିତ ରିପୋର୍ଟରେ ଏ ନେଇ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ସେହିଭଳି ଚଳିତ ଆର୍ଥିକ ବର୍ଷରେ ଭାରତର ଗ୍ରସ୍‌ ଡୋମୋଷ୍ଟିକ ପ୍ରଡକ୍ଟ(ଜିଡିପି)ର ପରିମାଣ କମିବ ବୋଲି ବିଶ୍ବ ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ଜିଡିପି ହାର ୬.୩% ରେ ରହିବ ବୋଲି ଆକଳନ କରାଯାଉଛି।

ଏହା ପୂର୍ବରୁ ବିଶ୍ବ ବ୍ୟାଙ୍କ ଏକ ରିପୋର୍ଟରେ ଉଲ୍ଲେଖ କରିଥିବା ଆକଳନଠାରୁ ପ୍ରାୟ .୩% କମ୍‌ ରହିବ ବୋଲି ଉକ୍ତ ରିର୍ପୋଟରେ ଉଲ୍ଲେଖ କରାଯାଇଛି। ସେହିପରି ବିଶ୍ବ ବ୍ୟାଙ୍କ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ୬.୬% ରହିବା ନେଇ ପୂର୍ବରୁ ଆକଳନ କରିଥିଲା। ହେଲେ ବ୍ୟାଙ୍କର ସଦ୍ୟ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନର ସ୍ଥିତି ଓ ଆୟରେ ହ୍ରାସ କାରଣରୁ ଲୋକଙ୍କ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବାରେ ଲାଗିଛି, ଯାହାର ଏକ ନକାରତ୍ମକ ପ୍ରଭାବ ଦେଶର ଜିଡିପି ହାର ଉପରେ ପଡ଼ିବ ବୋଲି ଆଶା କରାଯାଉଛି।

ଏହାବ୍ୟତୀତ ସଦ୍ୟ ରିପୋର୍ଟରେ ଭାରତର ମୁଦ୍ରାସ୍ଫୀତି ହାର ୬.୬% ରୁ ଖସି ୫.୨% ରେ ରହିବା ନେଇ ମଧ୍ୟ ଆକଳନରେ ଉଲ୍ଲେଖ କରାଯାଇଛି। ଅପରପକ୍ଷରେ ଦେଶର ବିତ୍ତୀୟ ନିଅଣ୍ଟ ୨.୧% ରହିବା ନେଇ ବିଶ୍ବ ବ୍ୟାଙ୍କ ପୂର୍ବାନୁମାନ କରିଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ, ଦେଶର ଆଇଟି,କନ୍‌ସଲ୍ଟିଂ ଓ ଗବେଷଣା ଭଳି ସେବା କ୍ଷେତ୍ର ଭାରତୀୟ ଅର୍ଥ ବ୍ୟବସ୍ଥା ପାଇଁ ଢାଲ ଭଳି କାମ କରୁଛି। କାରଣ ୨୦୨୨-୨୩ ଆର୍ଥିକ ବର୍ଷର ଅକ୍ଟୋବରରୁ ଡିସେମ୍ବର ତ୍ରୈମାସିକ ମଧ୍ୟରେ ସେବା କ୍ଷେତ୍ର ରେକର୍ଡ ସ୍ତରରେ ପହଞ୍ଚତ୍ଥିଲା।

ଏପରିକି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଆକଳନ ଅନୁଯାୟୀ ୨୦୨୨ ଡିସେମ୍ବରରେ ଦେଶର ବିଭିନ୍ନ ସେବା କ୍ଷେତ୍ରରେ ୨୪.୫% ବୃଦ୍ଧି ହୋଇଥିଲା। ବିଶେଷକରି ଗତ ବର୍ଷର ୩ୟ ତ୍ରୈମାସିକରେ ସେବା କ୍ଷେତ୍ର ୮୩.୪ ବିଲିୟନ ଡଲାରର ରେକର୍ଡ ସ୍ତରରେ ପହଞ୍ଚିଥିଲା।

Share