Categories: ଖେଳ

ଟି୨୦ ବିଶ୍ୱକପ୍‌ରେ ସର୍ବାଧିକ ସ୍କୋର ଛିଡ଼ାକଲା ଭାରତ

ଆବୁଧାବି,୩।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଲଗାତାର ଦୁଇ ମ୍ୟାଚ୍‌ରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିବା ଭାରତୀୟ ଦଳର ବ୍ୟାଟରମାନେ ବୁଧବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ କମାଲ ଦେଖାଇଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ୨୦ ଓଭରରେ ୨ ଉଇକେଟ ହରାଇ ୨୧୦ ରନ୍‌ କରିଛି। ଏହା ଚଳିତ ଟି୨୦ ବିଶ୍ୱକପ୍‌ର ସର୍ବାଧିକ ଦଳଗତ ସ୍କୋର।

ଆରମ୍ଭରୁ ଛକା, ଚୌକା ବର୍ଷା କରିଥିଲା ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଓପନିଂ ଯୋଡ଼ି। ଦୁହେଁ ପ୍ରଥମ ଉଇକେଟ ପାଇଁ ଯୋଡ଼ିଥିଲେ ୧୪୦ ରନ୍‌। ଏହା ଟି୨୦ ଫର୍ମାଟରେ ଭାରତ ପାଇଁ ସବୁଠୁ ବଡ଼ ଭାଗିଦାରୀ। ରାହୁଲ ୬୯ (୬ ଚୌକା ଓ ୨ ଛକା) ଓ ରୋହିତ ୭୪ (୮ ଚୌକା ଓ ୩ ଛକା) ରନ୍‌ର ଇନିଂସ ଖେଳିଥିଲେ। ଦୁଇ ଓପନର ଆଉଟ୍‌ ହେବା ପରେ ଛକା, ଚୌକା ଭାର ସମ୍ଭାଳିଥିଲେ ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା। ଉଭୟ ବ୍ୟାଟର ୩ୟ ଉଇକେଟ ପାଇଁ୨୧ ବଲରେ ଯୋଡ଼ିଥିଲେ ୬୩ ରନ୍‌। ୧୩ ଲେଖାଏ ବଲ ଖେଳି ପନ୍ତ ୨୭ (୧ ଚୌକା ଓ ୩ ଛକା) ଓ ପାଣ୍ଡ୍ୟା ୩୫ (୪ ଚୌକା ଓ ୨ ଛକା) ରନ୍‌ କରିଥିଲେ। ଫଳରେ ଭାରତ ୨୦ ଓଭରରେ ୨ ଉଇକେଟ ହରାଇ ୨୧୦ ରନ୍‌ କରିଛି।

Share