ନୂଆଦିଲ୍ଲୀ,୨୩।୧୧: ଏସିଆ କପ ରାଇଜିଂ ଷ୍ଟାର୍ସରେ ରବିବାର ଖେଳାଯାଇଥିବା ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ପାକିସ୍ତାନଠାରୁ ପରାସ୍ତ ହୋଇଛି ଭାରତ। ଏହି ବିଜୟ ସହ ପାକିସ୍ତାନ ସେମିଫାଇନାଲ ଟିକେଟ ପକ୍କା କରିଛି। ଏବେ ପରବର୍ତ୍ତୀ ମ୍ୟାଚ୍ରେ UAEକୁ ହରାଇ ଭାରତ ସେମିଫାଇନାଲରେ ପ୍ରବେଶ କରିପାରିବ। କିନ୍ତୁ ପାକିସ୍ତାନଠାରୁ ଏହି ପରାଜୟର ପ୍ରତିଶୋଧ ନ ନେବା ପର୍ଯ୍ୟନ୍ତ ଭାରତୀୟ ଖେଳାଳିଙ୍କ ମନରୁ ଏହି ହାର୍ ଭୁଲିବା ସହଜ ହେବନାହିଁ।
ତେବେ ଭାରତ ପାଇଁ ପ୍ରତିଶୋଧ ନେବାର ସୁଯୋଗ ରହିଛି। କାରଣ ଚଳିତ ସଂସ୍କରଣରେ ଉଭୟ ଦଳ ପୁଣି ଥରେ ମୁହାଁମୁହିଁ ହୋଇପାରନ୍ତି। ଏଥିପାଇଁ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିବାକୁ ପଡ଼ିବ। ଏହା ପୂର୍ବରୁ ଅଣ୍ଡର-୧୯ ଏସିଆ କପରେ ମଧ୍ୟ ଏଭଳି ଘଟଣା ଘଟିଥିଲା। ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନଠାରୁ ହାରିବା ପରେ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଭାରତ ଟ୍ରଫି ଜିତିଥିଲା। ଟ୍ରଫି ଜିତିବାଠାରୁ ଅଧିକ ଖୁସି ଥିଲା ପରାଜୟର ପ୍ରତିଶୋଧ ନେବା।
ଏସିଆ କପ ରାଇଜିଂ ଷ୍ଟାର୍ସରେ ରବିବାର ମ୍ୟାଚ ଆରମ୍ଭରୁ ହିଁ ମାହୋଲ ଗରମ ରହିଥିଲା। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ସମୟରେ ହର୍ଷିତ ରାଣାଙ୍କର ପାକିସ୍ତାନର ଅନେକ ଖେଳାଳିଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଶମିଲ ହୁସେନ, ଇମ୍ରାନ ରନ୍ଧାୱା ଏବଂ ମଜ୍ଜ ସାଦାକତଙ୍କ ସହ ତାଙ୍କର ଏକାଧିକ ଥର ତୀବ୍ର ବାକଯୁଦ୍ଧ ହୋଇଥିଲା।
ହର୍ଷିତ ଆଉଟ ହେବା ପରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ପାକିସ୍ତାନ ଦଳ ବିଜୟ ଆଡ଼କୁ ଅଗ୍ରସର ହେଉଥିବାରୁ ଖେଳାଳିମାନେ ଅଧିକ ଆକ୍ରମଣାତ୍ମକ ହୋଇପଡ଼ିଥିଲେ। ଏହା ପୂର୍ବରୁ ମାତ୍ର ୧୧ ରନ କରି ଆଉଟ ହୋଇଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ପାକିସ୍ତାନୀ ଖେଳାଳିମାନେ ପାଭିଲିୟନ ଫେରିବା ସମୟରେ ଚିଡ଼ାଇଥିଲେ। ଏହି ସମୟରେ ଅଧିନାୟକ ତିଳକ ବର୍ମା ମଧ୍ୟ ମଝିରେ ହସ୍ତକ୍ଷେପ କରିଥିଲେ।
ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ଭାରତ ଓ ପାକିସ୍ତାନ ପୁଣି ଥରେ ମୁହାଁମୁହିଁ ହେବାର ସମ୍ଭାବନା ରହିଛି। କିନ୍ତୁ ଏହା କେବଳ ଫାଇନାଲରେ ହିଁ ସମ୍ଭବ। ଟୁର୍ନାମେଣ୍ଟର ଫର୍ମାଟ ଅନୁଯାୟୀ, ଗ୍ରୁପ-ଏର ଶୀର୍ଷ ସ୍ଥାନରେ ଥିବା ଦଳ ଗ୍ରୁପ-ବିର ଦ୍ୱିତୀୟ ସ୍ଥାନରେ ଥିବା ଦଳ ସହ ସେମିଫାଇନାଲ ଖେଳିବ। ଅର୍ଥାତ୍ ଭାରତ UAEକୁ ହରାଇ ପରବର୍ତ୍ତୀ ପର୍ଯ୍ୟାୟକୁ ଗଲେ ଉଭୟ ଦଳ ସେମିଫାଇନାଲରେ ଭିନ୍ନ ଭିନ୍ନ ଦଳ ସହ ଖେଳିବେ।
ଯଦି ଭାରତ ଓ ପାକିସ୍ତାନ ନିଜ ନିଜ ସେମିଫାଇନାଲ ଜିତିଯାଆନ୍ତି, ତେବେ ଫାଇନାଲ ମ୍ୟାଚରେ ଦୁଇ ଦଳ ପୁଣି ମୁହାଁମୁହିଁ ହେବେ। ଏଭଳି ସ୍ଥିତିରେ ହର୍ଷିତ ରାଣାଙ୍କ ପାଖରେ ପରାଜୟର ପ୍ରତିଶୋଧ ନେବାର ଭଲ ସୁଯୋଗ ରହିବ। ଅନ୍ୟପକ୍ଷରେ, ଲଗାତାର ଦୁଇଟି ମ୍ୟାଚରେ ବଡ଼ ସ୍କୋର କରିପାରିନଥିବା ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ନିଜ ଫର୍ମକୁ ଫେରିବାକୁ ଚାହିଁବେ।