ଅକ୍ଲାଣ୍ଡ, ୨୨ା୧୧: ଭାରତୀୟ ପୁରୁଷ ହକି ଦଳ ଅକ୍ଲାଣ୍ଡରେ ରବିବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ହକି ମ୍ୟାଚ ୨-୨ରେ ଡ୍ର’ ରଖିଛି। ଫଳରେ ସିରିଜ ୧-୦ରେ ବିଜୟ ଲାଭ କରି ଭାରତ-ନ୍ୟୁଜିଲାଣ୍ଡ ସେଞ୍ଚୁରୀ ଅଫ୍ ସ୍ପୋର୍ଟିଂ ୟୁନିଟ୍ ଇଭେଣ୍ଟ ଜିତିଛି।
୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ଅପରାଜେୟ ରହିଥିଲା। ନଭେମ୍ବର ୧୯ରେ ଓପନିଂ ମୁକାବିଲା ୩-୨ରେ ଜିତିବା ପରେ ଭାରତ ପରବର୍ତ୍ତୀ ଦୁଇଟି ମ୍ୟାଚ ୨-୨ରେ ଡ୍ର ରଖିଛି। ରବିବାର ମ୍ୟାଚର ୯ମ ମିନିଟ୍ରେ ଡାଇଲାନ ଥୋମାସ ଏକ ପେନାଲ୍ଟି କର୍ନରକୁ ଗୋଲ୍ରେ ପରିଣତ କରି ନ୍ୟୁଜିଲାଣ୍ଡକୁ ୧-୦ରେ ଅଗ୍ରଣୀ କରିଥିଲା।
ଜବାବରେ ଭାରତୀୟ ଅଧିନାୟକ ୧୬ତମ ମିନିଟ୍ରେ ଏକ ପେନାଲ୍ଟି କର୍ନରକୁ ଗୋଲରେୀ ପରିଣତ କରି ମ୍ୟାଚକୁ ୧-୧ ସ୍ତରକୁ ନେଇ ଆସିଥିଲା। ପରେ ୧୮ତମ ମିନିଟ୍ରେ କାର୍ଥି ସେଲଭାମ୍ ଏକ ଫିଲ୍ଡ ଗୋଲ୍ ଦେଇ ଭାରତକୁ ୨-୧ରେ ଅଗ୍ରଣୀ କରାଇଥିଲେ। ଲୟଡ ଏଲ୍ସମୋର୍ ହକି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଗୋଲ୍ ପରିଶୋଧ କରିବା ଲାଗି ଯଥା ସମ୍ଭବ ପ୍ରୟାସ ଚଳାଇଥିଲା।
୫୫ତମ ମିନିଟ୍ରେ ବେନ୍ଜୀ କୁଲ୍ହେନ୍ ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚକ୍ୁ ୨-୨ ସ୍ତରକୁ ନେଇ ଆସିଥଲେ। ଉଭୟ ଦଳ ବିଳମ୍ବରେ ହେଉ ପଛେ ଏକ ଗୋଲ୍ ସ୍କୋର କରି ମ୍ୟାଚ ଜିତିବା ଲାଗି ଜୋରଦାର ଉଦ୍ୟମ କରି ବିଫଳ ହୋଇଥିଲେ।
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୧୦୦ ବର୍ଷରୁ କ୍ରୀଡ଼ା ସମ୍ପର୍କକୁ ପାଳନ କରିବାକୁ ଯାଇ ଦୁଇ ଦେଶ ମଧ୍ୟରେ ଏହି ୩ ମ୍ୟାଚ ବିଶିଷ୍ଟ ସିରିଜର ଆୟୋଜନ କରାଯାଇଥିଲା। ୧୯୨୬ରେ କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କୁ ନେଇ ଇଣ୍ଡିଆନ ଆର୍ମି ହକି ଦଳ ପ୍ରଥମେ ନ୍ୟୁଜିଲାଣ୍ଡ ଟୁର୍ରେ ଯାଇଥିଲା।