Categories: ଖେଳ

ଟିମ୍‌ ଇଣ୍ଡିଆ, ଡିସେମ୍ବର ୧୯ ମଧ୍ୟରେ ରହିଛି ଅଜବ ସଂଯୋଗ

ନୂଆଦିଲ୍ଲୀ, ୧୯।୧୨- ଡିସେମ୍ବର ୧୯ ତାରିଖ ଭାରତୀୟ କ୍ରିକେଟ ଇତିହାସରେ ଲିପିବଦ୍ଧ ହୋଇଯାଇଛି। ଏହି ଦିନ ଓ ଟିମ୍‌ ଇଣ୍ଡିଆ ଟେଷ୍ଟ କ୍ରିକେଟ ମଧ୍ୟରେ ରହିଛି ଅଜବ ସଂଯୋଗ। ଭାରତୀୟ କ୍ରିକେଟ ଦଳ ତା’ର ସର୍ବାଧିକ ଓ ଅବିଶ୍ୱସନୀୟ ଭାବେ ସର୍ବନିମ୍ନ ସ୍କୋର ମଧ୍ୟ ଏହି ତାରିଖରେ କରିଛି। ଉଭୟ ଥର ବିରାଟ କୋହଲି ହିଁ ଅଧିନାୟକ ଥିଲେ।

ଆଜିକୁ ଠିକ୍‌ ୪ ବର୍ଷ ତଳେ ୨୦୧୬, ଡିସେମ୍ବର ୧୯ ତାରିଖରେ ଇଂଲଣ୍ଡ ବିପକ୍ଷରେ ଚେନ୍ନାଇଠାରେ ଖେଳାଯାଇଥିବା ଟେଷ୍ଟରେ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ (୭୫୯/୭)ସବୁଠୁ ବଡ଼ ଦଳଗତ ସ୍କୋର ଛିଡ଼ା କରିଥିଲା। ଏହି ମ୍ୟାଚ୍‌ରେ ଭାରତ ଏକ ଇନିଂସ ଓ ୭୫ ରନ୍‌ରେ ବିଜୟ ହାସଲ କରିଥିଲା। ମ୍ୟାଚ୍‌ରେ କରୁନ ନାୟର (୩୦୩*) ଅପରାଜିତ ତ୍ରିଶତୀୟ ଇନିଂସ ଖେଳିଥିବାବେଳେ ଲୋକେଶ ରାହୁଲ (୧୯୯) ଦ୍ୱିଶତକରୁ ଅଳ୍ପକେ ବଞ୍ଚତ୍ତ ହୋଇଥିଲେ।

ଏହାର ଠିକ୍‌ ୪ ବର୍ଷ ପରେ ଆଜିର ଦିନରେ ଟିମ୍‌ ଇଣ୍ଡିଆ ଆଡିଲେଡ୍‌ଠାରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ ମାତ୍ର ୩୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଦଳର କୌଣସି ଖେଳାଳି ଦୁଇ ଅଙ୍କ ସ୍କୋର ଛୁଇଁବାରେ ସଫଳ ହୋଇ ନ ଥିଲେ। ସର୍ବାଧିକ ୯ ରନ୍‌ ଯୋଗଦାନ ଦେଇଥିଲେ ମୟଙ୍କ ଅଗ୍ରଓ୍ବାଲ। ଟେଷ୍ଟ କ୍ରିକେଟ ଇତିହାସରେ ଏହା (୩୬) ହେଉଛି ଭାରତୀୟ ଦଳର ସର୍ବନିମ୍ନ ସ୍କୋର। ଏଥିପୂର୍ବରୁ ୧୯୭୪ରେ ଲଡର୍‌ସଠାରେ ଟିମ୍‌ ଇଣ୍ଡିଆ ୪୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।

Share