Categories: ଖେଳ

୬ ଓଭର ତିଷ୍ଠି ପାରିଲେନି ଦୁଇ ଓପନର

କେପ୍‌ ଟାଉନ,୧୨।୧: ନ୍ୟୁଲାଣ୍ଡ୍ସରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ଦ୍ୱିତୀୟ ମ୍ୟାଚ୍‌ରେ ଦୁଇ ଭାରତୀୟ ଓପନର ଫେଲ୍‌ ମାରିଛନ୍ତି। ଏପରି କି ଦୁହେଁ ୬ ଓଭର ତିଷ୍ଠି ପାରି ନ ଥିଲେ। ୫ମ ଓଭରର ୫ମ ବଲରେ କାଗିସୋ ରବାଡାକୁଙ୍କ ବଲକୁ ବ୍ୟାକଫୁଟ୍‌ରେ ଡିଫେନ୍ସ କରୁଥିବା ବେଳେ ସ୍ଲିପରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ ପ୍ରଥମେ ମୟଙ୍କ ଅଗ୍ରଓ୍ବାଲ (୭)। ସମାନ ଢ଼ଙ୍ଗରେ ପରବର୍ତ୍ତୀ ଓଭରରେ ଆଉଟ୍‌ ହୋଇଥିଲେ ଉପ ଅଧିନାୟକ ଲୋକେଶ ରାହୁଲ(୧୦)। କିନ୍ତୁ ଏଥର ବୋଲର ଥିଲେ ମାର୍କୋ ଜାନସେନ। ଏବେ ଦକ୍ଷିଣ ଆଫ୍ରିକୀୟ ବୋଲରଙ୍କ ଆଗରେ ଚେତେଶ୍ୱର ପୂଜାରା (୯) ଓ ଅଧିନାୟକ ବିରାଟ କୋହଲି (୧୪) କ୍ରିଜ୍‌ରେ ସଂଘର୍ଷ କରୁଛନ୍ତି। ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ୨ ଉଇକେଟ ହରାଇ ୫୭ ରନ୍‌ କରଛି। କୋହଲିଙ୍କ ନେତୃତ୍ୱାଧୀନ ଦଳ ଏବେ ୭୦ ରନ୍‌ରେ ଆଗୁଆ ଥିବା ବେଳେ ହାତରେ ୮ ଉଇକେଟ ଅଛି।

ଏଥି ପୂର୍ବରୁ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ଶେଷ ହୋଇଥିବା ୨୧୦ରେ। ଫଳରେ ୧୩ ରନ୍‌ର ଇନିଂସ ଅଗ୍ରଣୀ ହାସଲ କରିଛି ଭାରତୀୟ ଦଳ। ଯଶପ୍ରୀତ ବୁମରା ୫ ଉଇକେଟ ସଫଳତା ହାସଲ କରିଥିଲେ। ଉମେଶ ଯାଦବ ଓ ମହମ୍ମଦ ଶାମି ହାତେଇଥିଲେ ୨ ଲେଖାଏ ଉଇକେଟ।

Share