Categories: Home Leftଖେଳ

ପାକିସ୍ତାନଠାରୁ ହାରି ବି ସେମିଫାଇନାଲ ଖେଳିବ ଭାରତ! ଏମିତି ହେବ ଟିମ ଇଣ୍ଡିଆର ଏଣ୍ଟ୍ରି

ନୂଆଦିଲ୍ଲୀ, ୯।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ରେ ପାକିସ୍ତାନ ଅଣ୍ଡର-୧୯ ଟିମ ବିପକ୍ଷରେ ରୋମାଞ୍ଚକର ମୁକାବିଲାରେ ପରାଜୟ ସତ୍ତ୍ୱେ ଭାରତୀୟ ଅଣ୍ଡର-୧୯ ଟିମର ସେମିଫାଇନାଲରେ ପହଞ୍ଚିବା ଆଶା ଏବେ ବି ଜୀବିତ ରହିଛି। ପାକିସ୍ତାନ ବିପକ୍ଷରେ ପରାଜୟ ପରେ ମଧ୍ୟ ଅଧିନାୟକ ଲକ୍ଷ୍ୟ ରାଜେଶ ରାୟଚନ୍ଦାନୀଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି। ପାକିସ୍ତାନ ଟିମ ନିଜର ଦୁଇଟି ଯାକ ମ୍ୟାଚ ଜିତି ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଛି। ଅନ୍ୟପଟେ ଭାରତ ଏବଂ ୟୁଏଇ ଟିମ ଦୁଇଟି ମ୍ୟାଚ ଖେଳି ୨-୨ ପଏଣ୍ଟ ହାସଲ କରିଛନ୍ତି।

ଭାରତୀୟ ଅଣ୍ଡର-୧୯ ଟିମକୁ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବା ପାଇଁ ପରବର୍ତ୍ତୀ ମ୍ୟାଚରେ ଯେକୌଣସି ପରିସ୍ଥିତିରେ ୟୁଏଇକୁ ପରାସ୍ତ କରିବାକୁ ପଡ଼ିବ। ଯଦି ଭାରତୀୟ ଟିମ ଏହି ମ୍ୟାଚରେ ବିଜୟୀ ହୁଏ, ତେବେ କୌଣସି ଅନ୍ୟ ସମୀକରଣ ଉପରେ ନିର୍ଭର ନକରି ସିଧାସଳଖ ସେମିଫାଇନାଲକୁ ଯୋଗ୍ୟତା ହାସଲ କରିବ। ଅନ୍ୟପଟେ ୟୁଏଇ ବିପକ୍ଷରେ ଯଦି ଟିମ ଇଣ୍ଡିଆ ପରାଜିତ ହୁଏ, ତେବେ ଟୁର୍ନାମେଣ୍ଟରୁ ତା’ର ଅଭିଯାନ ଶେଷ ହୋଇଯିବ। ତେଣୁ ଏହି ମ୍ୟାଚ ଭାରତୀୟ ଟିମ ପାଇଁ ଏକ ଭର୍ଚୁଆଲ ନକଆଉଟ ଏବଂ ‘କର ବା ମର’ ମୁକାବିଲା ସାବ୍ୟସ୍ତ ହେବାକୁ ଯାଉଛି।

ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତର ଟପ ଅର୍ଡର ବ୍ୟାଟର୍ମାନେ ନିରାଶ କରିଥିଲେ। କିନ୍ତୁ ଏବେ ୟୁଏଇ ବିପକ୍ଷରେ ଷ୍ଟାର୍‌ ବ୍ୟାଟର୍ମାନଙ୍କୁ ନିଜ ଦାୟିତ୍ୱ ବୁଝିବାକୁ ପଡ଼ିବ। ଓପନର୍‌ ଆର୍ଯ୍ୟବୀର ସେହୱାଗଙ୍କଠାରୁ ଟିମ ଏକ ଆକ୍ରମଣାତ୍ମକ ଆରମ୍ଭ ଆଶା କରିବ। ସେହିପରି ଅଧିନାୟକ ଲକ୍ଷ୍ୟ ରାଜେଶ ରାୟଚନ୍ଦାନୀଙ୍କୁ ଆଗରୁ ନେତୃତ୍ୱ ନେଇ ବଡ଼ ସ୍କୋର କରିବାକୁ ହେବ। ମଧ୍ୟକ୍ରମ ଏବଂ ଶେଷ ଓଭର୍ଗୁଡ଼ିକରେ ଉଇକେଟ୍‌କିପର ଅନୱୟ ଦ୍ରାବିଡଙ୍କ ବିସ୍ଫୋରକ ବ୍ୟାଟିଂ ଟିମ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଏହା ବ୍ୟତୀତ ପାକିସ୍ତାନ ବିପକ୍ଷରେ ଦମ୍ଦାର ଶତକ ହାସଲ କରିଥିବା ଅର୍ଜୁନ ରାଜପୁତଙ୍କ ଉପରେ ମଧ୍ୟ ପ୍ରଶଂସକ ଏବଂ ଟିମ ମ୍ୟାନେଜମେଣ୍ଟର ନଜର ରହିବ।

Dharitri – Odisha’s No.1 Odia Daily

Share