କିଏ ଖେଳିବେ, କିଏ ପଡ଼ିବେ ବାଦ୍‌? ନ୍ୟୁଜିଲାଣ୍ଡ ବିପକ୍ଷରେ ଏମିତି ହେବ ଭାରତର ପ୍ଲେଇଂ ୧୧! ଗିଲ୍‌ ଦେଲେ ବଡ଼ ସଙ୍କେତ

ନୂଆଦିଲ୍ଲୀ, ୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଅକଲାଣ୍ଡର ଇଡେନ ପାର୍କରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ଶୁଭମନ ଗିଲ ପ୍ଲେଇଂ ଏକାଦଶକୁ ନେଇ ଏକ ବଡ଼ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି, ପ୍ଲେଇଂ ଏକାଦଶର ପ୍ରଥମ ୪ ଜଣ ବ୍ୟାଟରଙ୍କ ସ୍ଥାନ ପ୍ରାୟ ନିଶ୍ଚିତ। ତେବେ ୫ ଓ ୬ ନମ୍ବର ସ୍ଥାନ ପାଇଁ ଦଳରେ ପରୀକ୍ଷାନିରୀକ୍ଷା କରାଯିବ। ଏଭଳି ସ୍ଥିତିରେ ପ୍ରଥମ ଦିନିକିଆରେ ଭାରତର ସମ୍ଭାବ୍ୟ ଏକାଦଶ କିପରି ହୋଇପାରେ, ଆସନ୍ତୁ ଜାଣିବା।

ମଧ୍ୟକ୍ରମ ବ୍ୟାଟିଂ ହିଁ ଚୟନକର୍ତ୍ତାଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ଋତୁରାଜ ଗାଏକ୍ୱାଡ ଜଣେ ଭରସାଯୋଗ୍ୟ ବ୍ୟାଟର ଭାବେ ଦଳକୁ ଆଉ ଏକ ବିକଳ୍ପ ଦେଉଛନ୍ତି। ସେହିପରି ନମନ ଧୀର ନିଜର ଅଲରାଉଣ୍ଡ ଦକ୍ଷତା ଜରିଆରେ ଦଳର ରଣନୀତିକୁ ଅଧିକ ମଜଭୁତ କରିପାରିବେ। ଅକ୍ଷର ପଟେଲ ଓ ନୀତୀଶ କୁମାର ରେଡ୍ଡୀଙ୍କ ଉପସ୍ଥିତି ଦଳକୁ ଅତିରିକ୍ତ ସନ୍ତୁଳନ ଦେବ। ଏହାଦ୍ୱାରା ଭାରତର ବ୍ୟାଟିଂ ଗଭୀରତା ମଧ୍ୟ ବୃଦ୍ଧି ପାଇବ।

ଓପନର ଭାବେ ଶୁଭମନ ଗିଲଙ୍କ ସହ ରୋହିତ ଶର୍ମା ଇନିଂସ ଆରମ୍ଭ କରିବେ। ୩ ନମ୍ବର ସ୍ଥାନରେ ବିରାଟ କୋହଲି ଖେଳିବା ପ୍ରାୟ ନିଶ୍ଚିତ। ୪ ନମ୍ବରରେ ଋତୁରାଜ ଗାଏକ୍ୱାଡଙ୍କୁ ସୁଯୋଗ ମିଳିପାରେ। ଏହାପରେ ୫ ନମ୍ବରରେ କେଏଲ ରାହୁଲ ଏବଂ ୬ ନମ୍ବରରେ ଅଲରାଉଣ୍ଡର ନମନ ଧୀରଙ୍କୁ ଖେଳିବାର ସୁଯୋଗ ମିଳିବା ସମ୍ଭାବନା ରହିଛି।

ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ନଥିବାରୁ ନମନ ଧୀରଙ୍କ ପାଇଁ ଏହି ଦିନିକିଆ ସିରିଜ ଏକ ବଡ଼ ସୁଯୋଗ ହେବ। ଟି-୨୦ ଫର୍ମାଟରେ ନିଜର ପ୍ରଦର୍ଶନ ଜରିଆରେ ନମନ ନିଜ ଦକ୍ଷତା ପ୍ରମାଣିତ କରିସାରିଛନ୍ତି। ତେଣୁ ଏହି ସିରିଜ୍ରେ ଦିନିକିଆ ଫର୍ମାଟରେ ମଧ୍ୟ ନିଜକୁ ପ୍ରମାଣିତ କରିବାକୁ ତାଙ୍କ ପାଖରେ ଭଲ ସୁଯୋଗ ରହିବ।

ଏହାପରେ ଅକ୍ଷର ପଟେଲ ଓ ନୀତୀଶ ରେଡ୍ଡୀଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିପାରେ। ଟି-୨୦ ସିରିଜ୍ରେ ଗୋଟିଏ ହେଲେ ମ୍ୟାଚ ଖେଳିନଥିବା କୁଲଦୀପ ଯାଦବ ପ୍ରଥମ ଦିନିକିଆରେ ଭାରତୀୟ ଏକାଦଶରେ ସ୍ଥାନ ପାଇପାରନ୍ତି।

ଦ୍ରୁତ ବୋଲିଂ ବିଭାଗର ଦାୟିତ୍ୱ ମହମ୍ମଦ ସିରାଜଙ୍କ କାନ୍ଧରେ ରହିବ। ତାଙ୍କ ସହ ଗୁରନୂର ବରାଡ଼ ଦ୍ରୁତ ବୋଲିଂରେ ସହଯୋଗ କରିପାରନ୍ତି। ଅନ୍ୟପକ୍ଷରେ ଅଂଶୁଲ କାମ୍ବୋଜ ଓ ଅର୍ଶଦୀପ ସିଂହଙ୍କ ମଧ୍ୟରୁ ଜଣଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବାର ସମ୍ଭାବନା ରହିଛି।

ପ୍ରଥମ ଦିନିକିଆ ପାଇଁ ଭାରତର ସମ୍ଭାବ୍ୟ ଏକାଦଶ:

ଶୁଭମନ ଗିଲ, ରୋହିତ ଶର୍ମା, ବିରାଟ କୋହଲି, ଋତୁରାଜ ଗାଏକ୍ୱାଡ, କେଏଲ ରାହୁଲ, ନମନ ଧୀର, ଅକ୍ଷର ପଟେଲ, ନୀତୀଶ ରେଡ୍ଡୀ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଗୁରନୂର ବରାଡ଼, ଅଂଶୁଲ କାମ୍ବୋଜ/ଅର୍ଶଦୀପ ସିଂହ।

 

Dharitri – Odisha’s No.1 Odia Daily

Share
Tags: 1st ODIIndia