ନୂଆଦିଲ୍ଲୀ,୧୦।୫: ପାକିସ୍ତାନର ବିଫଳ ଆକ୍ରମଣ ପ୍ରୟାସ ମଧ୍ୟରେ, ଭାରତ ସରକାର ଶନିବାର (୧୦ ମଇ, ୨୦୨୫) ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନକୁ ସ୍ପଷ୍ଟ ବାର୍ତ୍ତା ଦେଇ କୁହାଯାଇଛି ଯେ ଯଦି ଭାରତରେ କୌଣସି ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଏହାକୁ ଯୁଦ୍ଧ ବା ଆକ୍ଟ ଅଫ ଓ୍ବାର (Act of War) ଭାବରେ ବିବେଚନା କରାଯିବ। ଶୀର୍ଷ ସରକାରୀ ସୂତ୍ର କହିଛନ୍ତି ଯେ ଭବିଷ୍ୟତରେ ଯେକୌଣସି ଆତଙ୍କବାଦୀ କାର୍ଯ୍ୟକଳାପକୁ ଭାରତ ବିରୁଦ୍ଧରେ ଯୁଦ୍ଧ କାର୍ଯ୍ୟ ଭାବରେ ବିବେଚନା କରାଯିବ। ଏହା ସହିତ, ଏପରି ଯେକୌଣସି କାର୍ଯ୍ୟର ଉଚିତ ଜବାବ ଦିଆଯିବ।
ଭାରତୀୟ ସେନା ଶନିବାର କହିଛି ଯେ ଡ୍ରୋନ, ଦୂରଗାମୀ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ବିମାନ ବ୍ୟବହାର କରି ପଶ୍ଚିମ ସୀମାରେ ଥିବା ଅନ୍ୟ ଅଞ୍ଚଳ ଏବଂ ସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରି ବିପଦ ସୃଷ୍ଟି କରିବା ପାଇଁ ପାକିସ୍ତାନର ଉତ୍ତେଜନାମୂଳକ କାର୍ଯ୍ୟକୁ ପ୍ରଭାବଶାଳୀ ଭାବରେ ବିଫଳ କରିଛି। ଭାରତୀୟ ସେନା କହିଛି ଯେ ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳକୁ ତାର ସୈନ୍ୟଙ୍କୁ ସ୍ଥାନାନ୍ତର କରୁଛି ଯାହା ପରିସ୍ଥିତିକୁ ଆହୁରି ଖରାପ କରିବା ପାଇଁ ‘ଆକ୍ରମଣାତ୍ମକ ଉଦ୍ଦେଶ୍ୟ’କୁ ସୂଚିତ କରେ। ସେନା ଆହୁରି କହିଛି ଯେ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପ୍ରସ୍ତୁତିରେ ଅଛି।
ଏକ ବଡ଼ ସାମରିକ ସଂଘର୍ଷର ଭୟ ମଧ୍ୟରେ, ସାମରିକ ମୁଖପାତ୍ର କର୍ଣ୍ଣେଲ ସୋଫିଆ କ୍ୟୁରେଶୀ ଶୁକ୍ରବାର (୯ ମଇ, ୨୦୨୫) କହିଛନ୍ତି ଯେ ଭାରତୀୟ ସଶସ୍ତ୍ର ବାହିନୀ ଉତ୍ତେଜନା ବୃଦ୍ଧି ନ କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛି, ଯଦି ପାକିସ୍ତାନୀ ସେନା ମଧ୍ୟ ସେହିପରି କରେ। ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଏବଂ ବୈଦେଶିକ ସଚିବ ବିକ୍ରମ ମିଶ୍ରିଙ୍କ ସହ ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି।
ସୂଚନାଯୋଗ୍ୟ, ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ୨୬ ଜଣଙ୍କୁ ହତ୍ୟା ଘଟଣା ପରେ ଭାରତ ସରକାରଙ୍କ ନୀତିରେ ଏହା ଏକ ବଡ଼ ପରିବର୍ତ୍ତନ। ଏହି ଘଟଣାର ଜବାବରେ, ଭାରତୀୟ ସେନା ପାକିସ୍ତାନ ଏବଂ ପାକ ଅଧିକୃତ କଶ୍ମୀରର ନଅଟି ସ୍ଥାନରେ ବୋମା ମାଡ଼ କରିଛି। ଏଥିରେ ଶହ ଶହ ଆତଙ୍କବାଦୀ ନିହତ ହୋଇଛନ୍ତି। ଭାରତୀୟ ସେନାର ଏହି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ହତଚକିତ ହୋଇଯାଇଛି। ସେ ବାରମ୍ବାର ଭାରତୀୟ ସାମରିକ ଘାଟି ଏବଂ ଅନ୍ୟାନ୍ୟ ସ୍ଥାନ ଉପରେ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ, ଭାରତର ଦୃଢ଼ ପ୍ରତିରକ୍ଷା କବଚ ସେହି ଆକ୍ରମଣଗୁଡ଼ିକୁ ପ୍ରତିହତ କରୁଛି। ସେ ନିୟନ୍ତ୍ରଣ ରେଖାରେ ମଧ୍ୟ ପ୍ରବଳ ଗୁଳିମାଡ଼ କରୁଛନ୍ତି। ତଥାପି, ଭାରତ ପାକିସ୍ତାନ ଦ୍ୱାରା କରାଯାଇଥିବା ଏହି ଆକ୍ରମଣର ଉଚିତ ଜବାବ ଦେଉଛି।


