Categories: ଖେଳ

ସ୍ପେଶାଲ ଅଲିମ୍ପିକ୍ସକୁ ଭାରତର ୨୫୫ ଜଣିଆ ଦଳ

ନୂଆଦିଲ୍ଲୀ, ୬ା୬(ପି.ଟି.): ଜର୍ମାନୀର ବର୍ଲିନ୍‌ଠାରେ ଜୁନ୍‌ ୧୭ରୁ ୨୫ ପର୍ଯ୍ୟନ୍ତ ହେବାକୁଥିବା ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସ ରେ ଭାରତର ୨୫୫ ସଦସ୍ୟ ବିଶିଷ୍ଟ ଏକ ଶକ୍ତିଶାଳୀ ଦଳ ଅଂଶଗ୍ରହଣ କରିବ। ଦଳରେ ୧୯୮ ଆଥଲେଟ ଓ ୫୭ କୋଚ୍‌ ରହିଛନ୍ତି। ବୌଦ୍ଧିକ ଭିନ୍ନକ୍ଷମଙ୍କ ଲାଗି ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସ ହେଉଛି ସବୁଠାରୁ ବଡ଼ କ୍ରୀଡ଼ା ଇଭେଣ୍ଟ। ଏଥିରେ ୧୯୦ଟି ଦେଶର ୭୦୦୦ ଆଥଲେଟ୍ସ ଓ ୟୁନିଫାଏଡ୍‌ ପାର୍ଟନର ୨୬ଟି କ୍ରୀଡ଼ାରେ ଭାଗ ନେବେ। ଜୁନ ୧୨ରେ ବର୍ଲିନ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଭାରତୀୟ ଆଥଲେଟମାନେ ଜୁନ୍‌ ୭ରୁ ୧୧ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏକ ପ୍ରସ୍ତୁତି କ୍ୟାମ୍ପରେ ଭାଗ ନେବେ। ସ୍ପେଶାଲ ଅଲମ୍ପିକ୍ସ ଭାରତ ପକ୍ଷରୁ ଦଳ ପାଇଁ ଗୁରୁବାର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏକ ସ୍ବତନ୍ତ୍ର ସେଣ୍ଡ୍‌ ଅଫ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, ମହିଳା ଓ ଶିଶୁ କଲ୍ୟାଣ, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ସ୍ମୃତି ଇରାନୀ, ଭାରତୀୟ ଅଲିମ୍ପିକ ଆସୋସିଏଶନ ମୁଖ୍ୟ ପି.ଟି. ଉଷା, କ୍ରିକେଟର ଯୁବରାଜ ସିଂ ଓ କଣ୍ଠ ଶିଳ୍ପୀ ସୋନୁ ନିଗମ ପ୍ରମୁଖ ଏଥିରେ ଉପସ୍ଥିତ ରହିବେ।

Share