Categories: ଖେଳ

ମହିଳା ଟି୨୦ ବିଶ୍ୱକପ: ପାକିସ୍ତାନକୁ ୭ ଉଇକେଟରେ ହରାଇଲା ଭାରତ

କେପ୍‌ ଟାଉନ, ୧୨।୨: ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ୭ ଉଇକେଟରେ ପରାସ୍ତ କରିଛି। ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୪୯ ରନ୍‌ କରିଥିବା ବେଳେ ଭାରତ ୧୯ ଓଭରରେ ୩ ଉଇକେଟ ହରାଇ ୧୫୧ ରନ୍‌ ସଂଗ୍ରହ କରି ନେଇଥିଲା।

ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ଅଧିନାୟିକା ବିସ୍‌ମା ମାରୁଫଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ସମ୍ମାନଜନକ ସ୍କୋର କରିଥିଲା। ବିସ୍‌ମା ୫୫ ବଲ୍‌ରୁ ୭ ଚୌକା ସହାୟତାରେ ୬୮ ରନ୍‌ କରି ଅପରାଜିତ ରହିଥିଲେ। ଆୟେଶା ନସିମ ୨୫ ବଲ୍‌ରେ ୨ ଚୌକା ଏବଂ ୨ ଛକା ସହାୟତାରେ ୪୩ ରନ୍‌ କରି ଅପରାଜିତ ରହିଥିଲେ। ଭାରତର ରାଧା ଯାଦବ ୨ଟି ଉଇକେଟ ନେଇଥିବା ବେଳେ ଦୀପ୍ତି ଶର୍ମା ଓ ପୂଜା ବସ୍ତ୍ରକାର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ଭାରତ ବ୍ୟାଟିଂ ଆରମ୍ଭ କରି ୩୮ ରନ୍‌ରେ ପ୍ରଥମ ଉଇକେଟ ହରାଇଥିଲା। ହେଲେ ଜେମିମା ରୋଡ୍ରିଗ୍ବେଜ ୩୮ ବଲ୍‌ରେ ୮ ଚୌକା ସହାୟତାରେ ୫୩ ରନ୍‌ କରିଥିବା ବେଳେ ରିଚା ଘୋଷ ୨୦ ବଲ୍‌ରେ ୫ଟି ଚୌକା ମାରି ୩୧ ରନ୍‌ କରି ଦୁହେଁ ଅପରାଜିତ ରହି ଦଳକୁ ଗୋଟିଏ ଓଭର ପୂର୍ବରୁ ବିଜୟୀ କରାଇଥିଲେ। ଶେଫାଳି ବର୍ମା ୩୩ ରନ୍‌ କରିଥିଲେ। ପାକିସ୍ତାନର ନଶ୍ରା ସାନ୍ଧୁ ୨ଟି ଉଇକେଟ ନେଇଥିବା ବେଳେ ସାଦିଆ ଇକବାଲ ଗୋଟିଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ଭାରତର ଜେମିମା ରୋଡ୍ରିଗ୍ବେଜ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।

Share