Categories: ଖେଳ

ଶାର୍ଦ୍ଦୁଳ ଠାକୁରଙ୍କୁ ସିଡ୍‌ନୀରେ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ,୩୧ା୧୨- ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି ଭାରତୀୟ ପେସର ଉମେଶ ଯାଦବ । ତାଙ୍କ ବଦଳରେ ସିଡ୍‌ନୀଠାରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟରେ ଉଦୀୟମାନ ପେସର ଟି. ନଟରାଜନଙ୍କୁ ନୁହେଁ ଶାର୍ଦ୍ଦୁଳ ଠାକୁରଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ଦେଇପାରେ ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ।

ଟି୨୦ ସିରିଜ୍‌ରେ ଜବରଦସ୍ତ ବୋଲିଂ ପରେ ନଟରାଜନଙ୍କୁ ଟେଷ୍ଟ ପଦାର୍ପଣ କରିବାର ସୁଯୋଗ ମିଳିବ ବୋଲି ଆଲୋଚନା ହେଉଛି। ହେଲେ ସେ ଏପର୍ଯ୍ୟନ୍ତ ତାମିଲନାଡୁ ପକ୍ଷରୁ ମାତ୍ର ଗୋଟେ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଛନ୍ତି। ଅନ୍ୟ ପଟେ ଶାର୍ଦ୍ଦୁଳ ମୁମ୍ବାଇ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟରେ ପ୍ରଭାବଶାଳୀ ପ୍ରଦର୍ଶନ କରିଆସିଛନ୍ତି। ଦୁଭାଗ୍ୟବଶତଃ ଆହତ ସମସ୍ୟା ଯୋଗୁ ଶାର୍ଦ୍ଦୁଳ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପଦାର୍ପଣ ଟେଷ୍ଟରେ ପ୍ରଥମ ଓଭର ମଧ୍ୟ ପୂରଣ କରିପାରି ନ ଥିଲେ। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଫିଟ୍‌ ଓ ତାଙ୍କୁ ଉମେଶଙ୍କ ବଦଳରେ ସୁଯୋଗ ମିଳିପାରେ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।

ଶାର୍ଦ୍ଦୁଳ ଓ ନଟରାଜନଙ୍କ ମଧ୍ୟରୁ କାହାକୁ ମିଳିବ ସୁଯୋଗ, ତାହା କୋଚ୍‌ ରବି ଶାସ୍ତ୍ରି ଓ ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ଉପରେ ନିର୍ଭର କରେ। ପ୍ରଥମ ଶ୍ରେଣୀ କ୍ରିକେଟରେ ୬୨ ମ୍ୟାଚ୍‌ ଖେଳିଥିବା ଶାର୍ଦ୍ଦୁଳ ୨୦୬ ଉଇକେଟ ନେଇଛନ୍ତି। ଆଉ ତାଙ୍କର ବ୍ୟାଟିଂ ଦକ୍ଷତା ମଧ୍ୟ ରହିଛି। ତାଙ୍କ ନାମରେ ଅଛି ୬ଟି ପ୍ରଥମ ଶ୍ରେଣୀ ଅର୍ଦ୍ଧଶତକ।

 

Share