ନୂଆଦିଲ୍ଲୀ, ୧୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜ ମଧ୍ୟରେ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ଦଳ। ଏଥିପାଇଁ ଟିମ ଇଣ୍ଡିଆର କିଛି ଖେଳାଳି ଦିନିକିଆ ଦଳର ସାଥ ଛାଡ଼ିଛନ୍ତି। ଏହି ତାଲିକାରେ ଅଧିନାୟକ ଶୁଭମନ ଗିଲ, ଉଇକେଟ୍ କିପର -ବ୍ୟାଟର କେଏଲ ରାହୁଲ ଏବଂ ଦ୍ରୁତ ବୋଲର ଅଂଶୁଲ କମ୍ବୋଜଙ୍କ ନାଁ ରହିଛି। ଏବେ ଏହି ତାଲିକାରେ ଆଉ ଜଣେ ଖେଳାଳିଙ୍କ ନାଁ ଯୋଡ଼ି ହେବାକୁ ଯାଉଛି। ତେବେ ଏହି ଖେଳାଳି ଟେଷ୍ଟ ସିରିଜ ପାଇଁ ଘୋଷିତ ଦଳର ଅଂଶ ନୁହନ୍ତି।
ନ୍ୟୁଜିଲାଣ୍ଡ ଗସ୍ତରେ ନିଜ ଘାତକ ବୋଲିଂରେ ଚର୍ଚ୍ଚାରେ ଥିବା ଭାରତୀୟ ଦ୍ରୁତ ବୋଲର ଗୁରନୂର ବରାଡ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ର ଶେଷ ମ୍ୟାଚରୁ ବାଦ୍ ପଡ଼ିପାରନ୍ତି। ରିପୋର୍ଟ ଅନୁସାରେ, ଭାରତୀୟ ଦଳର ମ୍ୟାନେଜମେଣ୍ଟ ଏହି ଲମ୍ବା ଉଚ୍ଚତା ବିଶିଷ୍ଟ ଦ୍ରୁତ ବୋଲରଙ୍କୁ ଦିନିକିଆ ସ୍କୱାଡରୁ ମୁକ୍ତ କରି ସିଧାସଳଖ ୱେଲିଂଟନରେ ଥିବା ଭାରତୀୟ ଟେଷ୍ଟ ଦଳର କ୍ୟାମ୍ପରେ ସାମିଲ କରିବାକୁ ଯୋଜନା କରୁଛି।
ରିପୋର୍ଟ ଅନୁସାରେ, ଶୁକ୍ରବାର ମାଉଣ୍ଟ ମାଉଙ୍ଗାନୁଇରେ ହେବାକୁ ଥିବା ଚତୁର୍ଥ ଦିନିକିଆ ମ୍ୟାଚ ଶେଷ ହେବା ପରେ ଗୁରନୂର ବରାଡଙ୍କୁ ଦଳରୁ ମୁକ୍ତ କରିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ନ୍ୟୁଜିଲାଣ୍ଡର ଦ୍ରୁତ ବୋଲରଙ୍କ ମୁକାବିଲା ପାଇଁ ଭାରତୀୟ ବ୍ୟାଟରଙ୍କୁ ପ୍ରସ୍ତୁତ କରିବା ଏହି ରଣନୀତିର ମୁଖ୍ୟ ଉଦ୍ଦେଶ୍ୟ।
ଚଳିତ ଦିନିକିଆ ସିରିଜରେ ଗୁରନୂର ଭାରତର ସବୁଠାରୁ ସଫଳ ବୋଲର ରହିଛନ୍ତି। ସିରିଜ୍ର ଦୁଇଟି ଇନିଂସ୍ରେ ମାତ୍ର ୧୦.୫୭ ହାରରେ ସେ ୭ଟି ଉଇକେଟ୍ ନେଇଛନ୍ତି। ବର୍ତ୍ତମାନ ସେ ଏହି ସିରିଜରେ ସର୍ବାଧିକ ଉଇକେଟ୍ ନେଇଥିବା ବୋଲର ଅଛନ୍ତି।