Categories: ଖେଳ

ଐତିହାସିକ ମ୍ୟାଚ୍‌ରେ ମିଳିଲା ବର୍ଷର ପ୍ରଥମ ବିଜୟ

ଅହମ୍ମଦାବାଦ,୬।୨: ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଜୟ ସ୍ବାଦ ଚାଖିଛି ଟିମ୍‌ ଇଣ୍ଡିଆ। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଐତିହାସିକ ମ୍ୟାଚ୍‌ରେ ଭାରତୀୟ ଦଳ ୬ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ୧୦୦୦ତମ ଦିନିକିଆ ମ୍ୟାଚ୍‌ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ କିଛି ଟିମ୍‌ ଇଣ୍ଡିଆ ନିୟନ୍ତ୍ରଣରେ ଥିଲା। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଧାର୍ଯ୍ୟ ୧୭୭ ରନ୍‌ର ଛୋଟିଆ ବିଜୟଲକ୍ଷ୍ୟକୁ ୪ ଉଇକେଟ କ୍ଷତିରେ ମାତ୍ର ୨୮ ଓଭରରେ ହାସଲ କରିଥିଲା ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ।

ଟସ୍‌ ଜିତି ଅଧିନାୟକ ରୋହିତ ଶର୍ମା ବୋଲିଂ ନିଷ୍ପତ୍ତି ନେଇଥିଲେ। ତାଙ୍କ ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣ କରିଥିଲେ ଦଳୀୟ ବୋଲର। ମୁଖ୍ୟତଃ ୟୁଜବେନ୍ଦ୍ର ଚହଲ(୪ ଉଇକେଟ) ଓ ଓ୍ବାଶିଂଟନ ସୁନ୍ଦର (୩) ଭ୍ରମଣକାରୀ ଦଳର ବ୍ୟାଟିଂ ଲାଇନ ଅପ୍‌ ବିଗାଡ଼ି ଦେଇଥିଲେ। ଏକଦା ଓ୍ବେଷ୍ଟଇଣ୍ଡିଜ ୭୯ ରନ୍‌ ମଧ୍ୟରେ ୭ ଉଇକେଟ ହରାଇ ସାରିଥିଲା। ଏଭଳି ପରିସ୍ଥିତିରେ ଜାସନ ହୋଲ୍ଡର (୫୭ ରନ୍‌, ୪ ଛକା) ଓ ଫାବିଆନ ଆଲେନ (୨୯ ରନ୍‌, ୨ ଚୌକା) ଦଳକୁ ଆଗେଇ ନେଇଥିଲେ। ଦୁହେଁ ୮ମ ଉଇକେଟ ପାଇଁ ୭୮ ରନ୍‌ ଯୋଡ଼ିଥିଲେ।

ଜବାବରେ ରୋହିତ ଶର୍ମା ଓ ଇଶାନ କିଷନଙ୍କ ଓପନିଂ ଯୋଡ଼ି ଟିମ୍‌ ଇଣ୍ଡିଆକୁ ଦେଇଥିଲା ୮୪ ରନ୍‌ର ଆରମ୍ଭ। ଅର୍ଦ୍ଧଶତକ ପୂରଣ କରିବା ପରେ ଅଧିନାୟକ ରୋହିତ (୬୦ ରନ୍‌, ୧୦ ଚୌକା ଓ ୧ ଛକା) ଆଉଟ୍‌ ହୋଇଥିଲେ। ତାଙ୍କ ପରେ ପ୍ୟାଭିଲିଅନ୍‌ ଫେରିଥିଲେ ବିରାଟ କୋହଲି (୮), କିଷନ (୨୮ ରନ୍‌, ୨ ଚୌକା ଓ ୧ ଛକା) ଓ ରିଷଭ ପନ୍ତ (୧୧)। ଲଗାତାର ଉଇକେଟ ପଡ଼ିବା ସତ୍ତ୍ୱେ ଟିମ୍‌ ଇଣ୍ଡିଆ କଦାପି ମ୍ୟାଚ୍‌ରେ ପଛୁଆ ନ ଥିଲା। ସୂର୍ଯ୍ୟକୁମାର ଯାଦବ (୩୪ ରନ୍‌, ୫ ଚୌକା) ଓ ଦୀପକ ହୁଡା (୨୬ ରନ, ୨ ଚୌକା) ୫ମ ଉଇକେଟ ପାଇଁ ୬୨ ରନ୍‌ ଯୋଡ଼ି ଦଳକୁ ବିଜୟ ଭେଟି ଦେଇଥିଲେ। ଫଳରେ ଭାରତ ୨୮ ଓଭରରେ ୪ ଉଇକେଟ କ୍ଷତିରେ ହାସଲ କରିନେଇଥିଲା ବିଜୟଲକ୍ଷ୍ୟ।

Share