୧୦ ଲକ୍ଷ ଟପିଲା ଭାରତ

ନୂଆଦିଲ୍ଲୀ, ୧୮।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଶନିବାର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଟପିଛି। ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୭୧୬ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪ ହଜାର ୮୮୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୬୭୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତକଙ୍କ ସଂଖ୍ୟା ୨୬ ହଜାର ୨୭୩କୁ ବୃଦ୍ଧି ପାଇଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ୬ ଲକ୍ଷ ୫୩ ହଜାର ୭୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩ଲକ୍ଷ ୫୮ ହଜାର ୬୯୨ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଇତିମଧ୍ୟରେ ଜୁଲାଇ ୧୭ ସୁଦ୍ଧା କୋଟିଏ ୩୪ ଲକ୍ଷ ୩୩ ହଜାର ୭୪୨ ଜଣଙ୍କ ନମୁନା ପରୀକ୍ଷା ହୋଇସାରିଛି। ଶୁକ୍ରବାର ଗୋଟିଏ ଦିନରେ ୩ ଲକ୍ଷ ୬୧ ହଜାର ୨୪ ଜଣଙ୍କ ନମୁନା ପରୀକ୍ଷା ହୋଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି।

Share