Categories: ଖେଳ

ଚେସ୍‌ ଅଲିମ୍ପିଆଡ କ୍ୱାର୍ଟରରେ ଭାରତ: ପ୍ରଜ୍ଞାନାନନ୍ଦ, ଦିବ୍ୟାଙ୍କ ଆକର୍ଷଣୀୟ ପ୍ରଦର୍ଶନ

ଚେନ୍ନାଇ, ୨୪।୮(ପି.ଟି.): ଆର. ପ୍ରଜ୍ଞାନାନନ୍ଦ ଏବଂ ଦିବ୍ୟା ଦେଶମୁଖଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଭାରତ ୯ମ ତଥା ଅନ୍ତିମ ରାଉଣ୍ଡରେ ଶକ୍ତିଶାଳୀ ଚାଇନାକୁ ୪-୨ ବ୍ୟବଧାନରେ ପରାସ୍ତ କରି ଫିଡେ ଅନଲାଇନ୍‌ ଚେସ୍‌ ଅଲମ୍ପିଆଡର ପୁଲ୍‌ ‘ଏ’ ଡିଭିଜନର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଚଳିତ ମାସ ୨୮ ତାରିଖରେ ଭାରତ କ୍ୱାର୍ଟର ଫାଇନାଲ ଖେଳିବ। ୪ଟି ଡ୍ର ଏବଂ ୨୦ ବର୍ଷରୁ କମ୍‌ ବୋର୍ଡରେ ୨ଟି ବିଜୟ ଭାରତକୁ ବିଜୟୀ କରାଇଥିଲା।

୧୫ ବର୍ଷୀୟ ପ୍ରଜ୍ଞାନାନନ୍ଦ ପ୍ରତିପକ୍ଷ ଲିଉ ୟାନ୍‌ଙ୍କୁ ଏବଂ ପୂର୍ବତନ ବିଶ୍ୱ ୧୦ ଓ ୧୨ ବର୍ଷରୁ କମ୍‌ ଚାମ୍ପିୟନ ଦିବ୍ୟା ଦେଶମୁଖ ଚାଇନାର ଜିନେର ଝୁଙ୍କୁ ହରାଇ ଦେଇଥିଲେ। ଭାରତୀୟ ଦଳର ଅଧିନାୟକ ଭିଦିଥ ଗୁଜରାଟୀ ବିଶ୍ୱର ୩ ନମ୍ବର ଖେଳାଳି ଡିଙ୍ଗ ଲିରେନଙ୍କ ସହ ପଏଣ୍ଟ ଭାଗ କରିଥିବାବେଳେ ପି. ହରିକ୍ରିଷ୍ଣା ଓ ୟାଙ୍ଗୟି ୟୁ ମ୍ୟାଚ ଡ୍ର ରହିଥିଲା। ଭାରତୀୟ ମହିଳା ଚେସ୍‌ ତାରକା କୋନେରୁ ହମ୍ପି ବିଶ୍ୱର ନମ୍ବର ଓ୍ବାନ ୟିଫାନ ହୋଉଙ୍କ ବିପକ୍ଷରେ ଏବଂ ଡି. ହାରିକା ସାମ୍ପ୍ରତିକ ବିଶ୍ୱ ଚାମ୍ପିୟନ ଓ୍ବେନଜୁନ ଜୁଙ୍କ ବିପକ୍ଷ ମ୍ୟାଚକୁ ସାହସିକତାର ସହ ଡ୍ର ରଖିଥିଲେ। ପୁଲ୍‌‘ଏ’ରେ ୧୭ ପଏଣ୍ଟ(୩୯.୫ ବୋର୍ଡ ପଏଣ୍ଟ) ସହିତ ଭାରତ ଶୀର୍ଷସ୍ଥାନ ଅଧିକାର କରିବା ସହ ପ୍ରଥମ ଦଳଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ”ଚାଇନା ବିପକ୍ଷ ବିଜୟରେ ଆମେ ଅତ୍ୟନ୍ତ ଖୁସି। ଏଥିପାଇଁ ଦୁଇ ଯୁବ ଖେଳାଳି ପ୍ରଜ୍ଞାନାନନ୍ଦ ଓ ଦିବ୍ୟାଙ୍କୁ ପ୍ରଶଂସା କରିବାକୁ ପଡ଼ିବ“ ବୋଲି ଭାରତର ୨ ନମ୍ବର ଖେଳାଳି ହରିକ୍ରିଷ୍ଣା କହିଛନ୍ତି। ନିୟମ ଅନୁସାରେ ପ୍ରତି ପୁଲ୍‌ର ଶୀର୍ଷ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବ। ୪ଟି ପଲ୍‌ର ଦ୍ୱିତୀୟ ଏବଂ ତୃତୀୟ ସ୍ଥାନୀୟ ଦଳ ନକ୍‌ଆଉଟରେ ପ୍ରବେଶ କରିବେ। ପୂର୍ବରୁ ୮ମ ରାଉଣ୍ଡରେ ଭାରତ ୪.୫-୧.୫ ପଏଣ୍ଟରେ ଜର୍ମାନୀକୁ ଏବଂ ୭ମ ରାଉଣ୍ଡରେ ୪-୨ରେ ଜର୍ଜିଆକୁ ପରାସ୍ତ କରିଥିଲା। ୯ ରାଉଣ୍ଡ ଶେଷରେ ପୁଲ୍‌‘ଏ’ରେ ଭାରତ ୧୭, ଚାଇନା ୧୬, ଜର୍ମାନୀ ୧୧, ଇରାନ ୯, ମଙ୍ଗୋଲିଆ ୮, ଜର୍ଜିଆ ୮, ଇଣ୍ଡୋନେସିଆ ୮, ଉଜବେକିସ୍ତାନ ୭, ଭିଏତନାମ ୬ ପଏଣ୍ଟ ପାଇଥିବାବେଳେ ଜିମ୍ବାଓ୍ବେ କୌଣସି ପଏଣ୍ଟ ପାଇନାହିଁ।

Share