Categories: ଖେଳ

ରୋଇଂରେ ଭାରତକୁ ମିଳିଲା ୨ ବ୍ରୋଞ୍ଜ ପଦକ

ହାଙ୍ଗଝୋ,୨୫।୯: ଏସିଆନ ଗେମ୍ସର ରୋଇଂ ଇଭେଣ୍ଟରେ ସୋମବାର ଭାରତକୁ ଆଉ ୨ଟି ବ୍ରୋଞ୍ଜ ପଦକ ମିଳିଛି। ଫଳରେ ଓ୍ବାଟରସ୍ପୋର୍ଟରେ ଭାରତୀୟ ରୋୟର ୫ ପଦକ ସହ ଅଭିଯାନ ଶେଷ କରିଛନ୍ତି।

ମେନ୍ସ ଫୋର୍‌ସ ଇଭେଣ୍ଟରେ ଯଶବିନ୍ଦର ସିଂ, ଭୀମ ସିଂ, ପୁନିତ କୁମାର ଓ ଆଶିଷ ଗୋଲିୟାନ ଅଳ୍ପକେ ରୌପ୍ୟ ପଦକରୁ ବଞ୍ଚିତ୍‌ ହୋଇ ବ୍ରୋଞ୍ଜ୍‌ରେ ସନ୍ତୁଷ୍ଟ ହୋଇଥିଲେ। ଭାରତ ୬:୧୦.୮୧ ସେକେଣ୍ଡ ନେଇ ତୃତୀୟ ହୋଇଥିବା ବେଳେ ଚାଇନା ୬:୧୦.୦୪ ସେକେଣ୍ଡ ସହିତ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଥିଲା। ଉଜବେକିସ୍ତାନ ୬:୦୪.୯୬ ସେକେଣ୍ଡ ସହ ସ୍ବର୍ଣ୍ଣ ପଦକ ପାଇଥିଲା।

ସେହିପରି ସତନାମ ସିଂ, ପରବିନ୍ଦର ସିଂ, ଜାକର ଖାଁ ଓ ସୁଖମିତ ସିଂଙ୍କ ନେଇ ଗଠିତ ପୁରୁଷ କ୍ୱାଡ୍ରୁପଲ ସ୍କଲ୍ସ ଟିମ୍‌ ୬:୦୮.୬୧ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ପାଇଥିଲେ। ଚାଇନା ୬:୦୨.୬୫ ସେକେଣ୍ଡ ସହ ସ୍ବର୍ଣ୍ଣ ଏବଂ ଉଜବେକିସ୍ତାନ ୬:୦୪.୬୪ ସେକେଣ୍ଡ ସହିତ ରୌପ୍ୟ ପଦକ ହାସଲ କରିଥିଲା। ଗତ ସଂସ୍କରଣ ଅପେକ୍ଷା ଏଥର ଭାରତ ଅଧିକ ପଦକ ପାଇଛି।

Share