Categories: ଖେଳ

ଏକାଠି ଖେଳିପାରନ୍ତି ଭାରତ, ପାକିସ୍ତାନ ଖେଳାଳି

ନୂଆଦିଲ୍ଲୀ, ୧।୭: ଭାରତର ବିରାଟ କୋହଲି, ପାକିସ୍ତାନ ଅଧିନାୟକ ବାବର ଆଜମ ଆଗାମୀ ବର୍ଷ ଏକାଠି ଗୋଟିଏ ଦଳରେ ଖେଳିପାରନ୍ତି। ଏସିଆନ୍‌ କ୍ରିକେଟ କାଉନ୍‌ସିଲ (ଏସିସି) ଆଫ୍ରୋ-ଏସିଆ କପ୍‌କୁ ପୁଣିଥରେ ଆୟୋଜନ କରିବାକୁ ଯୋଜନା କରୁଥିବାରୁ ଏଭଳି ସମ୍ଭାବନା ସୃଷ୍ଟି ହୋଇଛି।

ଏହି ୫୦ ଓଭରିଆ ଟୁର୍ନାମେଣ୍ଟ ୨୦୦୫ରେ ପ୍ରଥମେ ଖେଳାଯାଇଥିଲା। ଏହାର ପରବର୍ତ୍ତୀ ସଂସ୍କରଣ ୨୦୦୭ରେ ଖେଳାଯିବାର ଥିଲା। କିନ୍ତୁ ଦୁଇ ପଡ଼ୋଶୀ ଦେଶ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଯୋଗୁ ଏହା ସମ୍ଭବ ହୋଇ ପାରି ନ ଥିଲା। ୨୦୦୫ରେ ପୂର୍ବତନ ଶ୍ରୀଲଙ୍କା ଅଧିନାୟକ ମାହେଲା ଜୟବର୍ଦ୍ଧନେ ଏସିଆ ଏକାଦଶ ଦଳର ନେତୃତ୍ୱ ନେଇଥିଲେ। ଦଳରେ ଭାରତ, ପାକିସ୍ତାନ ଓ ବାଂଲାଦେଶ ଦଳର ଖେଳାଳି ରହିଥିଲେ। ଏହି ଦଳ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ କେନିୟା ଖେଳାଳିଙ୍କୁ ନେଇ ଗଠିତ ଆଫ୍ରିକା ଦଳକୁ ହରାଇ ଦେଇଥିଲା। ଏସିସି ସଭାପତି ଜୟ ଶାହା କହିଛନ୍ତି, ”ପରବର୍ତ୍ତୀ ମାସରେ ହେବାକୁ ଥିବା ଏସିସି ବୈଠକରେ ଏହି ସିରିଜକୁ ଅନୁମୋଦନ ମିଳିବ। ଏହି ଟୁର୍ନାମେଣ୍ଟରୁ କେବଳ ରାଜସ୍ବ ମିଳିବ ତାହା ନୁହେଁ, ବରଂ ଏହା ଆଫ୍ରିକାରେ କ୍ରିକେଟର ଉନ୍ନତି କରିବ। ଆମେ ଏବେ ଏହାର ଆଇନଗତ ଦିଗ ଉପରେ କାର୍ଯ୍ୟ କରୁଛୁ। ବର୍ମିଂହାମ୍‌ରେ ହେବାକୁ ଥିବା ଆଇସିସି ବାର୍ଷିକ ବୈଠକରେ ଏହି ଟୁର୍ନାମେଣ୍ଟ ପାଇଁ ଏସିସି ଭେନ୍ୟୁ ଚିହ୍ନଟ କରିବ।“

Share