ଭୋପାଳ,୧୯।୧୧: ଡିଫେଣ୍ଡିଂ ଚାମ୍ପିୟନ ଭାରତ ଚଳିତ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭାରତ ୪-୧ ଗୋଲରେ ମାଲେସିଆକୁ ହରାଇ ଦେଇଛି। ଏହି ମ୍ୟାଚ୍ ଜରିଆରେ ଓଡ଼ିଶାର ପୂଜା ସାହୁ ଅନ୍ତର୍ଜାତୀୟସ୍ତରରେ ପଦାର୍ପଣ କରିଛନ୍ତି। ଆସନ୍ତା ୨୧ରେ ଭାରତ ତା’ର ଦ୍ୱିତୀୟ ଲିଗ୍ ମ୍ୟାଚ୍ରେ ଦକ୍ଷିଣ କୋରିଆକୁ ଭେଟିବ।
ମ୍ୟାଚ୍ର ୧୯ତମ ମିନିଟ୍ରେ ଜୁରାମିରା ଜୁଲକିଫ୍ଲିଙ୍କ ଗୋଲ ବଳରେ ମାଲେସିଆ ଅଗ୍ରଣୀ ହାସଲ କରି ସଭିଙ୍କୁ ଚମକାଇ ଦେଇଥିଲା। ଏହାର ତୁରନ୍ତ ପରେ ମୁମତାଜ ଖାନ (୨୦ତମ ମିନିଟ୍) ଏକ ଫିଲ୍ଡ ଗୋଲ କରି ସ୍କୋର ଲାଇନାକୁ ବରାବର କରିଥିଲେ।
ଦ୍ୱିତୀୟାର୍ଦ୍ଧରେ ଅଧିନାୟିକା ସାଲିମା ଟେଟେ ୩୫ତମ ମିନିଟ୍ରେ ଦଳକୁ ମିଳିଥିବା ପେନାଲ୍ଟି କର୍ନର(ପିସି)ରୁ ଗୋଲ ସ୍କୋର କରିଥିଲେ। ଏହାର ୪ ମିନିଟ୍ ପରେ ଭାରତକୁ ମିଳିଥିବା ଆଉ ଏକ ପିସିକୁ ଗୋଲରେ କନଭର୍ଟ କରି ପୂଜା ତାଙ୍କ ପଦାର୍ପଣ ମ୍ୟାଚ୍କୁ ସ୍ମରଣୀୟ କରାଇଥିଲେ।
ଫଳରେ ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୩-୧ ଗୋଲରେ ଆଗରେ ରହିଥିଲା। ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରର ୪୯ତମ ମିନିଟ୍ରେ ଭାରତକୁ ପୁଣି ଏକ ପିସି ମିଳିଥିଲା, ଯାହାକୁ ଗୋଲରେ କନଭର୍ଟ କରିଥିଲେ ଲାଲରେମସିଆମି (୪୯ତମ)। ପଦାର୍ପଣକାରୀ ପୂଜାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି।