Categories: ଖେଳ

ପାକିସ୍ତାନ ସହ ସମକକ୍ଷ ହେଲା ଭାରତ

କୋଲକାତା,୨୨।୧୧: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଟି୨୦ ବିଶ୍ୱକପ୍‌ ଉପବିଜେତା ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ କ୍ଲିନ ସୁଇପ୍‌ ହାସଲ କରିଛି। ୩ରୁ ଅଧିକ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଦ୍ୱିପାକ୍ଷୀକ ସିରିଜ୍‌ ଇତିହାସରେ ଏହା ଭାରତର ୬ଷ୍ଠ କ୍ଲିନସୁଇପ୍‌। ଏହି ଧାରାରେ ଟିମ୍‌ ଇଣ୍ଡିଆ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ସମକକ୍ଷ ହୋଇଛି। ଭାରତ ଭଳି ପାକିସ୍ତାନ ମଧ୍ୟ ୬ଟି ଟି୨୦ ଦ୍ୱିପାକ୍ଷୀକ ସିରିଜ୍‌ରେ ମୂଳପୋଛ ହାସଲ କରିଛି। ଦ୍ୱିପାକ୍ଷିକ ଟି୨୦ ସିରିଜ୍‌ରେ ସର୍ବାଧିକ ଥର କ୍ଲିନସୁଇପ୍‌ ହାସଲ କରିବାରେ ଦୁଇ ଦଳ ଏବେ ତାଲିକା ଶୀର୍ଷରେ ଅଛନ୍ତି। ଭାରତ-ପାକିସ୍ତାନ ପଛକୁ ଏହି ତାଲିକାରେ ଆଫଗାନିସ୍ତାନ (୫ ସିରିଜ୍‌), ଇଂଲଣ୍ଡ (୪) ଓ ଦକ୍ଷିଣ ଆଫ୍ରିକା (୩) ରହିଛନ୍ତି।

ଭାରତ ପ୍ରଥମେ ୨୦୧୬ରେ ଅଷ୍ଟ୍ରେଲିଆକୁ ୩-୦ରେ ହରାଇ କ୍ଲିନ ସୁଇପ୍‌ ହାସଲ କରିଥିଲା। ସେହିଭଳି ୨୦୧୭ ଶ୍ରୀଲଙ୍କା ଏବଂ ୨୦୧୮ ଓ ୨୦୧୯ରେ ଓ୍ବେଷ୍ଟଇଣ୍ଡିଜ (ଦୁଇ ଥର) ବିପକ୍ଷରେ ଭାରତୀୟ ଦଳ ସିରିଜ୍‌ ମୂଳପୋଛ କରିଥିଲା। ଗତ ବର୍ଷ ନ୍ୟୁଜିଲାଣ୍ଡକୁ ଭାରତ ନ୍ୟୁଜିଲାଣ୍ଡରେ ହରାଇଥିଲା ୫-୦ ବ୍ୟବଧାନରେ।

Share