Categories: Home Leftଖେଳ

ଭାରତ-ପାକିସ୍ତାନ ମ୍ୟାଚ୍‌: ପୁଣି ଚର୍ଚ୍ଚାରେ ହ୍ୟାଣ୍ଡଶେକ ବିବାଦ

ନାଗୋୟା,୨ା୧୦: ଶନିବାର ଏସିଆନ ଗେମ୍ସ ପୁରୁଷ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ ପୂର୍ବରୁ ପୁଣି ଥରେ ହ୍ୟାଣ୍ଡଶେକ୍‌ ବିବାଦ ଚର୍ଚ୍ଚାକୁ ଆସିଛି। ଅନ୍ୟ ଇଭେଣ୍ଟରେ ଆଥ୍‌ଲେଟ୍ସମାନେ ହାତ ମିଳାଉଥିବା ବେଳେ ପାକିସ୍ତାନ କ୍ରିକେଟ ଦଳର ଖେଳାଳିଙ୍କ ସହ ଭାରତୀୟ ଦଳ ହାତ ମିଳାଇବ କି ନାହିଁ, ସେ ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।

ଗତବର୍ଷ ଅପରେଶନ ସିନ୍ଦୂର ପରଠାରୁ ଭାରତୀୟ ଖେଳାଳିମାନେ ଏପର୍ଯ୍ୟନ୍ତ ଏସିଆ କପ୍‌ ଓ ଆଇସିସି ଇଭେଣ୍ଟରେ ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରୁଛନ୍ତି। ମାତ୍ର ଏହି ଧାରା ଅଲିମ୍ପିକ୍‌ କାଉନ୍‌ସିଲ ଅଫ୍‌ ଏସିଆ (ଓସିଏ) ଦ୍ୱାରା ଆୟୋଜିତ କଣ୍ଟିନେଣ୍ଟାଲ ଇଭେଣ୍ଟରେ ଜାରି ରହିବ କି ନାହିଁ, ତାହା ଏକ ବଡ଼ ପ୍ରଶ୍ନ ହୋଇ ରହିଛି।

ତେବେ ୨୦୧୬ ଅଲିମ୍ପିକ୍ସରେ ଇଜିପ୍ଟିଆନ ଜୁଡୋକା ଇସ୍ଲାମ ଏଲ ଶେହାବି ଇସ୍ରାଏଲି ଆଥଲେଟ୍‌ ଅର ସାସନଙ୍କ ସହ ହାତ ମିଳାଇବାକୁ ମନା କରିଥିଲେ। ଏଥିଲାଗି ତାଙ୍କୁ ଦଣ୍ଡିତ କରାଯାଇ ନ ଥିଲା। କିନ୍ତୁ ଆଇଓସି ପକ୍ଷରୁ ଫେୟାର ପ୍ଲେ ଓ ସ୍ପିରିଟ୍‌ ଅଫ୍‌ ଫ୍ରେଣ୍ଡଶିପ୍‌ ନିୟମ ଭଙ୍ଗ କରିବା ପାଇଁ ଭର୍ତ୍ସନା କରାଯାଇଥିଲା ଏବଂ ତାଙ୍କ ନିଜସ୍ବ ଦଳ ତାଙ୍କୁ ସ୍ବଦେଶ ପଠାଇ ଦେଇଥିଲା।

ତେବେ ଚଳିତ ଏସିଆନ ଗେମ୍ସର ଟେବୁଲ ଟେନିସ ଓ ସ୍କ୍ବାଶ ପ୍ରତିଯୋଗିତାରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ହାତ ମିଳାଇଥିଲେ। ମ୍ୟାଚ୍‌ରେ ହାତ ମିଳାନ୍ତୁ କି ନାହିଁ, ଫାଇନାଲ ମ୍ୟାଚ୍‌ର ଫଳାଫଳ ଯାହା ବି ହେଉନା କାହିଁକି, ଉଭୟ ଭାରତ ଓ ପାକିସ୍ତାନ ଦଳକୁ ପୋଡିୟମରେ ଏକତ୍ରିତ ହେବାକୁ ପଡ଼ିବ। ମହିଳା ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳ ବ୍ରୋଞ୍ଜ ହାସଲ କରିଥିବା ପାକିସ୍ତାନ ଦଳ ସହ ଖେଳି ନ ଥିଲା। କିନ୍ତୁ ପାକିସ୍ତାନ ଖେଳାଳିଙ୍କ ସହ ସେମାନେ ପୋଡିୟମ ଶେୟାର କରିଥିଲେ।

Share