Categories: ଖେଳ

ଏସିଆନ ଚାମ୍ପିୟନଶିପ୍‌ ଟ୍ରଫି ବଜାୟ ରଖିପାରିଲା ନାହିଁ ଭାରତ

ଢାକା,୨୧।୧୨: ଏଠାରେ ଚାଲିଥିବା ଏସିଆନ ଚାମ୍ପିୟନଶିପ୍‌ ଟ୍ରଫି ହକି ଟୁର୍ନାମେଣ୍ଟରେ ଭାରତ ସେମିଫାଇନାଲ ବାଧା ଅତିକ୍ରମ କରିବାରେ ବିଫଳ ହୋଇଛି। ଇଭେଣ୍ଟରେ ଅପରାଜିତ ଥିବା ଟିମ୍‌ ଇଣ୍ଡିଆକୁ ସେମିଫାଇନାଲରେ ୫-୩ ଗୋଲରେ ହରାଇ ଦେଇଛି ଅପେକ୍ଷାକୃତ ଦୁର୍ବଳ ଜାପାନ। ଏହି ପରାଜୟ ଯୋଗୁ ଡିଫେଣ୍ଡିଂ ଚାମ୍ପିୟନ ଭାରତ ଏଥର ଟାଇଟଲ ବଜାୟ ରଖିପାରିନାହିଁ। କିନ୍ତୁ ମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳର ପଦକ ଆଶା ଏବେ ବି ଉଜ୍ଜୀବିତ ଅଛି। ବୁଧବାର ହେବାକୁ ଥିବା ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଭାରତ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ତା’ ପରେ କୋରିଆ ଓ ଜାପାନ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

ମ୍ୟାଚ୍‌ ଆରମ୍ଭରୁ ଅବିଶ୍ୱସନୀୟ ଖେଳ ଦେଖାଇଥିଲା ଜାପାନ। ପ୍ରଥମ ଦୁଇ ମିନିଟ୍‌ରେ ହିଁ ଦଳ ୨-୦ ଗୋଲର ଅଗ୍ରଣୀ ହାସଲ କରିଥିଲା। ଏଭଳି ପରିସ୍ଥିତି ଯୋଗୁ କଦାପି ମ୍ୟାଚ୍‌କୁ ଫେରିପାରି ନ ଥିଲା ଗତଥର ଚାମ୍ପିୟନ ଭାରତ। ଦ୍ୱିତୀୟ କ୍ୱାର୍ଟରରେ ଭାରତ ପାଇଁ ଦିଲପ୍ରୀତ ଗୋଲ ଦେଇଥିବା ବେଳେ ଜାପାନକୁ ମିଳିଥିବା ପେନାଲ୍ଟି କର୍ନରରୁ ସ୍କୋର କରିଥିଲେ କିରିଶିତା। ଫଳରେ ପ୍ରଥମାର୍ଦ୍ଧ ସୁଦ୍ଧା ଜାପାନ ୩-୧ରେ ଆଗୁଆ ଥିଲା। ତୃତୀୟ କ୍ୱାର୍ଟରରେ ଜାପାନର ଖେଳାଳିମାନେ ଆହୁରି ଦୁଇଟି ଗୋଲ ଦେଇ ଅଗ୍ରଣୀ ବ୍ୟବଧାନ (୫-୧)କୁ ଭାରତ ହାତରୁ ଦୂରକୁ ନେଇଯାଇଥିଲା। ଅନ୍ତିମ କ୍ୱାର୍ଟରରେ ହରପନପ୍ରୀତ ଓ ହାର୍ଦ୍ଦିକ ସିଂ ଗୋଲ ଦେଇଥିଲେ ମଧ୍ୟ ତାହା ଭାରତକୁ ପରାଜୟରୁ ବଞ୍ଚାଇ ପାରି ନ ଥିଲା।

Share