Categories: ଖେଳ

ଭାରତ ଚାମ୍ପିୟନ

ବେଙ୍ଗାଲୁରୁ,୫।୭: ସାଫ୍‌ ଫୁଟବଲ ଚାମ୍ପିୟନଶିପ୍‌ର ୧୪ତମ ସଂସ୍କରଣରେ ଭାରତ ଚାମ୍ପିୟନ ହୋଇଛି। ମଙ୍ଗଳବାର ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ଭାରତ ପେନାଲ୍ଟି ଶୁଟ୍‌ ଆଉଟ ୫-୪ ଗୋଲରେ କୁଏଟ୍‌କୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ଖେଳ ୧-୧ ଗୋଲରେ ବରାବର ରହିଥିଲା। କୁଏଟ୍‌ ପକ୍ଷରୁ ଶବିବ ଅଲ୍‌ ଖାଲ୍‌ଦି ୧୪ତମ ମିନିଟରେ ଗୋଲ ଦେଇ ଦଳକୁ ଅଗ୍ରଣୀ କରିଥିଲେ। ୩୮ତମ ମିନିଟରେ ଭାରତର ଲାଲିଆଞ୍ଜୁଆଲା ଚାଙ୍ଗଟେ ଗୋଲଟିକୁ ପରିଶୋଧ କରି ଦେଇଥିଲେ। ଏହାପରେ ନିର୍ଦ୍ଧାରିତ ସମୟ ଏବଂ ଅତିରିକ୍ତ ସମୟର ଖେଳରେ ଆଉ ଗୋଲ ହୋଇପାରି ନ ଥିଲା। ଫଳାଫଳ ନିର୍ଣ୍ଣୟ ପାଇଁ ପେନାଲ୍ଟି ଶୁଟ୍‌ ଆଉଟର ସହାୟତା ନିଆ ଯାଇଥିଲା। ଏହି ପର୍ଯ୍ୟାୟରେ ଭାରତ ୫ଟି ଗୋଲ ଦେଇଥିବାବେଳେ କୁଏଟ୍‌ ୪ଟି ଗୋଲ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଏହାକୁ ମିଶାଇ ଭାରତ ୯ମ ଥରପାଇଁ ସାଫ୍‌ କପ୍‌ ବିଜେତା ହୋଇଛି। ପୂର୍ବରୁ ୧୯୯୩, ୧୯୯୭, ୧୯୯୯, ୨୦୦୫, ୨୦୦୯, ୨୦୧୧, ୨୦୧୫ ଓ ୨୦୨୧ରେ ଭାରତ ଚାମ୍ପିୟନ ହୋଇଥିଲା। ଏଥିସହ ଗତ ସଂସ୍କରଣର ଚାମ୍ପିୟନ ଭାରତ ଏଥର ଟାଇଟଲ ବଜାୟ ରଖିବାରେ ସକ୍ଷମ ହୋଇଛି।

Share