ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ ରଖିବାରେ ସମର୍ଥ ହେବେ ବୋଲି ଆଶା କରାଯାଉଛି। ସେମିଫାଇନାଲରେ ମହିଳା ଦଳ ନେପାଳକୁ ୪୮-୨୪ରେ ହରାଇ ଦେଇଥିବା ବେଳେ ପୁରୁଷ ଦଳ ଥାଇଲାଣ୍ଡ ବିପକ୍ଷରେ ୬୬-୨୮ରେ ବିଜୟ ହାସଲ କରିଛି।
ଏହି ବଡ଼ ବିଜୟ ଦ୍ୱାରା ଦୁଇ ପୂର୍ବତନ ଚାମ୍ପିୟନ ଦଳ ସେମାନଙ୍କ ବିଜୟ ଧାରା ବଜାୟ ରଖିପାରିଛନ୍ତି। ମହିଳା ମ୍ୟାଚର ପ୍ରଥମାର୍ଦ୍ଧ ଖେଳରେ ଭାରତ ୩୧-୧୭ରେ ଆଗୁଆ ରହିଥିଲା। ତନ୍ମଧ୍ୟରେ ୪ ଅଲ୍ଆଉଟ ଓ ୪ ବୋନସ ପଏଣ୍ଟ ରହିଛି। ନେପାଳ ଭାରତକୁ ଚ୍ୟାଲେଞ୍ଜ ଦେଇ ପାରି ନ ଥିଲା।
ଦଳ ଦ୍ୱିତୀୟାର୍ଦ୍ଧରେ ଆଉ ମାତ୍ର ୭ ପଏଣ୍ଟ ଯୋଗ କରିପାରିଥିଲା। ପୁରୁଷ ମ୍ୟାଚରେ ମଧ୍ୟ ସମାନ କଥା ଦେଖିବାକୁ ମିଳିଥିଲା। ଭାରତ ପ୍ରଥମାର୍ଦ୍ଧରେ ୩୭-୧୮ରେ ଅଗ୍ରଣୀ ଲାଭ କରିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଏହାର ଆଧିପତ୍ୟ ବଜାୟ ରଖିଥିଲା।
ଏହି ଦୁଇଦଳ ଇରାନ-ଚାଇନିଜ ତାଇପେ ମଧ୍ୟରେ ଖେଳାଯିବାକୁଥିବା ମ୍ୟାଚର ବିଜେତା ସହିତ ଖେଳିବେ। ୨୦୧୦ରେ ଏସିଆନ ଗେମ୍ସରେ ପ୍ରଥମ ଥର ମହିଳା କବାଡ଼ିକୁ ସାମିଲ କରାଯାଇଥିଲା। ଭାରତ ପ୍ରତ୍ୟେକ ସଂସ୍କରଣର ପ୍ରାଧାନ୍ୟ ବିସ୍ତାର କରି ଖେଳି ଆସୁଛି। ଏସିଆଡ୍ରେ ୧୯୯୦ରୁ ପୁରୁଷ କବାଡ଼ି ଖେଳାଯାଇ ଆସୁଛି। ଭାରତ ଏପର୍ଯ୍ୟନ୍ତ ୮ ସ୍ବର୍ଣ୍ଣ ପଦକ ଜିତିସାରିଛି। ଏହି ଇଭେଣ୍ଟରେ ଭାରତକୁ ଛାଡ଼ିଦେଲେ ଇରାନ ୨୦୧୮ରେ ଅନ୍ୟତମ ଦେଶ ଭାବେ ସ୍ବର୍ଣ୍ଣ ଜିତିପାରିଛି। ଏହି ସଂସ୍କରଣରେ ଭାରତକୁ ବ୍ରୋଞ୍ଜରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।