ଅର୍ଥନୈତିକ ସମ୍ପର୍କ ବଢ଼ାଇବାକୁ ଭାରତ, ଦକ୍ଷିଣ କୋରିଆ ରାଜି

ନୂଆଦିଲ୍ଲୀ,୨୧ା୪ (ପି.ଟି.): ଭୂରାଜନୈତିକ ଅସ୍ଥିରତା ଦୃଷ୍ଟିରୁ ବାଣିଜ୍ୟ କ୍ଷେତ୍ରରେ ବାଧା ବଢ଼ୁଥିବାବେଳେ ଭାରତ ଏବଂ ଦକ୍ଷିଣ କୋରିଆ ସେମାନଙ୍କ ବାଣିଜି୍ୟକ ଚୁକ୍ତିକୁ ଅପ୍‌ଗ୍ରେଡ କରିବା ଲାଗି ଆଲୋଚନା ପାଇଁ ସୋମବାର ସହମତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜାଏ ମ୍ୟୁଙ୍ଗ୍‌ଙ୍କ ମଧ୍ୟରେ ଆଲୋଚନା ପରେ ଉଭୟ ପକ୍ଷ ଏହା ଘୋଷଣା କରିଛନ୍ତି। ବୈଶ୍ୱିକ ଉତ୍ତେଜନା ଲାଗିରହିଥିବାବେଳେ ଭାରତ ଏବଂ ଦକ୍ଷିଣ କୋରିଆ ମିଳିତ ଭାବେ ଶାନ୍ତି ଓ ସ୍ଥିରତାର ବାର୍ତ୍ତା ଦେଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ସୁନିଶ୍ଚିତ କରିବା ଦିଗରେ ଉଭୟେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଛନ୍ତି।
ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ନୂଆଦିଲ୍ଲୀ ଏବଂ ସିଓଲ ମଧ୍ୟରେ କେତେକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ୨୦୧୦ରେ ବିସ୍ତୃତ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା (ସିଇପିଏ) କାର୍ଯ୍ୟକାରୀ ହେବା ପରେ ଦ୍ୱିପାକ୍ଷିକ ବାଣିଜ୍ୟ ଓ ଅର୍ଥନୈତିକ ସମ୍ପର୍କ ଅଧିକ ଶକ୍ତିଶାଳୀ ହୋଇଥିଲା।

Dharitri – Odisha’s No.1 Odia Daily