କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ ମାନେ ରଖେ ନାହିଁ। ମାତ୍ର କ୍ରିକେଟ ସେଭଳି ଖେଳାଯିବା ଉଚିତ, ଯେଉଁ ଭଳି ଏହା ଖେଳାଯାଇ ଆସୁଛି। ଏହା ସେମାନଙ୍କ ଉପରେ ସେମାନେ କ’ଣ ନିଷ୍ପତ୍ତି ନେଉଛନ୍ତି ବୋଲି ସଲମାନ କହିଛନ୍ତି। ବିଶ୍ୱକପ୍ରେ ଭାରତ ବିପକ୍ଷ ରେକର୍ଡ ସମ୍ପର୍କରେ ସେ କହିଛନ୍ତି, ଆମ ରେକର୍ଡ ଭଲ ନାହିଁ। କିନ୍ତୁ ଯେତେବେଳେ ଏକ ନୂଆ ମ୍ୟାଚ୍ ଖେଳାଯାଏ, ସେହି ଦିନ ଭଲ ଖେଳିଥିବା ଦଳ ହିଁ ଜିତେ। ମ୍ୟାଚ୍ ଜିତିବା ପାଇଁ ଭଲ କ୍ରିକେଟ ଖେଳିବାକୁ ପଡ଼ିବ। ଆମେ ଇତିହାସ ବଦଳି ପାରିବୁ ନାହିଁ। ଆମେ ସେଥିରୁ ଶିକ୍ଷା ନେଇଛୁ। ଆମେ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରି ମ୍ୟାଚ୍ ଜିତିବୁ। ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଅଗଷ୍ଟରେ ପହଲଗାମ ଗଣହତ୍ୟା ଓ ପରେ ଭାରତୀୟ ସେନା ଦ୍ୱାରା କରାଯାଇଥିବା ଅପରେଶନ ସିନ୍ଦୂର କାରଣରୁ ଦୁବାଇରେ ଅନୁଷ୍ଠିତ ଏସିଆ କପ୍ରେ ଭାରତୀୟ ଖେଳାଳିମାନେ ପ୍ରତିପକ୍ଷ ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇ ନ ଥିଲେ।
ତାରିକ ଆମ ଟ୍ରମ୍ପ କାର୍ଡ
ବୋଲିଂ କଲାବେଳେ ଉଇକେଟ ପାଖରେ ରହିକି ସ୍ଲିଙ୍ଗ ଆକ୍ସନ ସହିତ ବୋଲିଂ କରୁଥିବା ଉସ୍ମାନ ତାରିକ ଭାରତ ବିପକ୍ଷ ମ୍ୟାଚ୍ରେ ପାକିସ୍ତାନ ପାଇଁ ଜଣେ ଟ୍ରମ୍ପ କାର୍ଡ। ଆର୍ ପ୍ରେମଦାସ ତାରକା ଖଚ୍ଚିତ ଭାରତୀୟ ଦଳ ପାଇଁ ଷ୍ଟାଡିୟମର ଧିମା ପିଚ୍ରେ ତାରିକ ଡବଲ ବିପଜ୍ଜନକ ହୋଇପାରନ୍ତି।
ଆମ ଦଳର ୧୫ ଖେଳାଳିଙ୍କ ମଧ୍ୟରୁ ଜଣେ। ଆମେ ତାଙ୍କୁ ସେହିଭଳି ବ୍ୟବହାର କରୁ। କେବଳ ତୁମେମାନେ ହିଁ ତାଙ୍କୁ ବଡ଼ ଖେଳାଳି କରି ଦେଇଛ। ସେ ଗତ କିଛି ମାସ ହେଲା ଖୁବ୍ ଭଲ ବୋଲିଂ କରୁଛନ୍ତି। ସେ ଲିଗ୍ କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ହଁ ସେ ଆମ ପାଇଁ ଟ୍ରମ୍ପ କାର୍ଡ ବୋଲି ପାକିସ୍ତାନ ସଲମାନ କହିଛନ୍ତି। ତାଙ୍କ ବୋଲିଂ ଆକ୍ସନ ସମ୍ପର୍କରେ ସେ ପ୍ରକାଶ କରିଛନ୍ତି ଯେ, ତାରିକ କ୍ରିକେଟ ଖେଳିବା ଆରମ୍ଭ କରିବା ଦିନଠାରୁ ତାଙ୍କ ବୋଲିଂ ଆକ୍ସନକୁ ନେଇ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ଏଣୁ ସେ ଏବେ ଏହାକୁ ଖାତିର କରୁ ନାହାନ୍ତି। ଗତ ବର୍ଷ ଦୁଇ ଥର ତାଙ୍କ ବୋଲିଂ ଆକ୍ସନକୁ ଆଇସିସି କ୍ଲିଅର କରିଥିଲା। ଆଇସିସି ତାଙ୍କୁ ଯାହା କରିବାକୁ କହିଥିଲା ଏବଂ ଇଣ୍ଟରନ୍ୟାଶନାଲ କ୍ରିକେଟରେ ବୋଲିଂ କରିବା ପାଇଁ ଯାହା ଦରକାର, ସେ କରିଥିଲେ। ଏଣୁ ମୋତେ ଜଣା ନାହିଁ, ତାଙ୍କ ବୋଲିଂ ଆକ୍ସନକୁ ନେଇ ଲୋକେ ଏତେ ଚର୍ଚ୍ଚା କାହିଁ କରୁଛନ୍ତି। ମୋ ମତରେ ମ୍ୟାଚ୍ରେ ସ୍ପିନର ପ୍ରଭାବ ବିସ୍ତାର କରିପାରନ୍ତି। କିନ୍ତୁ ମୋ ମତରେ ପେସରଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ। ଆମ ପାଖରେ ଅନେକ ସ୍ପିନର ଓ ପେସର ରହିଛନ୍ତି, ଦରକାର ସମୟରେ ବ୍ୟବହାର କରିବୁ।

