ନୂଆଦିଲ୍ଲୀ,୧୨।୧:୨୦୨୫ ବର୍ଷରେ ଭାରତର ଅର୍ଥନୀତି ସାମାନ୍ୟ ଦୁର୍ବଳ ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍)ର ପରିଚାଳନା ନିର୍ଦ୍ଦେଶକା କ୍ରିଷ୍ଟାଲିନା ଜିଓର୍ଜିଏଭା ଆଶଙ୍କା ବ୍ୟକ୍ତ କରିଛନ୍ତି। ମୁଖ୍ୟତଃ ଆମେରିକାର ବାଣିଜ୍ୟ ନୀତି ସମେତ ଚଳିତ ବର୍ଷ ବିଶ୍ୱରେ ବିଭିନ୍ନ ଅନିଶ୍ଚିତତା ଲାଗିରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ପୂର୍ବରୁ ଆମେ ଯାହା ଆଶା କରୁଥିଲୁ, ତାହା ତୁଳନାରେ ଆମେରିକା କିଛିଟା ଭଲ ପ୍ରଦର୍ଶନ କରିବ, ୟୁରୋପୀୟ ସଂଘ (ଇୟୁ) କୌଣସି ପ୍ରକାରେ ପରିସ୍ଥିତିକୁ ଏଡ଼ାଇଯିବା ସମ୍ଭାବନା ଥିବାବେଳେ ଭାରତ ସାମାନ୍ୟ ଦୁର୍ବଳ ହେବ ବୋଲି ଜିଓର୍ଜିଏଭା କହିଛନ୍ତି। ଆଇଏମ୍ଏଫ୍ ଏମ୍ଡି ଶୁକ୍ରବାର ରିପୋର୍ଟରମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି, ବୈଶ୍ୱିକ ଅଭିବୃଦ୍ଧି ସ୍ଥିର ରହିବାକୁ ଥିବାବେଳେ ଆଞ୍ଚଳିକ ଅର୍ଥନୀତିରେ ଅସ୍ଥିରତା ଦେଖାଦେବ। ଚାଇନାରେ ଅବସ୍ଫୀତି ଚାପ ଏବଂ ଘରୋଇ ଚାହିଦାକୁ ନେଇ ଚ୍ୟାଲେଞ୍ଜ ରହିବ। ନୂଆ ଝଟକା ଯୋଗୁ ସ୍ବଳ୍ପ ଆୟକାରୀ ଦେଶଗୁଡ଼ିକ ଗୁରୁତର ପ୍ରଭାବିତ ହୋଇପାରନ୍ତି ବୋଲି ଜିଓର୍ଜିଏଭା କହିଛନ୍ତି।


