ଭାରତର ପ୍ରଥମ ବକ୍ସାଇଟ ସିଆର୍‌ଏମ୍‌ ଲୋକାର୍ପିତ

ଭୁବନେଶ୍ୱର,୨୬।୩: ଭାବା ଆଟମିକ ରିସର୍ଚ୍ଚ ସେଣ୍ଟର (ବିଏଆର୍‌ସି) ଏବଂ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌(ନାଲ୍‌କୋ)ର ମିଳିତ ସହଯୋଗରେ ଭାରତର ପ୍ରଥମ ବକ୍ସାଇଟ ସିଆର୍‌ଏମ୍‌ (ସାର୍ଟିଫାଏଡ୍‌ ରେଫରେନ୍ସ ମ୍ୟାଟେରିଆଲ) ‘ବିଏଆର୍‌ସି ବି୧୨୦୧’ର ପ୍ରସ୍ତୁତ କରାଯାଇଛି। ଏପରିକି ଏହା ବିଶ୍ୱର ୫ମ ଏବଂ ଭାରତରେ ବିକଶିତ ପ୍ରଥମ ସିଆର୍‌ଏମ୍‌ ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ ଉଭୟ ସଂସ୍ଥା ପକ୍ଷରୁ ଶନିବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷକରି ନାଲ୍‌କୋର ଭୁବନେଶ୍ୱରସ୍ଥିତ ନାଲ୍‌କୋ ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ରଠାରେ ଭାରତର ପ୍ରଥମ ବକ୍ସାଇଟ ସିଆର୍‌ଏମ୍‌ ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ ନାଲ୍‌କୋର ପ୍ରକଳ୍ପ ଓ ବୈଷୟିକ ନିର୍ଦ୍ଦେଶକ ମନସା ପ୍ରସାଦ ମିଶ୍ର ଏବଂ ବିଏଆର୍‌ସି ଅନ୍ତର୍ଗତ ରାଷ୍ଟ୍ରୀୟ ପଦାର୍ଥ ସଂରଚନା ଅଭିଲକ୍ଷଣ କେନ୍ଦ୍ରର ମୁଖ୍ୟ ଡ. ଏ.ସି. ସହାୟମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଲୋକାର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଭୟ ଅନୁଷ୍ଠାନର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର କହିଥିଲେ, ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ରର ମିଳିତ ସହଯୋଗରେ ଏଭଳି ଏକ ନୂତନ ଉତ୍ପାଦର ବିକାଶ କରାଯାଇପାରିଛି। ବିଶେଷକରି ଆମର ଗବେଷଣାରତ ଲାବ୍‌ଗୁଡ଼ିକ ପାଇଁ ଆବଶ୍ୟକ ହେଉଥିବା ଏଭଳି ଅଭିନବ ଉତ୍ପାଦଟି ପ୍ରସ୍ତୁତ କରାଯାଇପାରିଛି। ସେହିଭଳି ଉକ୍ତ ସଫଳତା ଗବେଷକମାନଙ୍କୁ ଆଗାମୀ ଦିନରେ ପ୍ରେରଣା ଯୋଗାଇବା ସହ ଆତ୍ମନିର୍ଭର ଭାରତର ସ୍ବପ୍ନ ଓ ମେକ୍‌ ଇନ୍‌ ଇଣ୍ଡିଆକୁ ସଫଳ କରାଇବା ଦିଗରେ ବେଶ୍‌ ସହାୟକ ହେବ। ଉଲ୍ଲେଖଯୋଗ୍ୟ, ଏହି ନୂତନ ଉତ୍ପାଦଟିକୁ ବିଭିନ୍ନ ଉଦ୍ୟୋଗ,ରିସର୍ଚ୍ଚ ଲାବ୍‌ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜର ପ୍ରୟୋଗାତ୍ମକ ଓ ବିଶ୍ଲେଷଣାତ୍ମକ କାର୍ଯ୍ୟ, ଉପକରଣଗୁଡି଼କର କାର୍ଯ୍ୟଦକ୍ଷତା ସହ ବକ୍ସାଇଟ୍‌ର ନିୟମିତ ବିଶ୍ଲେଷଣଜନିତ ତଥ୍ୟର ମାନ ନିୟନ୍ତ୍ରଣ ନିମନ୍ତେ ବ୍ୟବହାର କରିପାରିବେ।