Categories: ଖେଳ

ଦକ୍ଷିଣ ଆଫ୍ରିକା ଗସ୍ତ ଉପରୁ ହଟିଲା କଳାବାଦଲ

କୋଲକାତା, ୪ା୧୨: ଦକ୍ଷିଣ ଆଫ୍ରିକାରେ କୋଭିଡ୍‌ର ନୂଆ ଭାରିଆଣ୍ଟ ସତ୍ତ୍ୱେ ଭାରତୀୟ ଦଳ ଏହି ଦେଶକୁ ଖେଳିବା ପାଇଁ ଗସ୍ତ କରିବ। ତେବେ ଉଭୟ ଦେଶର କ୍ରିକେଟ ବୋର୍ଡର ନିଷ୍ପତ୍ତି କ୍ରମେ କାର୍ଯ୍ୟସୂଚୀରେ କିଛିଟା ପରିବର୍ତ୍ତନ କରାଯାଇଛି। ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତକୁ ଗୋଟିଏ ସପ୍ତାହ ଘୁଞ୍ଚାଇ ଦିଆଯାଇଛି। କାର୍ଯ୍ୟସୂଚୀରୁ ଟି୨୦ ସିରିଜକୁ ବାଦ୍‌ ଦିଆଯାଇଛି। ତେବେ ୪ ମ୍ୟାଚ ବିଶିଷ୍ଟ ଏହି ସିରିଜ ପରେ କେବେ ଖେଳାଯିବ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ପକ୍ଷରୁ ଶୀଘ୍ର ସ୍ପଷ୍ଟ କରି ଦିଆଯାଇଛି। ନୂଆ କାର୍ଯ୍ୟସୂଚୀ ପାଇଁ ଭେନ୍ୟୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘୋଷଣା କରାଯିବ ବୋଲି କୁହାଯାଇଛି।

ଦକ୍ଷିଣ ଆଫ୍ରିକାରେ କୋଭିଡ୍‌ର ନୂଆ ଭାରିଆଣ୍ଟ ଦେଖା ଦେବା ପରେ ଏହି ଦେଶକୁ ଭାରତୀୟ କ୍ରିକେଟ ଦଳ ଗସ୍ତ କରିବା କି ନା ସେ ନେଇ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ତାହାର ଅବସାନ ଘଟିଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଭାରତୀୟ ଦଳକୁ ଆସନ୍ତା ୯ରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବାର ଥିଲା। ସଂଶୋଧିତ କାର୍ଯ୍ୟସୂଚୀ ଅନୁସାରେ ଟେଷ୍ଟ ସିରିଜ ବର୍ତ୍ତମାନ ଡିସେମ୍ବର ୧୭ ପରିବର୍ତ୍ତେ ଡିସେମ୍ବର ୨୬ରୁ ଖେଳାଯିବ। ଏହାପରେ ୩ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସମ୍ପାଦକ ଜୟ ଶାହା ପ୍ରକାଶ କରିଛନ୍ତି। ସିରିଜ ପାଇଁ ବିସିସିଆଇର ପ୍ରତିଶ୍ରୁତିବଦ୍ଧତାକୁ ଦକ୍ଷିଣ ଆଫ୍ରିକା କ୍ରିକେଟ ପ୍ରଶଂସା କରିଛି। ସିରିଜ ସମୟରେ ଖେଳାଳିମାନଙ୍କ ସୁରକ୍ଷିତ ଖେଳ ପରିବେଶ ପାଇଁ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଏସ୍‌ଏ କହିଛି।

Share