ଇରାନ୍ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ ଇସ୍ରାଏଲ ବୋମାମାଡ଼ କରି ଇରାନ୍କୁ ଡରାଇବାକୁ ଚେଷ୍ଟା କରିଥିବା ବେଳେ ଅନ୍ୟପକ୍ଷରେ ଇରାନ୍ ଭାରତୀୟ ମହାସାଗରରେ ଅବସ୍ଥିତ ଡିଏଗୋ ଗାର୍ସିଆରେ ଥିବା ଆମେରିକା-ବ୍ରିଟେନ୍ର ସାମରିକ ଘାଟି ଉପରେ ବାଲିଷ୍ଟିକ୍ ମିଶାଇଲ୍ ଆକ୍ରମଣ କରିଛି। ଦୃଢ଼ ସାମରିକ ରଣକୌଶଳ ଦେଖାଇବାକୁ ଯାଇ ଇରାନ୍ ଯେଭଳି ଡିଏଗୋ ଗାର୍ସିଆକୁ ଟାର୍ଗେଟ କରିଛି, ତାହା ଟ୍ରମ୍ପ୍ ପ୍ରଶାସନକୁ ଭୟଭୀତ କରାଇଦେଲା ଭଳି ମନେହେଉଛି। ତେହରାନ୍ ନିଜ ଦୂରଗାମୀ କ୍ଷେପଣାସ୍ତ୍ରର ଭେଦ କ୍ଷମତାକୁ ୨,୦୦୦ କିଲୋମିଟର ମଧ୍ୟରେ ସୀମିତ ରଖିଥିବା ନେଇ ପୂର୍ବରୁ ପ୍ରକାଶ କରିଥିବା ବେଳେ ଇରାନ୍ରୁ ପ୍ରାୟ ୪,୦୦୦ କିଲୋମିଟର ଦୂରରେ ଥିବା ପାଶ୍ଚାତ୍ୟ ସେନାଘାଟିକୁ ଟାର୍ଗେଟ କରାଯିବା ଆମେରିକାକୁ ଏହା ଏକ କଡ଼ା ଜବାବ ବୋଲି ଧରାଗଲାଣି। ଏଥିରୁ ବୁଝିବାକୁ ହେବ ଯେ, ଇରାନ୍ ଅତି ସହଜରେ ସାମରିକ ଶକ୍ତି ପ୍ରୟୋଗ କରି ପାଶ୍ଚାତ୍ୟକୁ ବଡ଼ ଶିକ୍ଷା ଦେବାକୁ ଚାହୁଁଛି। ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ନିଜର ସାମରିକ ଘାଟି ସ୍ଥାପନ କରି ଇରାନ୍କୁ ଆମେରିକା ଭୟ ଦେଖାଇ ଆସୁଥିଲା। ଇରାନ୍ କୌଶଳ କରି ପ୍ରଥମେ ଆମେରିକାକୁ ଆକ୍ରମଣ ନ କରି ଇସ୍ରାଏଲକୁ ଟାର୍ଗେଟ କଲା। ଏଥିସହିତ ଆମେରିକା ସହ ସମ୍ପର୍କରେ ଥିବା ମଧ୍ୟପ୍ରାଚ୍ୟ ରାଷ୍ଟ୍ର ବାହାରିନ୍, କୁଏଟ୍, ଓମାନ୍, କାତାର, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ଜୋର୍ଡାନ୍ ଏବଂ ଇରାକ୍ ଉପରେ ଇରାନ୍ ଆକ୍ରମଣ କରି ତୈଳ ଭଣ୍ଡାର ଓ ଅନ୍ୟାନ୍ୟ ଶାକ୍ତିଶାଳୀ ଭିତ୍ତିଭୂମି ଦୋହଲାଇ ଦେଲା। ଏପରି ସମୟରେ ନାଟୋ ସମେତ ଅନ୍ୟ କେତେକ ଦେଶକୁ ଯୁଦ୍ଧର ଅଂଶବିଶେଷ ପାଲଟିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦେଇଥିବା ଆହ୍ବାନ ପ୍ରତ୍ୟାଖ୍ୟାତ ହେବା ପରେ ସେ କ୍ଷୁବ୍ଧ ହୋଇଯାଇଛନ୍ତି। ଫଳସ୍ବରୂପ ନତାଞ୍ଜ ପରମାଣୁ ସମୃଦ୍ଧ କେନ୍ଦ୍ର ଉପରେ ଆକ୍ରମଣ କରାଯାଇଥିଲା। ଏହି ସନ୍ଧିକ୍ଷଣରେ ଇରାନ୍ ବହିର୍ବ୍ୟାପାର ମନ୍ତ୍ରୀ ଆବ୍ବାସ ଆରାଗଚି କହିଛନ୍ତି ଯେ, ଆମେରିକା ଯେତେ କୌଶଳ କରି ଆକ୍ରମଣ କଲେ ମଧ୍ୟ ଇରାନ୍ର ପରମାଣୁ କାର୍ଯ୍ୟକ୍ରମକୁ ଧ୍ୱଂସ କରିପାରିଲା ନାହିଁ। ସମ୍ଭବତଃ ସେଥିପାଇଁ ଇରାନ୍ ସାଧାରଣରେ କହୁଛି ଯେ, ତୁମେ ଆମକୁ ଆଘାତ କଲେ ମଧ୍ୟ ଆମେ ଠିଆ ହୋଇଛୁ। ଏଭଳି ବାର୍ତ୍ତା ବିଶ୍ୱକୁ ଜଣାଇ ଦେଇଛି ଯେ, ଇରାନ୍ ମୁଣ୍ଡ ନୁଆଁଉ ନାହିଁ। ଇତିମଧ୍ୟରେ ହର୍ମୁଜ ପ୍ରଣାଳୀ ୪୮ ଘଣ୍ଟା ମଧ୍ୟରେ ଖୋଲିବା ଲାଗି ଟ୍ରମ୍ପ୍ ଇରାନ୍କୁ ମହଲତ ଦେଇଛନ୍ତି। ନ ହେଲେ ସେ ଇରାନ୍କୁ ଧ୍ୱଂସ କରିଦେବେ ବୋଲି କହିଛନ୍ତି।
ଏହି ପରିପ୍ରେକ୍ଷୀରେ ଦେଖିଲେ ଯୁଦ୍ଧରେ ସମ୍ପୃକ୍ତ ଦେଶଗୁଡ଼ିକ ତୁଳନାରେ ଭାରତ ବେଶି କ୍ଷତିରେ ପଡ଼ିବାର ଆଶଙ୍କା ଉପୁଜିଲାଣି। ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ତୈଳବାହୀ ଜାହାଜ ଚଳାଚଳ ଅନୁମତି ଦେବା ଲାଗି ଇରାନ୍ ଏ ନେଇ ଆର୍ଥିକ କାରବାର ଚାଇନା ମୁଦ୍ରା ୟୁଆନ୍ ମାଧ୍ୟମରେ କରିବାକୁ ଚିନ୍ତା କଲାଣି। ସାଧାରଣତଃ ପେଟ୍ରୋ ଡଲାରରେ ତୈଳ କାରବାର ହୋଇଆସୁଛି। ଯଦି ୟୁଆନ୍କୁ ଇରାନ୍ ବିଧିବଦ୍ଧ ବିନିମୟ ମୁଦ୍ରା ଭାବେ ଲାଗୁ କରିଦେଲା, ତାହା ହେଲେ ଆମେରିକାର ବିଶ୍ୱବ୍ୟାପୀ ଥିବା ଆର୍ଥିକ ଆଧିପତ୍ୟ ଦୁମ୍ କରି ତଳକୁ ଖସିପଡ଼ିବ। ଏଥିସହିତ ଭାରତ ତା’ର ପାରମ୍ପରିକ ଶତ୍ରୁ ଚାଇନା ମୁଦ୍ରାରେ କାରବାର କରି ଅସମ୍ମାନିତ ହେବା ଥୟ। ଏଭଳି ଏକ ସ୍ଥିତି ଭାରତକୁ ଦେଖିବାକୁ ପଡ଼ିବ ବୋଲି ଆଦୌ ଚିନ୍ତା କରାଯାଇ ନ ଥିଲା। ଏହି ସନ୍ଧିକ୍ଷଣରେ ପ୍ରସ୍ତାବିତ ବ୍ରିକ୍ସ ମୁଦ୍ରା କଥା ମନେପକାଯାଉ। ବ୍ରାଜିଲ୍, ରୁଷିଆ, ଭାରତ ଓ ଚାଇନା ୨୦୦୬ରେ ବ୍ରିକ୍ ନାମରେ ଏକ ବ୍ଲକ୍ ଗଠନ କରିଥିଲେ। ୨୦୧୦ରେ ଏଥିରେ ଦକ୍ଷିଣ ଆଫ୍ରିକା ଯୋଗଦେବା ପରେ ଏହାର ନାମ ହୋଇଥିଲା ବ୍ରିକ୍ସ। ୨୦୨୪ରେ ଏହି ସଙ୍ଗଠନର କଳେବର ବୃଦ୍ଧି ପାଇଥିଲା ଯେତେବେଳେ ଇଜିପ୍ଟ, ଇଥିଓପିଆ, ଇରାନ୍, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ୨୦୨୫ରେ ଇଣ୍ଡୋନେସିଆ ଏଥିରେ ଯୋଗଦେଇଥିଲେ। ବିଶ୍ୱ ଜନସଂଖ୍ୟାର ୪୮.୫ ପ୍ରତିଶତ ଏହି ସଙ୍ଗଠନରେ ରହିଥିବାରୁ ଏହାକୁ ନେଇ ଅନେକ ସମ୍ଭାବନା ସୃଷ୍ଟି ହୋଇଥିଲା। ଭାରତ ବ୍ରିକ୍ସର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ । ୨୦୧୮ରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ମଧ୍ୟରେ ସାଧାରଣ ମୁଦ୍ରା ପ୍ରଚଳନ କରିବା ଲକ୍ଷ୍ୟ ରଖାଯାଇ ବ୍ରିକ୍ସ ମୁଦ୍ରା ନେଇ ଆଲୋଚନା ହୋଇଥିଲା, ଯାହାକୁ ଭାରତ ଅସ୍ବୀକାର କରିଥିଲା। କେବଳ ରାଜନୈତିକ ସୁବିଧାକୁ ଦୃଷ୍ଟିରେ ରଖି ଭାରତ ୟୁରୋ ଭଳି ଏକ ବ୍ରିକ୍ସ ମୁଦ୍ରାକୁ ବିରୋଧ କରିଥିଲା। ବିମୁଦ୍ରୀକରଣ ଭଳି ମୁଦ୍ରା ସହ ରାଜନୈତିକ ଖେଳ କରାଇ ହେବ ନାହିଁ ବୋଲି ଚିନ୍ତା କରି ଭାରତ ଏଭଳି ନିଷ୍ପତ୍ତି ନେଇଥିଲା। ଆଜି ଭାରତୀୟମାନେ ବୁଝୁଛନ୍ତି ଯଦି ଏବେ ବ୍ରିକ୍ସ ମୁଦ୍ରା ଥାଆନ୍ତା, ତାହା ହେଲେ ଭାରତ ଏହାର ସଦସ୍ୟ ରାଷ୍ଟ୍ର ଭାବେ ଲାଭବାନ ହୋଇଥାଆନ୍ତା। ଚାଇନା ମୁଦ୍ରା ୟୁଆନ ଜରିଆରେ ତୈଳ କାରବାର ହେଲେ ଭାରତକୁ ଅଧିକ କ୍ଷତି ସହିବାକୁ ପଡ଼ିବ। ଏଥିସହିତ ଭାରତର ସମ୍ମାନ ମଧ୍ୟ ମାଟିରେ ମିଶିଯିବ। କାରଣ ତୈଳ କାରବାର ପାଇଁ ୨ ମିଲିୟନ ଆମେରିକୀୟ ଡଲାରର ମୂଲ୍ୟ ୟୁଆନ୍ ଆକାରରେ ଦିଆଗଲେ ଯାଇ ଷ୍ଟ୍ରେଟ୍ ଅଫ୍ ହର୍ମୁଜ ବ୍ୟବହାର ସମ୍ଭବ ହେବ।
ଆଉ ଏକ ଭୁଲ୍ ଭାରତ କରିଥିବାରୁ ଏବେ ପସ୍ତେଇବାକୁ ପଡ଼ୁଛି। ଇରାନ୍ର ଚବାହାର ବନ୍ଦର ଭିତ୍ତିଭୂମି ବିକାଶରେ ଭାରତ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରିଥିଲା। ଏବେ ତାହା ମାଧ୍ୟମରେ କାରବାର ବନ୍ଦ କରାଯାଇଥିବାରୁ ଭାରତ କ୍ଷତିଗ୍ରସ୍ତ ହେଉଛି। ବର୍ତ୍ତମାନର ତୈଳ ସଙ୍କଟ ସମୟରେ ଚବାହାର ବନ୍ଦର ଦେଇ କାରବାର ହୋଇଥିଲେ ଭାରତ ଲାଭବାନ ହୋଇଥାଆନ୍ତା। ଦେଖିବାକୁ ଗଲେ ଏବର ସ୍ଥିତିରେ ଇରାନ୍ ସହ ଯୁଦ୍ଧ କରି ଆମେରିକା ଓ ଇସ୍ରାଏଲ ହାରିଯାଇପାରନ୍ତି। ଅନ୍ୟପକ୍ଷରେ ଯୁଦ୍ଧରେ ସିଧାସଳଖ ସମ୍ପୃକ୍ତ ନ ଥାଇ ମଧ୍ୟ ଭାରତ ଗାତରେ ପଡ଼ିଯାଇଛି।

