Categories: ଖେଳ

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି

ମୁମ୍ବାଇ,୧୭ା୩: ଭାରତ-ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଶୁକ୍ରବାର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି। ଭାରତର ଅଧିନାୟକ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ ବ୍ୟାଟିଂ କରିବ।

ନିୟମିତ ଅଧିନାୟକ ରୋହିତ ଶର୍ମା ପ୍ରଥମ ଦିନିକିଆ ଖେଳୁ ନ ଥିବା ବେଳେ ଷ୍ଟାଣ୍ଡଇନ୍‌ କ୍ୟାପଟେନ୍‌ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଦାୟିତ୍ୱ ନେଇଛନ୍ତି। ଦିନିକିଆରେ ପାଣ୍ଡ୍ୟା ପ୍ରଥମ ଥର ପାଇଁ ଅଧିନାୟକ ଦାୟିତ୍ୱ ନେଉଥିବାରୁ ବିଜୟରୁ ଆରମ୍ଭ କରିବାକୁ ଚାହିଁବେ।

ଭାରତରେ ଦିନିକିଆ ବିଶ୍ୱକପ ଆୟୋଜିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଏହି ସିରିଜରେ ଭାରତୀୟ ଦଳକୁ ପ୍ରସ୍ତୁତିର ସୁଯୋଗ ମିଳିବ। ୨୦୧୧ରେ ଶେଷ ଥର ପାଇଁ ଭାରତରେ ଦିନିକିଆ ବିଶ୍ୱକପ ହୋଇଥିବା ବେଳେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚାମ୍ପିୟନ ହୋଇଥିଲା। ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ଭାରତ ବିଜୟୀ ହୋଇଥିବା ବେଳେ ଦିନିକିଆ ବିଜୟରୁ ଆରମ୍ଭ କରିବାକୁ ଚାହିଁବ। ଅନ୍ୟପକ୍ଷେ ଷ୍ଟିଭ୍‌ ସ୍ମିଥ୍‌ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ମଧ୍ୟ ପ୍ରଥମ ମ୍ୟାଚ ଜିତି ଭାରତକୁ ଚାପରେ ରଖିବାକୁ ଭରପୂର ଉଦ୍ୟମ କରିବ।

Share