Categories: ଖେଳ

ସ୍ବର୍ଣ୍ଣ ସହ ଭାରତକୁ ଅଲିମ୍ପିକ୍ସ ଯୋଗ୍ୟତା

ହାଙ୍ଗଝୋ, ୭।୧୦: ଏସିଆନ ଗେମ୍ସର ହକି ଇଭେଣ୍ଟରୁ ଭାରତ ପାଇଁ ଆସିଛି ବଡ଼ ଖବର। ଶୁକ୍ରବାର ଅନୁଷ୍ଠିତ ପୁରୁଷ ହକି ଫାଇନାଲରେ ଭାରତ ୫-୧ ଗୋଲରେ ଗତଥରର ଚାମ୍ପିୟନ ଜାପାନକୁ ହରାଇ ସ୍ବର୍ଣ୍ଣ ପଦକ ଅର୍ଜନ କରିଛି। ଏଥିସହ ଭାରତୀୟ ଦଳ ପ୍ୟାରିସ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି। ଭାରତ ଶେଷଥର ପାଇଁ ୨୦୧୪ ଇଞ୍ଚିଅନ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲା। ଅର୍ଥାତ୍‌ ୯ ବର୍ଷ ବ୍ୟବଧାନରେ ଭାରତକୁ ପୁଣି ସ୍ବର୍ଣ୍ଣିମ ସଫଳତା ମିଳିଛି। ଏହାକୁ ମିଶାଇ ଏସିଆଡ୍‌ରେ ଭାରତ ମୋଟ ଚତୁର୍ଥ ଥର ପାଇଁ ସ୍ବର୍ଣ୍ଣ ପଦକ ପାଇଛି। ୨୦୧୪ ବ୍ୟତୀତ ୧୯୬୬ ଓ ୧୯୯୮ ମସିହାରେ ମଧ୍ୟ ଭାରତୀୟ ଦଳ ସ୍ବର୍ଣ୍ଣ ବିଜୟୀ ହୋଇଥିଲା।
ଭାରତୀୟ ହକି ଦଳର ସଦସ୍ୟଭାବେ ଓଡ଼ିଶାର ଅମିତ ରୋହିଦାସ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଅର୍ଥାତ୍‌ ଚଳିତ ଏସିଆନ ଗେମ୍ସରେ ଦ୍ୱିତୀୟ ଓଡ଼ିଆ ଭାବେ ସେ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ପୁରୁଷ ଜାଭେଲିନ୍‌ ଥ୍ରୋରେ କିଶୋର କୁମାର ଜେନା ରୌପ୍ୟ ପଦକ ଅର୍ଜନ କରିଥିଲେ। ଏବେ ହକିରେ ସ୍ବର୍ଣ୍ଣ ପଦକ ଜିତି ଅମିତ ରାଜ୍ୟ ଏବଂ ଦେଶକୁ ଗର୍ବିତ କରିଛନ୍ତି।
ନିକଟ ଅତୀତରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ଉତ୍ସାହଜନକ ରହିଥିଲେ ମଧ୍ୟ ଭାରତ ଗତଥରର ଚାମ୍ପିୟନ ଜାପାନକୁ ହାଲୁକାଭାବେ ନେଇ ନ ଥିଲା। ତେବେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳି ଭାରତ ଫାଇଦାରେ ରହିଥିଲା। ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟ କ୍ୱାର୍ଟରରେ ଅର୍ଥାତ୍‌ ୨୫ତମ ମିନିଟରେ ମନପ୍ରୀତ ସିଂ ଏକ ଗୋଲ ଦେଇ ଭାରତକୁ ପ୍ରଥମାର୍ଦ୍ଧ ଶେଷ ବେଳକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟାର୍ଦ୍ଧରେ ଭାରତର ଆକ୍ରମଣ ଅଧିକ ଶାଣିତ ହୋଇଥିଲା। ୩୨ତମ ମିନିଟରେ ଅଧିନାୟକ ହରମନପ୍ରୀତ ସିଂ ଗୋଲ ଦେଇ ପ୍ରତିପକ୍ଷ ଦଳ ଉପରେ ଚାପ ପକାଇଥିଲେ। ୩୬ତମ ମିନିଟରେ ଓଡ଼ିଶାର ଅମିତ ରୋହିଦାସ ଏକ ଗୋଲ ସ୍କୋର କରି ଏହାକୁ ୩-୦ରେ ପରିଣତ କରିଥିଲେ। ତୃତୀୟ ତଥା ଅନ୍ତିମ କ୍ୱାର୍ଟରରେ ଆକ୍ରମଣ ପ୍ରତିଆକ୍ରମଣ ଜୋରଦାର ହୋଇଥିଲା। ୪୮ତମ ମିନିଟରେ ଅଭିଷେକ ଗୋଲ ଦେଇ ଭାରତର ଅଗ୍ରଣୀ ବ୍ୟବଧାନକୁ ଆଗେଇ ନେଇଥିଲେ। ୫୧ତମ ମିନିଟରେ ପେନାଲ୍ଟି କର୍ନରରୁ ଜାପାନର ସେରେନ ଟନକା ଗୋଟିଏ ଗୋଲ ପରିଶୋଧ କରିଥିଲେ। ମାତ୍ର ସେତେବେଳକୁ ବହୁ ବିଳମ୍ବ ହୋଇ ଯାଇଥିଲା। ମ୍ୟାଚ ଶେଷ ହେବାର ଅଳ୍ପକିଛି କ୍ଷଣ ପୂର୍ବରୁ ଅର୍ଥାତ୍‌ ୫୯ତମ ମିନିଟରେ ହରମନପ୍ରୀତ ବ୍ୟକ୍ତିଗତ ଦ୍ୱିତୀୟ ଏବଂ ଦଳ ପକ୍ଷରୁ ୫ମ ଗୋଲଟି ସ୍କୋର କରି ନିଜ ବଳିଷ୍ଠ ନେତୃତ୍ୱର ପରିଚୟ ଦେଇଥିଲେ। ତୃତୀୟ ସ୍ଥାନ ପାଇଁ ପ୍ଲେ-ଅଫ୍‌ରେ ଚାଇନାକୁ ୨-୧ ଗୋଲରେ ହରାଇ ଦକ୍ଷିଣ କୋରିଆ ବ୍ରୋଞ୍ଜ ପଦକ ହାସଲ କରିଛି।
ହକି ସଫଳତା ପଛରେ ଓଡ଼ିଶାର ଅବଦାନ
ଭାରତୀୟ ହକି ଦଳର ସଫଳତା ପଛରେ ଓଡ଼ିଶାର ଅବଦାନ ରହିଛି। ଭାରତୀୟ ହକି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବାବେଳେ ୨୦୧୮ରେ ସହାୟତାର ହାତ ବଢ଼ାଇଥିଲେ ଓଡ଼ିଶା ସରକାର। ଅର୍ଥାତ୍‌ ଓଡ଼ିଶା ୨୦୧୮ରୁ ଭାରତୀୟ ହକି ଦଳର ପ୍ରାୟୋଜକ ରହି ଆସିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ସମେତ ଅନେକ କ୍ରୀଡ଼ାକୁ ପ୍ରୋତ୍ସାହିତ କରି ଆସୁଛନ୍ତି। ଫଳରେ ଓଡ଼ିଶା ଏକ କ୍ରୀଡ଼ା ହବ୍‌ରେ ପରିଣତ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ କ୍ରୀଡ଼ାର ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ ହୋଇଛି। ରାଉରକେଲାରେ ସର୍ବବୃହତ୍‌ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ ହୋଇଛି। ହକି ବିଶ୍ୱକପ୍‌ ସମେତ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏଠାରେ ଆୟୋଜନ ହେଉଛି। ୨୦୩୩ ପର୍ଯ୍ୟନ୍ତ ଓଡ଼ିଶା ଜାତୀୟ ହକି ଦଳର ପ୍ରାୟୋଜକ ରହିଛି। ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନ ଯୋଗୁ ଭାରତୀୟ ପୁରୁଷ ହକି ଦଳ ଯେ ଏବେ ପ୍ରଥମଥର ପାଇଁ ସଫଳତା ପାଇଛି ତା ନୁହେଁ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଦଳ ଦୀର୍ଘ ୪୧ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଥିଲା।

Share