ପାକିସ୍ତାନକୁ ଧୂଳି ଚଟାଇ ସ୍ବର୍ଣ୍ଣ ଜିତିଲା ଭାରତ

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୧୯ ରନରେ ପରାସ୍ତ କରି ଭାରତ ଏହି ସ୍ବର୍ଣ୍ଣ ପଦକ ହାସଲ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ, ଏସୀୟ କ୍ରୀଡ଼ା ଇତିହାସରେ ପୁରୁଷ କ୍ରିକେଟରେ ଭାରତ ଏହାର ଦ୍ୱିତୀୟ ସ୍ବର୍ଣ୍ଣ ପଦକ ଜିତିଛି। ଏହା ପୂର୍ବରୁ, ଋତୁରାଜ ଗାଏକୱାଡ଼ଙ୍କ ଅଧିନାୟକତ୍ୱରେ ଭାରତ ୨୦୨୩ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲା। ବର୍ତ୍ତମାନ, ଆୟରଙ୍କ ନେତୃତ୍ୱରେ ଏବଂ ଅଭିଷେକ ଶର୍ମା, ଇଶାନ କିଶନ, ତିଲକ ବର୍ମା ଓ ଜସପ୍ରୀତ ବୁମରାହଙ୍କ ଭଳି ତାରକା ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳ ପାକିସ୍ତାନ କ୍ରିକେଟ ଦଳକୁ ପରାସ୍ତ କରି ନିଜର ସ୍ବର୍ଣ୍ଣ ପଦକ ବଜାୟ ରଖିବାରେ ସଫଳ ହୋଇଛି।

ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ୨୦୨୬ ଏସୀୟ କ୍ରୀଡ଼ାର ସ୍ବର୍ଣ୍ଣ ପଦକ ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଭିଷେକ ଶର୍ମା ଏବଂ ତିଲକ ବର୍ମାଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ମୋଟ ୨୧୧ ରନ ସଂଗ୍ରହ କରିଥିଲା। ୨୧୨ ରନର ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ୨୦ ଓଭରରେ ୬ ୱିକେଟ ବିନିମୟରେ ୧୯୨ ରନ ସଂଗ୍ରହ କରିପାରିଥିଲା ଏବଂ ୧୯ ରନରେନ୍ର ମ୍ୟାଚ ହାରିଯାଇଥିଲା। ଏହି ପରାଜୟ ସହିତ ପାକିସ୍ତାନକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା, ଯେତେବେଳେ କି ଶ୍ରୀଲଙ୍କା ବ୍ରୋଞ୍ଜ ପଦକ ଜିତିଥିଲା।

ପାକିସ୍ତାନ ପାଇଁ ସାହିବଜାଦା ଫରହାନ ଏବଂ ମାଜ ସଦାକତ ଇନିଂସ ଆରମ୍ଭ କରିଥିଲେ। ଅଧିନାୟକ ଫରହାନ ୧୦ ରନ କରି ଆଉଟ ହୋଇଥିବାବେଳେ ସଦାକତ ୨୩ ରନ କରିଥିଲେ। ଏହାପରେ ଉସମାନ ଖାନ ମଧ୍ୟ ମାତ୍ର ୩ ରନ କରି ପାଭିଲିୟନ ଫେରିଥିଲେ। ସାଇମ ଆୟୁବ ଦଳ ପାଇଁ ୨୯ ରନ ସଂଗ୍ରହ କରିଥିଲେ ଏବଂ ଅବଦୁଲ ସମାଦ ୯ ରନ କରି ଆଉଟ ହୋଇଥିଲେ।
ଏହି ମ୍ୟାଚରେ ପାକିସ୍ତାନ କ୍ରିକେଟ ଦଳ ପାଇଁ ହାସନ ନୱାଜ ସର୍ବାଧିକ ରନ ସଂଗ୍ରହକାରୀ ଥିଲେ। ସେ ଏକ ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ୨୮ଟି ବଲରୁ ୫ଟି ଛକା ସହାୟତାରେ ୫୦ ରନ ପୂରଣ କରିଥିଲେ। ସେ ୫୧ଟି ବଲରୁ ୯୬ ରନର ଏକ ଦ୍ରୁତ ଇନିଂସ ଖେଳିଥିଲେ (ଯେଉଁଥିରେ ୫ଟି ଚୌକା ଓ ୭ଟି ଛକା ସାମିଲ ଥିଲା), କିନ୍ତୁ ନିଜ ଦଳକୁ ବିଜୟୀ କରାଇପାରିନଥିଲେ। ଭାରତ ପକ୍ଷରୁ ଅକ୍ଷର ପଟେଲ ଏବଂ ୱାଶିଂଟନ ସୁନ୍ଦର ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ।

ଅଭିଷେକ ଶର୍ମା ଏବଂ ତିଲକ ବର୍ମାଙ୍କ ଅର୍ଦ୍ଧଶତକ
ଏହା ପୂର୍ବରୁ, ଭାରତୀୟ କ୍ରିକେଟ ଦଳ ପାଇଁ ଅଭିଷେକ ଶର୍ମା ଏବଂ ତିଲକ ବର୍ମା ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଅଭିଷେକ ଶର୍ମା ୨୮ଟି ବଲରୁ ୩ଟି ଚୌକା ଓ ୭ଟି ଛକା ସହାୟତାରେ ୬୧ ରନ ସଂଗ୍ରହ କରିଥିଲେ। ଏହି ଫାଇନାଲ ମ୍ୟାଚରେ ତିଲକ ବର୍ମା ୨୨ଟି ବଲରୁ ୩ଟି ଚୌକା ଓ ୪ଟି ଛକା ସହ ୫୧ ରନ କରିଥିଲେ। ସେମାନଙ୍କ ବ୍ୟତୀତ, ବୈଭବ ସୂର୍ଯ୍ୟବଂଶୀ ୯ଟି ବଲରୁ ୨ଟି ଛକା ମାରି ୧୫ ରନର ଯୋଗଦାନ ଦେଇଥିଲେ।
ଅଧିନାୟକ ଶ୍ରେୟସ ଆୟର ୨୧ ରନ ସଂଗ୍ରହ କରିଥିଲେ। ଇଶାନ କିଷନ ୧୮ଟି ବଲରୁ ୩ଟି ଚୌକା ସହ ୨୦ ରନ କରିଥିବାବେଳେ ଶିବମ ଦୁବେ ୧୫ଟି ବଲରୁ ୨ଟି ଚୌକା ଓ ୨ଟି ଛକା ମାରି ୨୭ ରନ କରିଥିଲେ। ପାକିସ୍ତାନ ପକ୍ଷରୁ ଅହମ୍ମଦ ଦାନିୟାଲ ଏବଂ ଆରାଫାତ ମିନ୍ହାସ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ, ଯେତେବେଳେ କି ସାଇମ ଆୟୁବ ଏବଂ ଅବ୍ରାର ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Dharitri – Odisha’s No.1 Odia Daily

Share