ନୂଆଦିଲ୍ଲୀ,୯।୧୦: ନିଜ ସହ-ପାଇଲଟ୍ଙ୍କ ମରଣାନ୍ତକ ଆକ୍ରମଣର ସାମ୍ନା କରି ମଧ୍ୟ ୧୭୪ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମାଚ୍ଛରଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ନାଗରିକ ବୀରତା ସମ୍ମାନ । ଇସ୍ରାଏଲର ରାଷ୍ଟ୍ରପତି ଇସାକ୍ ହର୍ଜୋଗ୍ ଏହି ଘୋଷଣା କରିଛନ୍ତି। ସ୍ମିତ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।
ରିପୋର୍ଟ ଅନୁସାରେ, ଫ୍ଲାଏଦୁବାଇ ବିମାନରେ ଡ୍ୟୁଟିରେ ଥିବା ସମୟରେ କ୍ୟାପ୍ଟେନ୍ ସ୍ମିତ ମାଚ୍ଛରଙ୍କ ଉପରେ ତାଙ୍କ ସହ-ପାଇଲଟ୍ ହମ୍ମାମ ଅଲ୍-ହମାମି କକ୍ପିଟ୍ ଭିତରେ ଆକ୍ରମଣ କରିଥିଲେ। ଆକ୍ରମଣ ପାଇଁ ବିମାନରେ ଥିବା ଜରୁରୀକାଳୀନ କୁରାଢ଼ି ଭଳି ଏକ ଉପକରଣ ବ୍ୟବହାର କରାଯାଇଥିବା କୁହାଯାଇଛି । ଏହି ଆକ୍ରମଣରେ ସ୍ମିତ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କ ଶରୀରରୁ ବହୁ ରକ୍ତସ୍ରାବ ହୋଇଥିଲା। ତଥାପି ସେ ସାହସ ହରାଇ ନଥିଲେ। କକ୍ପିଟ୍ର ଦ୍ୱାର ଖୋଲିବା ପରେ ବିମାନରେ ଥିବା ଇସ୍ରାଏଲୀ ଯାତ୍ରୀମାନେ ଭିତରକୁ ପ୍ରବେଶ କରି ଆକ୍ରମଣକାରୀଙ୍କୁ କାବୁ କରିବାରେ ସହାୟତା କରିଥିଲେ। ଏହା ଫଳରେ ବିମାନରେ ଥିବା ଯାତ୍ରୀଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇଥିଲା।
ଇସ୍ରାଏଲର ରାଷ୍ଟ୍ରପତି ଇସାକ୍ ହର୍ଜୋଗ୍ କହିଛନ୍ତି ଯେ, ସ୍ମିତଙ୍କ ଅସାଧାରଣ ସାହସ ଓ ବୃତ୍ତିଗତ ଦକ୍ଷତା ଏକ ବଡ଼ ବିପର୍ଯ୍ୟୟକୁ ଟାଳିବାରେ ସହାୟକ ହୋଇଛି । ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଇସ୍ରାଏଲର ଜନସାଧାରଣଙ୍କ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତିଙ୍କ ନାଗରିକ ବୀରତା ପୁରସ୍କାର ପ୍ରଦାନ କରିବା ଗର୍ବର ବିଷୟ ହେବ ବୋଲି ସେ କହିଛନ୍ତି। ବର୍ତ୍ତମାନ କ୍ୟାପ୍ଟେନ୍ ସ୍ମିତ ମାଚ୍ଛର ୟୁଏଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
କେତେକ ରିପୋର୍ଟରେ ପ୍ରକାଶିତ ଖବର ଅନୁସାରେ, ସହ-ପାଇଲଟ୍ ହମ୍ମାମ ଅଲ୍-ହମାମି ବିମାନର ନିୟନ୍ତ୍ରଣ ନିଜ ହାତକୁ ନେଇ ତେଲ୍ ଆଭିଭ୍କୁ ନେବା ଏବଂ ସେଠାରେ ଏକ କୋଠା ସହ ଧକ୍କା କରାଇବାକୁ ଯୋଜନା କରିଥିବା ଅଭିଯୋଗ ହୋଇଛି। ତେବେ କ୍ୟାପ୍ଟେନ୍ ସ୍ମିତଙ୍କ ସାହସ ଯୋଗୁଁ ଏହି ଯୋଜନା ସଫଳ ହୋଇପାରିନଥିବା ରିପୋର୍ଟରେ କୁହାଯାଇଛି। ପରବର୍ତ୍ତୀ ସମୟରେ ବିମାନକୁ ମରୁଭୂମିରେ ଖସାଇବାକୁ ଉଦ୍ୟମ ହୋଇଥିବା ମଧ୍ୟ ଖବର ପ୍ରକାଶ ପାଇଛି। ଏହି ସମୟରେ ଡ୍ୟୁଟିରେ ନଥିବା ଅନ୍ୟ ପାଇଲଟ୍ମାନେ ବିମାନର ନିୟନ୍ତ୍ରଣ ନେଇ ଏହାକୁ ସୁରକ୍ଷିତ ଭାବେ ସାଉଦି ଆରବରେ ଅବତରଣ କରାଇଥିଲେ। ବିମାନ ଭିତରେ ଆକ୍ରମଣକାରୀଙ୍କୁ କାବୁ କରିବା ଏବଂ ସମ୍ଭାବ୍ୟ ବିପର୍ଯ୍ୟୟକୁ ରୋକିବାରେ ସହାୟତା କରିଥିବା ପାଞ୍ଚ ଜଣ ଇସ୍ରାଏଲୀ ନାଗରିକଙ୍କୁ ମଧ୍ୟ ରାଷ୍ଟ୍ରପତି ଇସାକ୍ ହର୍ଜୋଗ୍ ବୀରତା ପୁରସ୍କାର ପ୍ରଦାନ କରିଛନ୍ତି।