ଜାତିସଂଘ ସହାୟତାକୁ ଭାରତର ନା

ଜାତିସଂଘ/ନୂଆଦିଲ୍ଲୀ, ୧।୫: କରୋନା ଭାଇରସ୍‌ର କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣକୁ ଭାରତ ସମ୍ଭାଳିପାରୁ ନାହିଁ। ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଭୁଶୁଡ଼ିପଡ଼ିଲାଣି। କୋଭିଡ୍‌ ରୋଗୀ ଅକ୍ସିଜେନ୍‌, ଭାକ୍ସିନ ଓ ଜୀବନ ରକ୍ଷାକାରୀ ଇଞ୍ଜେକ୍ସନ ନ ପାଇ ମରୁଥିବାରୁ ଏସବୁ ପାଇଁ ଅନ୍ୟ ଦେଶଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼ିଲାଣି। ହେଲେ କେନ୍ଦ୍ରୀୟ ନେତୃତ୍ୱଙ୍କ ଲୋକଦେଖାଣିଆ ଟାଣପଟ ଯାଇନାହିଁ। ଜାତିସଂଘ ଭାରତକୁ ସହାୟତାର ହାତ ବଢ଼ାଇଥିବାବେଳେ ନୂଆଦିଲ୍ଲୀ ତାକୁ ଗ୍ରହଣ କରିବାକୁ ମନା କରିଦେବା ବିଷୟରୁ ଏହା ସ୍ପଷ୍ଟ ହୋଇଛି।
ଭାରତରେ ସପ୍ତାହେରୁ ଅଧିକ ସମୟ ଧରି ଲଗାତର ଭାବେ ଦୈନିକ ସଂକ୍ରମଣ ୩ ଲକ୍ଷରୁ ଅଧିକ ରହୁଛି। ମୃତ୍ୟୁସଂଖ୍ୟା ମଧ୍ୟ ୩ ହଜାର ଟପୁଛି। ଏଭଳି ସ୍ଥିତିରେ ଦେଶର ଦୁରବସ୍ଥାକୁ ଦେଖି କରୋନା ଭାଇରସ୍‌ ମୁକାବିଲା ଲାଗି ଭାରତକୁ ସମନ୍ବିତ ଶୃଙ୍ଖଳ ଯୋଗାଣ ନିମନ୍ତେ ଜାତିସଂଘ ଆଗ୍ରହ ପ୍ରକାଶ କରିଥିଲା, ଯାହାକୁ ଗ୍ରହଣ କରିବାକୁ ନୂଆଦିଲ୍ଲୀ ମନା କରିଦେଇଛି। ଏନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ଉପମୁଖପାତ୍ର ଫାରାନ୍‌ ହକ୍‌ କହିଛନ୍ତି, କୋଭିଡ୍‌ ସମ୍ପର୍କିତ ସମନ୍ବିତ ଯୋଗାଣ ଶୃଙ୍ଖଳ ସହାୟତା ଦେବାକୁ ଆମେ ପ୍ରସ୍ତୁତ। କିନ୍ତୁ ଭାରତ କରୋନା ମୁକାବିଲା ପାଇଁ ନିଜର ମଜଭୁତ ବ୍ୟବସ୍ଥା ଥିବା ଦର୍ଶାଇଛି। ଭାରତରେ ଥିବା ଜାତିସଂଘର ଅନ୍ତର୍ଜାତୀୟ ଓ ସ୍ଥାନୀୟ ସ୍ତରର ଖୁବ୍‌ କମ୍‌ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ଭାରତୀୟ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଯେପରି ଚାପ ନ ପଡ଼ିବ ସେଥିଲାଗି ଜାତିସଂଘ ସେମାନଙ୍କ କଥା ବୁଝୁଛି। ମହାମାରୀର ମୁକାବିଲା ପାଇଁ ଆମ ସହଯୋଗୀମାନେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ସହଯୋଗ କରୁଛନ୍ତି। ସେହିପରି ଜାତିସଂଘର ୭୫ତମ ସାଧାରଣ ଅଧିବେଶନ ଅଧ୍ୟକ୍ଷ ଭୋଲ୍‌କାନ ବୋଜ୍‌କିର ମଧ୍ୟ ଭାରତରେ କରୋନା ସ୍ଥିତିକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଏବେ ଭାରତକୁ ସାରା ବିଶ୍ୱ ସହଯୋଗ କରିବା ସମୟ ଆସିଛି। ସମସ୍ତେ ସୁରକ୍ଷିତ ନ ରହିବା ଯାଏ କାହା ନିରାପତ୍ତା ସୁନିଶ୍ଚିତ ନୁହେଁ ବୋଲି କହିଛନ୍ତି। ଅନ୍ୟପକ୍ଷେ ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ଟି.ଏସ୍‌. ତିରୁମୂର୍ତ୍ତି ବିଶ୍ୱ ସଙ୍ଗଠନର ସହଯୋଗ ମନୋଭାବକୁ ପ୍ରଶଂସା କରିଛନ୍ତି।

Share