Categories: ଜାତୀୟ

ଭାରତ ଆଂଶିକ ସ୍ବାଧୀନ

ନୂଆଦିଲ୍ଲୀ,୫ା୩:‘ସ୍ବାଧୀନ’ରୁ ‘ଆଂଶିକ ସ୍ବାଧୀନ’ ସ୍ତରକୁ ଭାରତର ପଦାବନତି ଘଟିଛି। ବୈଶ୍ୱିକ ଗଣତାନ୍ତ୍ରିକ ନେତା ହେବାର ସମ୍ଭାବନାକୁ ଭାରତ ତ୍ୟାଗ କରିଦେଇଥିବା ମନେହେଉଛି ବୋଲି ସଦ୍ୟ ପ୍ରକାଶିତ ଗଣତନ୍ତ୍ର ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଏହି ରିପୋର୍ଟ ଉପରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ଆସିନାହିଁ।
ଆମେରିକା ସରକାରଙ୍କ ପାଣ୍ଠିରେ ପରିଚାଳିତ ଏନ୍‌ଜିଓ ଫ୍ରିଡମ୍‌ ହାଉସ୍‌ ପକ୍ଷରୁ ପ୍ରତିବର୍ଷ ବିଶ୍ୱର ରାଜନୈତିକ ଅଧିକାର ଓ ସ୍ବାଧୀନତା ସମ୍ପର୍କରେ ବିବରଣୀ ପ୍ରକାଶ ପାଇଥାଏ। ଏହାର ଚଳିତ ବର୍ଷ ରିପୋର୍ଟର ଶୀର୍ଷକ ରହିଛି ‘ଫ୍ରିଡମ୍‌ ଇନ୍‌ ଦି ଓ୍ବାଲର୍‌ଡ ୨୦୨୧-ଡେମୋକ୍ରାସି ଅଣ୍ଡର ସିଏଜ୍‌’। ଏଥିରେ କୁହାଯାଇଛି ଯେ ଭାରତର ବୈଶ୍ୱିକ ଗଣତାନ୍ତ୍ରିକ ମାପଦଣ୍ଡ ଛବି ଖରାପ ହୋଇଯାଇଥିବାରୁ ସ୍ବାଧୀନ ରାଷ୍ଟ୍ରଗୁଡ଼ିକର ଉପର ପାହ୍ୟାରୁ ଏହି ଦେଶ ତଳକୁ ଖସିଥାଇପାରେ। ଫ୍ରିଡମ୍‌ ହାଉସ୍‌ ରିପୋର୍ଟ ୨୦୧୮, ୨୦୧୯, ୨୦୨୦ରେ ଭାରତ ସ୍ବାଧୀନ ର଼୍ୟାଙ୍କରେ ଥିଲା, ଯଦିଓ ଏହି ଅବଧି ମଧ୍ୟରେ ୧୦୦ ସ୍କେଲରୁ ଏହାର ସ୍କୋର ୭୭ରୁ ୭୧କୁ ଖସିଥିଲା। କିନ୍ତୁ ସଦ୍ୟ ରିପୋର୍ଟରେ ଭାରତ ଆହୁରି ତଳକୁ ଖସି ୬୭ତମ ସ୍ଥାନରେ ରହିଛି।
ପଦାବନତିର ଏହି ଧାରା ବିଶେଷକରି ୨୦୧୯ରେ ତ୍ୱରାନ୍ବିତ ହୋଇଥିଲା। କେନ୍ଦ୍ର ସରକାର ଏବଂ ରାଜ୍ୟସ୍ତରରେ ସରକାରଙ୍କ ସହଯୋଗୀମାନେ ୨୦୨୦ରେ ସମାଲୋଚକଙ୍କୁ ଟାର୍ଗେଟ କରିବା ବଢ଼ାଇଦେଇଥିଲେ। କରୋନା ଲକ୍‌ଡାଉନ୍‌ ଯୋଗୁ ଭାରତରେ ଲକ୍ଷ ଲକ୍ଷ ଆଭ୍ୟନ୍ତରୀଣ ପ୍ରବାସୀ ଶ୍ରମିକଙ୍କ ବିପଜ୍ଜନକ ଓ ଅଣଯୋଜନାବଦ୍ଧ ବିସ୍ଥାପନ ହୋଇଥିଲା। ଗଣତାନ୍ତ୍ରିକ ପରମ୍ପରାର ଏକ ଚାମ୍ପିୟନ୍‌ ରୂପେ କାର୍ଯ୍ୟ କରି ଚାଇନା ଭଳି ଏକନାୟକତ୍ୱବାଦୀ ପ୍ରଭାବକୁ ହ୍ରାସ କରିବା ପରିବର୍ତ୍ତେ ଭାରତର ସରକାର ଓ ଶାସକ ଦଳ ଦେଶକୁ ସ୍ବେଚ୍ଛାଚାରିତା ଆଡ଼କୁ ଟାଣିନେଇଛନ୍ତି। ସେହିପରି ନ୍ୟାୟପାଳିକାର ସ୍ବାଧୀନତା ମଧ୍ୟ ସଙ୍କୁଚିତ ହୋଇଛି। ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ଦଙ୍ଗା ବେଳେ ପ୍ରାଣ ହରାଇଥିବା ୫୦ ଜଣଙ୍କ ମଧ୍ୟରୁ ଅଧିକାଂଶ ମୁସ୍‌ଲିମ। ଏହି ହିଂସା ସମୟରେ ଦିଲ୍ଲୀ ପୋଲିସର ନିଷ୍କ୍ରିୟତାକୁ ନେଇ ତାଗିଦ କରିଥିବା ଜଣେ ବିଚାରପତିଙ୍କୁ ତୁରନ୍ତ ବଦଳି କରାଯାଇଥିଲା ବୋଲି ଉକ୍ତ ରିପୋର୍ଟରେ ଉଦାହରଣ ଦିଆଯାଇଛି। ଭାରତ ସରକାର ଅନେକ ବୈଷମ୍ୟ ସୃଷ୍ଟିକାରୀ ନୀତି ଆଣିଛନ୍ତି। ଫଳରେ ଖବରଦାତା, ଏନ୍‌ଜିଓ ଏବଂ ସରକାରଙ୍କ ସମାଲୋଚକମାନଙ୍କୁ ହଇରାଣ ବହୁ ପରିମାଣରେ ବଢ଼ିଯାଇଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

Share