ICC ରାଙ୍କିଂରେ ଚମକିଲେ ୨ ଭାରତୀୟ ଖେଳାଳି: କିଏ ଖସିଲେ, କିଏ ଉପରକୁ ଉଠିଲେ… ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ,୧୯।୧୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବୁଧବାର (୧୮ ନଭେମ୍ବର) ନୂଆ ରାଙ୍କିଂ ଜାରି କରିଛି। ଏଥିରେ ଭାରତୀୟ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି। ନିକଟରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିଥିଲା। ଏହି ସିରିଜରେ ଦ୍ରୁତ ବୋଲର ଅର୍ଶଦୀପ ସିଂହ ୪ଟି ମ୍ୟାଚରେ ୮ଟି ଉଇକେଟ୍‌ ନେଇଥିବା ବେଳେ ସ୍ପିନର ଅକ୍ଷର ପଟେଲ ୬ଟି ସଫଳତା ହାସଲ କରିଥିଲେ। ଏହି ଦମଦାର ପ୍ରଦର୍ଶନ ପରେ ଉଭୟ ବୋଲର ଆଇସିସି ଦିନିକିଆ ରାଙ୍କିଂରେ ଉପରକୁ ଉଠିଛନ୍ତି। ଅର୍ଶଦୀପ ୧୨ଟି ସ୍ଥାନ ଉପରକୁ ଉଠିଥିବା ବେଳେ ଅକ୍ଷରଙ୍କୁ ୨ଟି ସ୍ଥାନର ଫାଇଦା ମିଳିଛି।

ବଡ଼ ଡିଆଁ ଦେଇ ଅର୍ଶଦୀପ ଆଇସିସି ଦିନିକିଆ ବୋଲିଂ ରାଙ୍କିଂରେ ଯୁଗ୍ମ ଭାବେ ୧୯ତମ ସ୍ଥାନରେ ପହଞ୍ଚିଛନ୍ତି। ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ ମଧ୍ୟ ୧୯ତମ ସ୍ଥାନରେ ରହିଛନ୍ତି। ଉଭୟଙ୍କ ରେଟିଂ ପଏଣ୍ଟ ୫୬୭ ଲେଖାଏ ରହିଛି।

ଅନ୍ୟପକ୍ଷରେ ରାଙ୍କିଂର ଶୀର୍ଷ ୧୦କୁ ଦେଖିଲେ କୌଣସି ଭାରତୀୟ ବୋଲରଙ୍କୁ ସ୍ଥାନ ମିଳିନାହିଁ। ଆଫଗାନିସ୍ତାନର ସ୍ପିନର ରାଶିଦ ଖାନ ୭୬୦ ରେଟିଂ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ଟପ-୫ରେ ପାକିସ୍ତାନର ଦୁଇ ଜଣ ବୋଲର ସ୍ଥାନ ପାଇଛନ୍ତି। ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜ ୬୬୦ ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ପାକିସ୍ତାନର ସ୍ପିନର ଅବରାର ଅହମ୍ମଦ ତୃତୀୟ ଏବଂ ଦ୍ରୁତ ବୋଲର ଶାହିନ ଆଫ୍ରିଦି ଚତୁର୍ଥ ସ୍ଥାନରେ ରହିଛନ୍ତି। ଅବରାରଙ୍କ ରେଟିଂ ପଏଣ୍ଟ ୬୪୨ ଏବଂ ଶାହିନଙ୍କର ୬୨୧ ରହିଛି। ନ୍ୟୁଜିଲାଣ୍ଡର ମିଚେଲ ସାଣ୍ଟନର ୬୧୦ ରେଟିଂ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ଅଛନ୍ତି।

ଦିନିକିଆ ବ୍ୟାଟିଂ ରାଙ୍କିଂରେ ଭାରତୀୟ ଅଧିନାୟକ ଶୁଭମନ ଗିଲ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ରେଟିଂ ପଏଣ୍ଟ ୮୦୬ ରହିଛି। ନ୍ୟୁଜିଲାଣ୍ଡର ଡାରିଲ ମିଚେଲ ୭୭୮ ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଭାରତର ଷ୍ଟାର୍‌ ବ୍ୟାଟର ବିରାଟ କୋହଲି ୭୫୭ ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି।

ଆଫଗାନିସ୍ତାନର ଇବ୍ରାହିମ ଜାଦ୍ରାନ ଚତୁର୍ଥ ଏବଂ ଭାରତର ରୋହିତ ଶର୍ମା ପଞ୍ଚମ ସ୍ଥାନରେ ଅଛନ୍ତି। ଜାଦ୍ରାନ୍ଙ୍କ ରେଟିଂ ପଏଣ୍ଟ ୭୫୨ ଥିବା ବେଳେ ହିଟ୍‌ମ୍ୟାନ ରୋହିତଙ୍କର ୭୩୨ ରହିଛି। ପୁଣିଥରେ କିଙ୍ଗ କୋହଲିଙ୍କୁ ଦିନିକିଆ ରାଙ୍କିଂର ଶୀର୍ଷ ସ୍ଥାନରେ ଦେଖିବାକୁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି।

Dharitri – Odisha’s No.1 Odia Daily

Share