ଭାରତ ଅଧିକ ବିପଦାପନ୍ନ

କୋଭିଡ୍‌-୧୯ ଭୂତାଣୁ ବିଶ୍ୱକୁ କଲବଲ କରିଦେଇଥିବାରୁ ସବୁ ରାଷ୍ଟ୍ରର ଆର୍ଥିକ ଓ ସ୍ବାସ୍ଥ୍ୟଜନିତ ସମସ୍ୟା ବଢ଼ିଯାଇଛି। ଏଭଳି ସମୟରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ନେଇ ପୃଥିବୀବ୍ୟାପୀ ଆଲୋଚନା ହେଉଛି। ଏଥିରେ ଦୁଇ ଦେଶର ବହୁ ଧନଜୀବନ ନଷ୍ଟ ହେବା ସହ ଏହାର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ଭୂରାଜନୈତିକ ସ୍ଥିତିକୁ ଦୋହଲାଇ ଦେଇଛି। ଏପରି କି ଆକ୍ରମଣକାରୀ ଦେଶ ରୁଷିଆର ନାଗରିକ ଯୁଦ୍ଧ ନୁହେଁ, ଶାନ୍ତି ଦରକାର ବୋଲି ଲେଖା ଧରି ରାସ୍ତାରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ସମସ୍ତେ ଭାବିଥିଲେ ରୁଷିଆର ସୈନ୍ୟମାନେ ଅତି ସହଜରେ ୟୁକ୍ରେନ୍‌ ଉପରେ ଚଢ଼ାଉ କରି ଦଖଲ କରିନେବେ। ଦୀର୍ଘ ୫ ଦିନ ବିତିଯାଇଥିବା ସତ୍ତ୍ୱେ ତାହା ନ ହୋଇଲା। ଏବେକାର ସ୍ଥିତିରେ ସବୁ ଉନ୍ନତ ଦେଶ ମିଳିତ ଭାବେ ରୁଷିଆକୁ ଅର୍ଥନୈତିକ ପୃଥିବୀରେ ଏକଘରିକିଆ କରିଦେଇଛନ୍ତି। ଏପରି କି ରୁଷିଆର ସାଧାରଣ ନାଗରିକ ବ୍ୟାଙ୍କରୁ ମୁଦ୍ରା ଉଠାଇବାରେ ଅସୁବିଧାର ସମ୍ମୁଖୀନ ହେବାକୁ ଆରମ୍ଭ କଲେଣି। ଅର୍ଥାତ୍‌ ଆଜିର ପୃଥିବୀରେ କୌଣସି ଦିଗକୁ ଅଣଦେଖା କଲେ ତାହାର କୁପ୍ରଭାବ ସାଧାରଣ ନାଗରିକଙ୍କ ଉପରେ ତତ୍‌କ୍ଷଣାତ୍‌ ପଡ଼ିଯାଉଛି। ହୁଏତ କିଛିଦିନ ପରେ ସନ୍ଧି ହେଉ ବା ଶାନ୍ତି ଆଲୋଚନା ମଧ୍ୟରେ ଏହି ଯୁଦ୍ଧର ଅବସାନ ଘଟିବ ଏବଂ ପୃଥିବୀ ଧୀରେ ଧୀରେ ପୂର୍ବ ସ୍ଥିତିକୁ ଫେରିବ। କିନ୍ତୁ ୨୮ ଫେବୃୟାରୀରେ ଇଣ୍ଟରଗଭର୍ନମେଣ୍ଟାଲ ପ୍ୟାନେଲ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ ବା ଜଳବାୟୁ ସଂକ୍ରାନ୍ତ ଆନ୍ତଃସରକାରୀ ପ୍ୟାନେଲ (ଆଇପିସିସି) ତା’ ଷଷ୍ଠ ସମୀକ୍ଷା ରିପୋର୍ଟର ଦ୍ୱିତୀୟ ଅଂଶକୁ ଉନ୍ମୋଚନ କରି ଯେଉଁ ତଥ୍ୟ ପ୍ରଦାନ କରିଛି, ତାହା ପୃଥିବୀ ପାଇଁ ଯେଉଁ ସମସ୍ୟା ସୃଷ୍ଟି କରିବ ସେଥିରୁ ଫେରିବା ଅସମ୍ଭବ ହୋଇପଡ଼ିବ। ଏଥିରେ ଉଲ୍ଲେଖ କରାଯାଇଛି ଯେ, ୨୦୫୦ ସୁଦ୍ଧା ଜଳବାୟୁ ପରିବର୍ତ୍ତନଜନିତ ବିପର୍ଯ୍ୟୟ ବିଶ୍ୱବ୍ୟାପୀ ବ୍ୟାପକ ରୂପରେ ଅନୁଭୂତ ହେବ। ଭାରତ ସମ୍ପର୍କରେ ଏଥିରେ କୁହାଯାଇଛି, ଏହା ଦ୍ୱାରା ଦେଶର ଅର୍ଥନୀତି ଓ ଖାଦ୍ୟ ନିରାପତ୍ତା ଘୋର ପ୍ରଭାବିତ ହେବ। ତେଣୁ ଏହି ସଙ୍କଟକୁ ଦୂରୀଭୂତ କରିବା ସକାଶେ କ୍ଷୁଦ୍ର ପଦକ୍ଷେପ ଯଥେଷ୍ଟ ହେବ ନାହିଁ ବୋଲି ଆଇପିସିସି ରିପୋର୍ଟ ସଜାଗ କରାଇଦେବା ବିଶ୍ୱ ପାଇଁ ସତର୍କଘଣ୍ଟି ବୋଲି ବିଚାର କରାଯିବା ଦରକାର।
ଉଲ୍ଲେଖଯୋଗ୍ୟ ଯେ, ଆଇପିସିସି ହେଉଛି ବିଶ୍ୱ ବୈଜ୍ଞାନିକଙ୍କ ଏକ ସଙ୍ଗଠନ। ଏହା ନିର୍ଦ୍ଦିଷ୍ଟ ସମୟରେ ଜଳବାୟୁ ବିଜ୍ଞାନ ଉପରେ ରିପୋର୍ଟ ପ୍ରକାଶ କରିଥାଏ। ଏବେ ଉନ୍ମୋଚନ ରିପୋର୍ଟରେ ଭାରତ ସମେତ ପୃଥିବୀ ସମ୍ମୁଖୀନ ହେବାକୁ ଯାଉଥିବା ସମସ୍ୟା ବିଷୟରେ ଯେଭଳି ବର୍ଣ୍ଣନା କରାଯାଇଛି ତାହାକୁ ଅତି ଗୁରୁତ୍ୱ ଦେଇ ଶକ୍ତିଶାଳୀ ପଦକ୍ଷେପ ନିଆଯିବା ନିତାନ୍ତ ଆବଶ୍ୟକ। ଏଠାରେ ୨୦୨୧ ନଭେମ୍ବରରେ ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋଠାରେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କପ୍‌୨୬ ବେଳେ ହୋଇଥିବା ଆଲୋଚନା ସମ୍ପର୍କିତ ବିଷୟବସ୍ତୁକୁ ମନେପକାଇ ଦିଆଯାଇପାରେ। ସେତେବେଳେ ବିକଶିତ ରାଷ୍ଟ୍ରଗୁଡ଼ିକ ଉପରେ ପ୍ରଦୂଷଣ ରୋକିବା ଲାଗି ଆର୍ଥିକ ଖର୍ଚ୍ଚ ବହନ କରିବା ଦିଗରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଭାରତ ଭଳି ବିକାଶଶୀଳ ଦେଶଗୁଡ଼ିକ ଅଙ୍ଗାରକାମ୍ଳ ନିର୍ଗମନ କମାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଦରକାର ବୋଲି ପ୍ରସ୍ତାବ ଦିଆଯାଇଥିଲା। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ ସମ୍ମିଳନୀରେ କହିଥିଲେ, ୨୦୭୦ ସୁଦ୍ଧା ଦେଶ ଶୂନ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ କରିବ। ପ୍ରଧାନମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବେ ୫୦ ବର୍ଷର ଦୀର୍ଘ ବର୍ଷକୁ ଧରି ଭାଷଣ ଦେଇଥିଲେ। ଏବର ଆଇପିସିସି ରିପୋର୍ଟ ଦେଖିଲେ ୨୦୫୦ ଅର୍ଥାତ୍‌ ମାତ୍ର ୩୦ ବର୍ଷ ଭିତରେ ଭାରତ ଏକ ବଡ଼ ବିପଦର ସମ୍ମୁଖୀନ ହେବାକୁ ଯାଉଛି। ଉଦାହରଣ ଭାବେ ଦେଖିଲେ ଏବେ ମଧ୍ୟ ଓଡ଼ିଶା ସମେତ ଦେଶର ବିଭିନ୍ନ ଭାଗରେ ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକ ଚାଲୁ ରହିଛି। କେହି କହୁନାହାନ୍ତି ଯେ, ୬ ମାସରୁ ବର୍ଷକ ମଧ୍ୟରେ କୋଇଲାରୁ ଉତ୍ପନ୍ନ ଶକ୍ତି ପ୍ରକଳ୍ପଗୁଡ଼ିକୁ ବନ୍ଦ କରିଦିଆଯାଇପାରିବ। କିନ୍ତୁ ନୂଆ ପ୍ରକଳ୍ପକୁ ଏବେ ମଧ୍ୟ ସବୁଜ ସଙ୍କେତ ଦିଆଚାଲିଛି। ନିର୍ମାଣ କ୍ଷେତ୍ରରେ ବ୍ୟବହୃତ ସିମେଣ୍ଟ ହେଉ ବା ପିଚୁ ଉତ୍ପାଦନ ସବୁକିଛି ବେଳେ ଅଙ୍ଗାରକାମ୍ଳ ନିର୍ଗମନ ବ୍ୟାପକ ମାତ୍ରାରେ ହେଉଛି। ସରକାର ସର୍ବଦା ଗ୍ରୀନ୍‌ ଏନର୍ଜି ବା ସବୁଜ ଶକ୍ତି ଉପରେ ଗୁରୁତ୍ୱ ଦେଉଛନ୍ତି। ହେଲେ ସେହି ଦିଗରେ ସରକାରଙ୍କ ଆନ୍ତରିକତା ଥିବାର ପ୍ରମାଣ ମିଳୁନାହିଁ। ଉଦାହରଣ ସ୍ବରୂପ, ଏ ପର୍ଯ୍ୟନ୍ତ ସରକାରୀ ସ୍ତରରେ କୌଣସି ବୃହତ୍‌ ସୌରଶକ୍ତି ଉତ୍ପାଦନ ପ୍ରକଳ୍ପ କରାଯିବା ଦିଗରେ ପ୍ରକ୍ରିୟା ଆରମ୍ଭ ହେଉନାହିଁ। କୁହାଯାଇପାରେ ଯେ, ପେଟ୍ରୋଲ ଓ ଡିଜେଲଚାଳିତ ଗାଡ଼ିଗୁଡ଼ିକ ଅପେକ୍ଷା ଇଲେକ୍‌ଟ୍ରିକ୍‌ ଭେହିକିଲ୍‌ (ଇଭି)କୁ ପ୍ରାଧାନ୍ୟ ଦିଆଯାଉଛି। ତେବେ ଏହାର ମୂଳକୁ ଦେଖିଲେ ଏହି ଇଭି ମଧ୍ୟ ବିଦ୍ୟୁତ୍‌ ଶକ୍ତି ଉପରେ ନିର୍ଭରଶୀଳ। ତେଣୁ ବ୍ୟବସ୍ଥିତ ଢଙ୍ଗରେ ବିଶ୍ୱତାପନର ପ୍ରମୁଖ କାରକ ଭାବେ ଥିବା ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଦିଗରେ ବିଧିବଦ୍ଧ ନୀତି ପ୍ରସ୍ତୁତ କରାଯିବା ଦରକାର। ଆଜିର ସ୍ଥିତି ଦେଖିଲେ ସିଚୁଏଶନ ରୁମ୍‌ ବା ଓ୍ବାର୍‌ ରୁମ୍‌ରେ ବସି ପୁଟିନ୍‌ ହୁଅନ୍ତୁ ବା ଜେଲେନ୍‌ସ୍କି ଯେଭଳି ଯୁଦ୍ଧର ମୁକାବିଲା ଲାଗି ରଣକୌଶଳ ପ୍ରସ୍ତୁତ କରୁଛନ୍ତି, ସେହିଭଳି ଯୁଦ୍ଧସମ ପଦକ୍ଷେପ ନିଆ ନ ଗଲେ ଜଳବାୟୁ ପରିବର୍ତ୍ତନର ପରିମାଣକୁ ହ୍ରାସ କରିବା କଷ୍ଟକର ହୋଇପଡ଼ିବ। ସ୍ଥାନୀୟ ସ୍ତରରୁ ଅନ୍ତର୍ଜାତୀୟ ସ୍ତର ଯାଏ ଏ ବିଷୟରେ ଉପଯୁକ୍ତ ଅନୁଶୀଳନ କରାଯାଇ ବୃହତ୍‌ ପଦକ୍ଷେପ ନିଆ ନ ଗଲେ ବାରମ୍ବାର ଆଇପିସିସି ରିପୋର୍ଟ ପ୍ରକାଶ ପାଉଥିଲେ ମଧ୍ୟ ତାହାର କୌଣସି ସକାରାତ୍ମକ ସମାଧାନ ରାସ୍ତା ବାହାରିପାରିବ ନାହିଁ ଏବଂ ଆମରି ଜୀବନକାଳ ଭିତରେ ଏକ ବିରାଟ ପ୍ରଳୟ ଦେଖିବାର ଆଶଙ୍କା ବୃଦ୍ଧି ପାଇଚାଲୁଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri